ଭୁବନେଶ୍ୱର,: \”ଏମଏଲଏ ଲ୍ୟାଡ୍\’ ୱେବ ପୋର୍ଟାଲର ଶୁଭ ଉନ୍ମୋଚନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନରେ ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହିତ ସିଏମଏସଏର ସରଳୀକୃତ ଗାଇଡଲାଇନ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବୁଧବାର କ୍ୟାନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତଙ୍କ ଉପସ୍ଥିତିରେ ଉନ୍ନୋଚିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ \”ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବା ଏମଏଲଏ ଲ୍ୟାଡ୍\’ ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ସ୍ୱଚ୍ଛ, ସରଳ ଓ ସମୟ ଉପଯୋଗୀ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମି ଗୁଡିକୁ ଶୀଘ୍ର ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ । ଏହି ନୂଆ ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦିଆଯିବା ସହ ଅତ୍ୟାବଶ୍ୟକ ପ୍ରକଳ୍ପଗୁଡିକୁ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । ଅନାବଶ୍ୟକ ପ୍ରକଳ୍ପଗୁଡିକୁ ଏଥିରୁ ବାଦ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରକଳ୍ପର ସୁପାରିଶଠାରୁ ଅନୁମୋଦନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ସମୟ ଅବଧି ୩୦ଦିନ ରଖାଯାଇଛି । ସେହିପରି ସିଏମଏସଏ ଗାଇଡଲାଇନର ମଧ୍ୟ ସରଳୀକରଣ କରାଯାଇଛି । ଏହାଦ୍ୱାରା ପ୍ରକଳ୍ପ ଗୁଡ଼ିକ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସେ କହିଥିଲେ । ଏହି ନୂତନ \”ଏମଏଲଏ ଲ୍ୟାଡ୍ ୱେବ ପୋର୍ଟାଲ\’ରେ ବିଧାୟକମାନଙ୍କ ଦ୍ୱାରା ପ୍ରକଳ୍ପ ସୁପାରିଶ, ପ୍ରକଳ୍ପ ଆବଶ୍ୟକତାର ତର୍ଜମା, ଯୋଜନା ଓ ବ୍ୟୟ ଅଟକଳ ପ୍ରସ୍ତୁତି, ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାଦେଶ, ତଦାରଖ, ନିରୀକ୍ଷଣ, ବ୍ୟୟ ଓ କାର୍ଯ୍ୟ ସମ୍ପାଦନ ଆଦି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯାଇପାରିବ । ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ସୁପାରିଶ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ ଓ ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ । ଏହା ସହିତ ବିଧାନସଭା ଅଞ୍ଚଳର ଜନସାଧାରଣ ମଧ୍ୟ ସେମାନଙ୍କ ବିଧାୟକଙ୍କ ଦ୍ୱାରା
ସୁପାରିଶ କରାଯାଇଥିବା ପ୍ରକଳ୍ପଗୁଡିକର ତଥ୍ୟ ଏହି ପୋର୍ଟାଲ ଜରିଆରେ ଅବଗତ ହୋଇପାରିବେ । ସୂଚନା ଯୋଗ୍ୟ ଯେ, \”ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି\’ ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇ ଜନସାଧାରଣଙ୍କ ଛୋଟ ଛୋଟ କିନ୍ତୁ ନିତ୍ୟାନ୍ତ ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରିବାରେ ଏକ ମଜବୁତ ମାଧ୍ୟମ ହୋଇପାରିଛି । ପର୍ଯ୍ୟାୟକ୍ରମେ, ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଏହି ଅନୁଦାନ ୫ଲକ୍ଷରୁ ୩ କୋଟି ଟଙ୍କାକୁ ବୃଦ୍ଧି ପାଇ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ୫ କୋଟି ଟଙ୍କା ହିସାବରେ ବ୍ୟୟ ବରାଦ କରାଯାଇଅଛି । ଏହି ନୂତନ ଗାଇଡଲାଇନ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବିଧାନସଭା କମିଟି ସଦସ୍ୟ ଓ ବିଧାୟକମାନଙ୍କ ପରାମର୍ଶ ନିଆଯାଇଛି, ପଡୋଶୀ ରାଜ୍ୟ ଗୁଡିକର \”ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀ\’ର ଅଧ୍ୟୟନ କରାଯାଇଛି ଏବଂ କ୍ଷେତ୍ର ସ୍ତରରେ ଉପୁଜୁଥିବା ସମସ୍ୟାଗୁଡିକର ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଏହି ପ୍ରକ୍ରିୟାରେ ସଂଶ୍ଲିଷ୍ଟ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ଏହି ନୂତନ ସରଳୀକୃତ ଗାଇଡ୍ଲାଇନ ଓ ୱେବ୍ ପୋର୍ଟାଲ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ଉପସ୍ଥିତ ଥିଲେ ।
ଏମ୍ଏଲଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
CM launches MLA Lad web portal
Prev Post
Next Post