ଭୁବନେଶ୍ୱର,୨୦ା୧୧ : ଓଡ଼ିଶା ପାଇଁ ଗର୍ବ । ଦୁଇଟି ଜଳସେଚନ ପ୍ରକଳ୍ପ ଆଇସିଆଇଡ଼ି ବା ଇଣ୍ଟରନେସନାଲ୍ କମିସନ ଅନ ଇରିଗେସନ ଆଣ୍ଡ ଡ୍ରେନେଜ ଦ୍ୱାରା ପାଇଲେ ୱାର୍ଲଡ ହେରିଟେଜ୍ ଇରିଗେସନ ଷ୍ଟ୍ରକଚର ପୁରସ୍କାର ୨୦୨୩ । ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକରେ ଥିବା ବାଲିଡିହ ଜଳସେଚନ ପ୍ରକଳ୍ପ ଓ ଦ୍ୱିତୀୟଟି ହେଉଛି ଗଞ୍ଜାମ ହିଞ୍ଜିଳି ବ୍ଲକର ଜୟମଙ୍ଗଳ ଆନିକଟ । ବାଲିଡିହ ୧୯୧୨ ମସିହାରୁ ୩ହଜାର ୮୩୨ ହେକ୍ଟର ଜମିକୁ ଖରିଫରେ ଜଳସେଚିତ କରୁଥିବା ବେଳେ, ଶାମଖୁଣ୍ଟା ବ୍ଲକର ୪୯ ଗାଁର ୨୦୦ ହେକ୍ଟର ଜମିକୁ ରବିରେ ଜଳସେଚିତ କରୁଛି । ଏହା ସୁବର୍ଣ୍ଣରେଖା-ବୁଢାବଳଙ୍ଗ ବେସିନ ଓ ପଲପାଲା ସବ ବେସିନରେ ନିର୍ମାଣ ହୋଇଛି । ସେହିପରି ୧୯୦୧ ମସିହାରୁ ଋଷିକୂଲ୍ୟା ବେସିନରେ ନିର୍ମାଣ ହୋଇଥିବା ଜୟ ମଙ୍ଗଳ ଆନିକଟ ହିଞ୍ଜିଳିକାଟୁ, ହିଞ୍ଜିଳି ଅଧୀନରେ ଥିବା ପୁରୁଷୋତ୍ତମପୁର, ଛତ୍ରପୁର ବ୍ଲକ, ଖଲିକୋଟ ଓ ଛତ୍ରପୁର ବିଧାନସଭା କ୍ଷେତ୍ରରେ ଥିବା ୪୮ ଗାଁର ୭ ହଜାର ୩୫୦ ହେକ୍ଟର ଜମିରେ ଜଳସେଚନ କରୁଛି । ୧୦୦ବର୍ଷରୁ ଅଧିକ ସମୟ ଧରି ଏହି ଦୁଇ ପ୍ରକଳ୍ପ ସଫଳତା ସହ ସେବା ଯୋଗାଇ ଆସୁଛି ।