ଓଡ଼ିଶାରେ ସୌରଶକ୍ତିକୁ ବଳ ଦେବ ଟାଟା ପାୱାରର ତିରୁନେଲଭେଲି କାରଖାନା

0 79

ଭୁବନେଶ୍ୱର,: ଓଡ଼ିଶା ସରକାର ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାର ନେଇ ଭିଜନ୍ ୨୦୩୬ ଓ ୨୦୪୭ରେ ବିରାଟ ଅଭିଳାଷ ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଅଭିଯାନରେ ତାମିଲନାଡ଼ୁର ତିରୁନେଲଭେଲିଠାରେ ଥିବା ଟାଟା ପାୱାରର ମେଗା ଓ ଅତ୍ୟାଧୁନିକ ସୋଲାର୍ ସେଲ୍ ଓ ମଡ୍ୟୁଲ୍‌ ଉତ୍ପାଦନ କାରଖାନା ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଗୋଟିଏ ସ୍ଥାନରେ ସେର ଶକ୍ତି ଉପକରଣ ଉତ୍ପାଦନ କ୍ଷେତ୍ରରେ ଏହି କାରଖାନା ହେଉଛି ଭାରତର ସର୍ବବୃହତ୍ । ଉଭୟ ଟପକନ୍‌ ଓ ମନୋପର୍କ ପ୍ରଯୁକ୍ତିକୁ ଉପଯୋଗ କରି ସୌରଶକ୍ତି ଉତ୍ପାଦନର ପ୍ରମୁଖ ଉପକରଣ ସେଲ୍ ଓ ମଡ୍ୟୁଲ୍ ଉତ୍ପାଦନ କରାଯାଉଛି । ପ୍ରାୟ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ସ୍ଥାପନ ହୋଇଥିବା ଟାଟା ପାୱାର ସୋଲାର୍‌ ଲିମିଟେଡ୍‌ର ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୪.୩ ଗିଗାୱାଟ୍‌ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଇଞ୍ଜିନିୟରଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ମହିଳା । କମ୍ପାନୀ କାରଖାନାର ପାରିପାର୍ଶ୍ୱିକ ଅଞ୍ଚଳର ଲୋକମାନଙ୍କ ଅର୍ଥନେତିକ ଓ ସାମାଜିକ ବିକାଶ ପାଇଁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ଏଭଳି ସ୍ଥିତିରେ କମ୍ପାନୀ ଆସନ୍ତା ତିନି ବର୍ଷ ମଧ୍ୟରେ ୩ ଲକ୍ଷ ରୁଫଟପ୍‌ ସୋଲାର୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ପିଏମ୍ ସୂର୍ଯ୍ୟଘର ଯୋଜନା ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ଟାଟା ପାୱାର ଏହି କାର୍ଯ୍ୟକୁ ଆଗକୁ ନେଉଛି । ଗ୍ରାହକମାନେ ଯେଭଳି ସୁବିଧାରେ ରୁଫଟପ୍ ସୋଲାର ସଂଯୋଗ ନେଇପାରିବେ ଓ ସବ୍‌ସିଡିର ଲାଭ ପାଇପାରିବେ । ସେଥିପାଇଁ କମ୍ପାନୀ ପକ୍ଷରୁ ଯଥା ସମ୍ଭବ ସହଯୋଗ କରାଯାଉଛି । କମ୍ପାନୀ ସହଜ ଫାଇନାନ୍ସ ଜରିଆରେ ଗ୍ରାହକଙ୍କୁ ଏହି ସୁବିଧା ଦେଉଛି । ୧ କିଲୋୱାଟ୍ କ୍ଷମତା ପାଇଁ ସର୍ବନିମ୍ନ ୨୪୯୯ ଟଙ୍କା ଦେଇ ଲୋକମାନେ ରୁଫଟପ୍ ସୋଲାର୍‌ ସଂଯୋଗ ନେଇପାରିବେ । ସେଥିପାଇଁ କମ୍ପାନୀ \”ଘର୍ ଘର୍ ସୋଲାର୍‌\’ ଅଭିଯାନ ଭୁବନେଶ୍ୱରରୁ ଆରମ୍ଭ କରିଛି । ଏଥି ସହିତ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କୁ ୨୪ ଘଣ୍ଟିଆ ରକ୍ଷଣାବେକ୍ଷଣ ସୁବିଧା ଯୋଗାଇ ଦିଆଯିବ । ରାଜ୍ୟର ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ କୁଶଳୀ ମାନବ ସମ୍ବଳ ସୃଷ୍ଟି ଲାଗି ଟାଟା ପାୱାର୍‌ ପକ୍ଷରୁ ଚାରିଟି ଟାଟା ପାୱାର ଦକ୍ଷତା ବିକାଶ ପ୍ରତିଷ୍ଠାନ (ଟିପିଏସଡ଼ିଆଇ) ସ୍ଥାପନ କରୁଛି । ଏହି ପ୍ରତିଷ୍ଠାନଗୁଡ଼ିକ ଜରିଆରେ ଆଗାମୀ ବର୍ଷ ସୁଦ୍ଧା ୧୨
ହଜାର ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେବାର ଲକ୍ଷ୍ୟ ରହିଛି ।

Leave A Reply

Your email address will not be published.