ଓଡିଶା ସହ ୫ଟି ରାଜ୍ୟର ୩୯ଟି କୋଇଲା ଖଣିର ହେବ ନିଲାମ

39 coal mines of 5 states along with Odisha will be auctioned

0 171

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସ ୧୫ ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ କରିବ । ଏଥିରେ ଓଡିଶା ସମେତ ପାଞ୍ଚଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି । ଅନ୍ୟ ଚାରିଟି ରାଜ୍ୟ ହେଲା ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ । କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଏହି ସବୁ କୋଇଲା ଖଣିର ବ୍ୟାବସାୟିକ ନିଲାମ କରାଯିବ । ସୂଚନାଯୋଗ୍ୟ ଯେ ଦେଶର କୋଇଲା ଖଣିଗୁଡିକରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ପରିବହନ ପ୍ରକ୍ରିୟା ୨୦୨୦ରେ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକ୍ରିୟାରେ ୨୦୨୦ ଜୁନ ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ଖଣି ନିଲାମର ଶୁଭାରମ୍ଭ କରିଥିଲେ । ତା ପରଠାରୁ କୋଇଲା ମନ୍ତ୍ରଣାଳୟ ସାତ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରେ ଥିବା କୋଇଲା ଖଣି ଗୁଡିକର ବ୍ୟବସାୟିକ ନିଲାମ କାର୍ଯ୍ୟ ଶେଷ କରିଛନ୍ତି । ସଫଳ ନିଲାମଧାରୀ ଏହିସବୁ ଖଣିରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ପାଦନ କରୁଛନ୍ତି । ଏହି ସାତ ପର୍ଯ୍ୟାୟରେ ଦେଶର ୯୧ଟି କୋଇଲା ଖଣିକୁ ନିଲାମ ଦିଆଯାଇଛି । ଏସବୁ ଖଣିରୁ ବାର୍ଷିକ ସର୍ବୋଚ୍ଚ ୨୨୧ ନିୟୁତ ଟନ୍‌ କୋଇଲା ଉତ୍ତୋଳିତ ହେଉଛି । ସରକାର ଖଣିଜ ଆଇନର ସଂଶୋଧନ କରିବା ଫଳରେ କୋଇଲା କ୍ଷେତ୍ରରେ ଖଣିର ବ୍ୟାବସାୟିକ ନିଲାମ ପ୍ରକ୍ରିୟା ସହଜ ହୋଇଛି । ଏହା ଫଳରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାମାନେ ନିଲାମରେ ଭାଗ ନେଇ ଖଣିରୁ କୋଇଲା ଉତ୍ତୋଳନ ଅଧିକାର ପାଉଛନ୍ତି । ଏହି ପ୍ରକ୍ରିୟାରେ ଦେଶରେ କୋଇଲା ଉତ୍ପାଦନ ବଢିଛି ଏବଂ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ସରକାର ଉଦ୍ୟମ ଅବ୍ୟାହତ ରଖୁଛନ୍ତି । ଏହି ନିଲାମ ଓ ଉତ୍ତୋଳନ /ଖନନ ପ୍ରକ୍ରିୟାରେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ସେମାନଙ୍କୁ ସରକାର ଏହି ନିଲାମ ମାଧ୍ୟମରେ କୋଇଲାର ନିଜସ୍ୱ ବ୍ୟବହାର, ବିକ୍ରିବଟା ଓ ଅନ୍ୟାନ୍ୟ ଉପଯୋଗ ନିମନ୍ତେ ଅନୁମତି (ପରମିଟ୍‌) ପ୍ରଦାନ କରୁଛନ୍ତି । ବ୍ୟାବସାୟିକ କୋଇଲା ଖନନ ଦ୍ୱାରା ବିଭିନ୍ନ ପ୍ରକାର ଲାଭ ମିଳୁଛି । ଏହା ଫଳରେ ଏ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବା ସହିତ ସରକାରଙ୍କ ରାଜସ୍ୱ ବଢୁଛି । ସର୍ବୋପରି ଘରୋଇ ସହଯୋଗରେ ଦେଶର କୋଇଲା ଯୋଗାଣ ବୃଦ୍ଧି ପାଉଛି । ଆହୁରି ମଧ୍ୟ ଏଭଳି ନିଲାମ ଫଳରେ କୋଇଲା ଖଣି ସମୃଦ୍ଧ ରାଜ୍ୟ ଗୁଡିକର ରାଜସ୍ୱବୃଦ୍ଧି ପାଉଛି । ସେମାନେ ଉତ୍ତୋଳିତ ହେଉଥିବା କୋଇଲା ଉପରେ ରୟାଲଟି ବା ରାଜଭାଗ ପାଉଛନ୍ତି । ରାଜସ୍ୱ ବୃଦ୍ଧି ଫଳରେ ଆଞ୍ଚଳିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ଏହା ଦ୍ୱାରା ଅଧିକ ଲୋକଙ୍କୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ତଥା ରୋଜଗାର ସୁବିଧା ମିଳୁଛି । ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣିରେ ବ୍ୟାବସାୟିକ ନିଲାମ ପ୍ରକ୍ରିୟା କୋଇଲା ମନ୍ତ୍ରଣାଳୟର ପୂର୍ବ ବର୍ଗୀ ସଫଳ ନିଲାମର ଏକ ପରିବର୍ଦ୍ଧିତ ପଦକ୍ଷେପ । ଏହି କ୍ଷେତ୍ରକୁ ଆଗକୁ ବଢାଇ ଏହାର ଆୟ ବୃଦ୍ଧି କରିବାକୁ ମନ୍ତ୍ରଣାଳୟ ଅଙ୍ଗୀକାରବଦ୍ଧ ହୋଇ କାମ କରୁଛି । ଅଷ୍ଟମ ପର୍ଯ୍ୟାୟରେ ଓଡିଶା ସମେତ ପାଞ୍ଚୋଟି ରାଜ୍ୟର ମୋର ୩୯ଟି ଖଣି ନିଲାମ ହେବାକୁ ଥିବା ବେଳେ ବାସ୍ତବରେ ନୂଆ କରି ୩୫ଟି ଖଣିକୁ ନିଲାମ ଦିଆଯିବ । ଅବଶିଷ୍ଟ ୪ଟି ଖଣି ଯାହା ସପ୍ତମ ପର୍ଯ୍ୟାୟରେ ନିଲାମ ହୋଇପାରି ନ ଥିଲା ତାହାକୁ ଦ୍ୱିତୀୟ ଥର ନିଲାମ ପାଇଁ ବୋଲିରେ ଲଗାଯିବ । ଏହି ନୂଆ ୩୫ଖଣି ମଧ୍ୟରୁ ୧୧ଟି ଖଣି ସିଏମ୍‌ ଏସ୍‌) ଆଇନ ୨୦୧୫, ୨୪ଟି ଏମ୍‌ଏମ୍‌ଡିଆର ଆଇନ ୧୯୫୭ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୪ଟି ଖଣି ଉତ୍ତୋଳନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଅଛି ।

Leave A Reply

Your email address will not be published.