କାଞ୍ଜିପାଣି ଘାଟିରେ ମାଟି ଅତଡା ଧସି ଯାତାୟତ ବ୍ୟାହତ

Landslide at Kanjipani pass disrupts traffic

0 65

କେନ୍ଦୁଝର,: କେନ୍ଦୁଝର ଜିଲ୍ଲାରେ ଗତ ୩ଦିନ ହେବ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ପାଶ୍ୱର୍ ପାହାଡରୁ ମାଟି ଓ ପଥର ଅତଡା ଖସି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶନିବାର ରାତି ପ୍ରାୟ ୧୨ଟାରେ ଜାତୀୟ ରାଜପଥ ୪୯ର କାଞ୍ଜିପାଣି ଘାଟିରେ ପାହାଡରୁ ମାଟି ଅତଡା ଧସିବା ଫଳରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପ୍ରାୟ ୬ଫୁଟ ଉଚ୍ଚତାର ମାଟି ରାସ୍ତା ଉପରେ ଜମା ହୋଇ ରହିଛି । ବଲାଣିରୁ ରାଉଲକେଲା ଯାଉଥିବା ଏକ ଯାତ୍ରୀବାହୀ ବସ ପ୍ରାୟ ୪ ଘଣ୍ଟା ଫସି ରହିବା ପରେ ଏନଏଚ୍‌ଏଆଇ ପକ୍ଷରୁ ଜେସିବି ମେସିନ ଦ୍ୱାରା ମାଟି ଏବଂ ଗଛ ସଫେଇ କରାଯିବା ପରେ ବସିଟି ଗନ୍ତବ୍ୟ ସ୍ଥଳକୁ ଯାଇଥିଲା । ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଗାଡି, ଟ୍ରକ ଓ ଛୋଟ ଯାନାବାହାନ ରାତିତମାମ ଅଟକି ରହିଥିଲା । ଏନ୍‌ଏଚ୍‌ଏଆଇ ପକ୍ଷରୁ କେନ୍ଦୁଝରରୁ ଜଗମୋହନପୁର ଗୋଟିଏ ପାଶ୍ୱର୍ ସଫେଇ କରାଯିବା ପରେ ଗାଡି ଚଳାଚଳ ଆରମ୍ଭ ହୋଇଥିଲା । ଗୋଟିଏ ପାଶ୍ୱର୍ ରାସ୍ତାରେ ଉଭୟ ପାଶ୍ୱର୍ର ଗାଡି ଚଳାଚଳ କରୁଥିବାରୁ ଟ୍ରାଫିକ ଜାମ ରହୁଛି । ତେବେ ରବିବାର ରାତି ସୁଦ୍ଧା ଅନ୍ୟପଟ ରାସ୍ତା ଉପରେ ଜମି ଥିବା ମାଟିକୁ ଉଠାଯାଇ ଯାତାୟତ ସ୍ୱାଭାବିକ କରାଯିବ ବୋଲି ଏନଏଚଏଆଇ ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି । ସେହିପରି ଜାତୀୟ ରାଜପଥ ୪୯ର ଜୁଡିଆ ଘାଟି ରାସ୍ତା ପାଶ୍ୱର୍ ପାହାଡରୁ ରବିବାର ଭୋର ସମୟରେ ୨ଟି ବଡ ପଥର ଖସି ଗାଡି ଚଳାଚଳ ବ୍ୟାଘାତ ହୋଇଥିଲା । ଏନ୍‌ଏଚ୍‌ଏଆଇ ପକ୍ଷରୁ ପଥର ହଟାଯିବା ପରେ ଗାଡି ଚଳାଚଳ କରିଥିଲା । ଜାତୀୟ ରାଜପଥ ୪୯ର କେନ୍ଦୁଝର ପଟୁ ସମ୍ବଲପୁର ଆଡକୁ ଯାଇଥିବା ରାସ୍ତାର ପୌରାଞ୍ଚଳ ସୀମାରେ ରହିଛି ଜୁଡିଆ ଘାଟି । ଏହି ଘାଟିଟି ପୂର୍ବରୁ ଅଣଓସାରିଆ ଥିଲା । ତାକୁ ଚାରିଲେନ ବିଶିଷ୍ଟ ରାସ୍ତା କରାଯାଇଛି । ଲଗାଣ ବର୍ଷା ହେଲେ ଜୁଡିଆ ଘାଟିରେ ଅନେକ ସମୟରେ ଭୁସ୍ଖଳନ ହେଉଛି । ଘାଟି ତଳ ମୁଣ୍ଡ ରାସ୍ତା ଓ ଗାର୍ଡୱାଲ ଥିଲେ ମଧ୍ୟ ବଡ ବଡ ପଥର ଖଣ୍ଡ ଖସୁଛି । ଏହି ଘାଟି ଦେଇ ପ୍ରତ୍ୟହ ହଜାର ହଜାର ଗାଡିମଟର ଚଳପ୍ରଚଳ କରୁଛି । ସାମାନ୍ୟ ଅସାବଧାନତା ଦୁର୍ଘଟଣାକୁ ଆମନ୍ତ୍ରଣ କଲା ଭଳି ପରିସ୍ଥିତି ସୃଷ୍ଟି କରୁଛି । ତେବେ ଏହି ଭୁସ୍ଖଳନରେ କୌଣସି ଅଘଟଣ ଘଟିନାହିଁ ।

Leave A Reply

Your email address will not be published.