ନୂଆଦିଲ୍ଲୀ, : ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ୍ ପରେ ମଙ୍ଗଳବାର କାନାଡ଼ାରେ ପହଞ୍ଚିଛନ୍ତି । ଦୁଇଦିନିଆ ୫୧ତମ ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ କାନାଡ଼ାରେ ପହଞ୍ଚିଛନ୍ତି ମୋଦି । କାଲଗେରୀ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଜି-୭ ଶିଖର ସମ୍ମିଳନୀ ହେବ । ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କରିବେ ମୋଦି । ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ ଉପରେ ବିଶ୍ୱର ନଜର ରହିଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ରବିବାର ପ୍ରଥମେ ସାଇପ୍ରସ୍ ଗସ୍ତ କରିଥିଲେ । ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜେପୟୀଙ୍କ ପରେ ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ସାଇପ୍ରସ୍ ଗସ୍ତ କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ସୁରକ୍ଷା, ଟେକ୍ନୋଲୋଜି ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ସାଇପ୍ରସ୍ ଗସ୍ତ ସାରି ମୋଦି ମଙ୍ଗଳବାର କାନାଡ଼ାରେ ପହଞ୍ଚିଛନ୍ତି । ମଙ୍ଗଳବାର ଓ ବୁଧବାର କାନାଡା ଆଲବର୍ଟା ପ୍ରଦେଶର କାନାନାସ୍କିସ୍ ଠାରେ ଜି-୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଗତ ୬ ତାରିଖରେ ମୋଦିଙ୍କୁ ଫୋନ୍ କରି ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିଲେ । କାନାଡ଼ା ଗସ୍ତ ସାରି ଜୁନ ୧୮ରେ ଅର୍ଥାତ ବୁଧବାର ମୋଦି କ୍ରୋଏସିଆ ଯିବେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କ୍ରୋଏସିଆ ଗସ୍ତ ହେବ । ରାଜଧାନୀ ଜାଗ୍ରେବରେ ମୋଦି କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ପ୍ଲେଙ୍କୋଭିଚ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ । ସେଠାକାର ରାଷ୍ଟ୍ରପତି ଜୋରାନ ମଲେନୋଭିଚଙ୍କୁ ମଧ୍ୟ ମୋଦି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।