ଖୋଲିଲା ହୀରାକୁଦ ଗେଟ୍‌, ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

0 87

ସମ୍ବଲପୁର, : ହୀରାକୁଦ ଜଳଭଣ୍ଡାରରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମେ ୭ ନମ୍ବର ଗେଟ୍ ଦେଇ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବା ପରେ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୦ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱର ୧୩ଟି ଗେଟ୍‌ ଏବଂ ଡାହାଣ ପାଶ୍ୱର ୭ଟି ଗେଟ୍‌ ଖୋଲାଯାଇଛି । ଗେଟ୍ ଖୋଲିବା ପରେ ତଳିଆ ଅଞ୍ଚଳ ଲୋକଙ୍କ ସହ ୧୩ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଏନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ରବିବାର ସକାଳ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୯.୦୬ ଫୁଟ୍‌ ରହିଥିଲା । ଜଳ ଭଣ୍ଡାର କର୍ତ୍ତୃପକ୍ଷଙ୍କ ସୂଚନା, ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୧ ହଜାର ଘନଫୁଟ ବନ୍ୟାଜଳ, ବର୍ତ୍ତମାନ ୬୦୯.୫୪ ଫୁଟରେ ପହଞ୍ଚିଲାଣି ଜଳସ୍ତର । ସୂଚନାଅନୁସାରେ ଗତ କିଛି ଦିନ ହେବ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଉପରମୁଣ୍ଡରେ ବର୍ଷା ଓ ଛତିଶଗଡ଼ର କଲମା ବ୍ୟାରେଜର ସମସ୍ତ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବାରୁ ହୀରାକୁଦ ଫୁଲିବାରେ ସାଧାରଣତଃ ଜୁଲାଇ ୩୧ ସୁଦ୍ଧା ହୀରାକୁଦର ଜଳସ୍ତର ୬୦୫ ଫୁଟ୍ ପାଖାପାଖି ରହିଥାଏ । କିନ୍ତୁ ଶନିବାରଠାରୁ ନଦୀବନ୍ଧର ଜଳସ୍ତର ଏହି ସୀମା ଡେଇଁଯାଇଛି । ଶନିବାର ଜଳଭଣ୍ଡାରକୁ ସେକେଣ୍ଡ୍ ପିଛା ୧୨୨୮୫୨ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ପାୱାର ଚ୍ୟାନେଲ, ଶିଳ୍ପାନୁଷ୍ଠାନ, କେନାଲ ଆଦି ଦେଇ ୩୭୭୯୩ ଘନଫୁଟ ଜଳ ନିଷ୍କାସିତ ହେଉଥିଲା । ପାୱାର ଚ୍ୟାନେଲ ଦେଇ ୩୪୪୯୧ ଘନଫୁଟ, ଶିଳ୍ପାନୁଷ୍ଠାନ ପାଇଁ ୨୩୪ ଘନଫୁଟ, କେନାଲ ପାଇଁ ୩୦୬୮ ଘନଫୁଟ ଜଳ ନିଷ୍କାସିତ ହେଉଛି । ସମ୍ପ୍ରତି ସ୍ପିଲୱେ ଦେଇ କୌଣସି ଜଳ ନିଷ୍କାସିତ ହେଉନାହିଁ । ଅନ୍ୟପକ୍ଷରେ, ତଳମୁଣ୍ଡରେ ବେଲଗାଁଠାରେ ୧୨୦୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ପଥର୍ଲାଠାରେ ୩୯୫୧୬କ୍ୟୁସେକ, ଖଇରମାଲଠାରେ ୮୬୦୦୦ କ୍ୟୁସେକ, ବାରମୁଲଠାରେ ୯୦୦୦୦ କ୍ୟୁସେକ ଏବଂ ମୁଣ୍ଡଳୀଠାରେ ୧୩୮୧୩୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ହୀରାକୁଦ ମୁଖ୍ୟ ନଦୀବନ୍ଧ ସୂତ୍ରରୁ ପ୍ରକାଶ । ଗତ ୨୪ଘଣ୍ଟାରେ ଉପରମୁଣ୍ଡରେ ୧୦.୪୯ ମିମି ଏବଂ ତଳମୁଣ୍ଡରେ ୭.୬୪ ମିମି ବର୍ଷା ହୋଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ହୀରାକୁଦ ନଦୀବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ । ହୀରାକୁଦ ନଦୀବନ୍ଧରେ ୬୪ଟି ସ୍ଲୁଇସ ଫାଟକ ଓ ୩୪ଟି କ୍ରେଷ୍ଟ ଫାଟକ ସହ ମୋଟ ୯୮ଟି ନିଷ୍କାସନ ଫାଟକ ରହିଛି । ଏହା ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥାଏ ।

Leave A Reply

Your email address will not be published.