ବାଲେଶ୍ୱର, ୧୨ା୭ : ବାଲେଶ୍ୱରରେ ଏଫ୍ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଜୁକେଶନ ବିଭାଗ ମୁଖ୍ୟ ତଥା ଆସିଷ୍ଟାଣ୍ଟ ପ୍ରଫେସ ସମୀର ସାହୁଙ୍କୁ ଗିରଫ କରି କୋର୍ଟ ·ଲାଣ କରିଛି ପୋଲିସ । ସେ ଛାତ୍ରୀ ଜଣଙ୍କୁ ମାନସିକ ନିର୍ଯାତନା ଦେବା ସହିତ ଫେବର ମାଗୁଥିଲେ ବୋଲି ଅଭିଯୋଗ ହୋଇଛି । କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ହେଁ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବା ଯୋଗୁ ଶନିବାର ସେ କଲେଜରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଏସପି କହିଛନ୍ତି, ସବୁ ଦିଗରୁ ତଦନ୍ତ ଚାଲିଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । କଲେଜର ଇଣ୍ଟରନାଲ୍ କମିଟି କ’ଣ ନିଷ୍ପତ୍ତି ନେଇଥିଲା, ତା’ର ତର୍ଜମା ଚାଲିଛି । ଯାହାର ବି ତ୍ରୁଟି ସାମ୍ନାକୁ ଆସିବ, କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିଲମ୍ବନ କରିଛି । ତାଙ୍କ ସହିତ ଏଫ୍ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି ସରକାର । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଜାରି କରାଯାଇଛି । ଗୋଟିଏ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି, କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଉପଯୁକ୍ତ ଢଙ୍ଗରେ ପରି·ଳନା କରିପାରିନଥିବା ସରକାର ଅନୁଭବ କରିଛନ୍ତି । ଏପରିକି କଲେଜ ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ମଧ୍ୟ ତୁଲାଇବାରେ ଶ୍ରୀ ଘୋଷ ବିଫଳ ହୋଇଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ହେଡକ୍ୱାର୍ଟର ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିବ । ଜିଲ୍ଲାପାଳଙ୍କ ଅନୁମତି ବିନା ସେ ହେଡକ୍ୱାର୍ଟର ଛାଡ଼ିପାରିବେ ନାହିଁ । ସେହିପରି ଅନ୍ୟ ଏକ ନିର୍ଦ୍ଦେଶରେ ଏଜୁକେସନ୍ ବିଭାଗର ମୁଖ୍ୟ ତଥା ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି । ତେବେ ଏହି ଘଟଣାକୁ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏହା ଅତ୍ୟନ୍ତ ଗମ୍ଭୀର ସମସ୍ୟା । କିଛି ଲୋକଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଘଟିଲା । ଏହି ସମସ୍ୟା ନେଇ କିଛି ଦିନ ତଳେ ଛାତ୍ରୀ ଜଣଙ୍କ ମୋ ପାଖକୁ ଆସିଥିଲେ । ମୁଁ କଲେଜ ଅଧ୍ୟକ୍ଷଙ୍କୁ ଏ ବାବଦରେ ପଚାରିଥିଲି । ଇଣ୍ଟରନାଲ କମିଟି ବାବଦରେ ସେ ମୋତେ କହିଥିଲେ । କିନ୍ତୁ କମିଟି ରିପୋର୍ଟରେ କେବଳ ସମୀରଙ୍କ ଗୁଣଗାନ କରାଯାଇଛି । କମିଟି ରିପୋର୍ଟକୁ ସମୀର ଚାଳିଶା କହି ତାତ୍ସଲ୍ୟ କରିଛନ୍ତି ସାଂସଦ ଷଡ଼ଙ୍ଗୀ । ଏଜଓଡି ସମୀର ସାହୁଙ୍କୁ ଫେବର କରିବାକୁ ଚେଷ୍ଟା କରାଯାଇଛି ବୋଲି ସାଂସଦ କହିଛନ୍ତି । ସେହିପରି ବାଲେଶ୍ୱରର ଏଫଏମ ସ୍ୱୟଂଶାସିତ କଲେଜର ଦ୍ୱିତୀୟ ବର୍ଷର ଏହି ଇଣ୍ଟିଗ୍ରେଟେଡ୍ ବିଏଡ୍ର ଛାତ୍ରୀ ଜଣଙ୍କ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଗତ ୧ ତାରିଖରେ ଦେଇଥିବା ଲିଖିତ ଅଭିଯୋଗରେ ଉଲ୍ଲେଖ କରିଥିଲେ,ଏଚ୍ଓଡି ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁ ମୋତେ ମାନସିକ ନିର୍ଯାତନା ଦେବା ସହିତ ଅପମାନିତ କରି ଚାଲିଛନ୍ତି । ଶ୍ରେଣୀ ଗୃହରେ ବ୍ୟାକ୍ ଲଗାଇ ଦେବାକୁ ଧମକ ଦେଉଛନ୍ତି । ୬ ବର୍ଷ ବସେଇ ଦେବା ପାଇଁ ସିଧା ଧମକ ଦେଉଛନ୍ତି । ତା’ସହିତ ଅସଦାଚରଣ କରୁଛନ୍ତି । ମୋ ବ୍ୟକ୍ତିଗତ କଥାକୁ ମୋ ଘରକୁ ଜଣାଉଛନ୍ତି । ସବୁଠୁ ବଡ଼ କଥା ହେଉଛି ସେ ମୋ ସହିତ ଶାରୀରିକ ସଂପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ମୁଁ ମନା କରିଥିଲି । ତା’ପରେ ସେ ମୋ ସହିତ ଦୁର୍ବ୍ୟବହାର କରି ଚାଲିଛନ୍ତି । ତେଣୁ ମୁଁ ମାନସିକ ଚାପଗ୍ରସ୍ତ ହୋଇ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି । ଯଦି ଘଟଣାର ତର୍ଜମା/ତଦନ୍ତ କଲେଜ କର୍ତ୍ତୃପକ୍ଷ ନ କରିବେ ଓ ମୋତେ ନ୍ୟାୟ ନ ଦେବେ, ତା’ହେଲେ ମୁଁ ଆତ୍ମହତ୍ୟା କରିବି । ଆଉ ଏସବୁ ପାଇଁ ଏଚ୍ଓଡି ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ ।