ଜିଲ୍ଲାପାଳଙ୍କ ଦଶରଥପୁର ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ ସହ ବନ୍ୟା ସ୍ଥିତିର ସମୀକ୍ଷା

District Collector visits forest areas of Dasharathpur block and reviews flood situation

0 31

ଯାଜପୁର, 29/7: ଯାଜପୁରର ନୂତନ ଜିଲ୍ଲାପାଳ ଅମ୍ବର କୁମାର କର ବନ୍ୟା ପ୍ରଭାବିତ ଦଶରଥପୁର ବ୍ଲକ ପଛପଡ଼ା, କଷପା, ବ୍ରହ୍ମଚାରୀପାଟଣା ଆଦି ଗାଁ ଗସ୍ତ କରି ସ୍ଥିତି ସମୀକ୍ଷା କରିବା ସହିତ କାଣୀ ନଦୀ ବନ୍ଧ ଘଳିଆ ମରାମତି କାର୍ଯ୍ୟର ସମୀକ୍ଷା କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧ ମରାମତି କାର୍ଯ୍ୟ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ବନ୍ୟା ବିପନ୍ନମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ପରେ ଆଭାସୀ ମାଧ୍ୟମରେ ସମସ୍ତ ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗ ଅଧିକାରୀମାନଙ୍କ ସହିତ ବନ୍ୟା ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ସମସ୍ତ ବନ୍ୟା ପ୍ଲାବିତ ଅଞ୍ଚଳରେ ଜଳ ଉତ୍ସ ଗୁଡିକୁ ତୁରନ୍ତ ବିଶୁଧିକରଣ କରିବାକୁ ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଅଞ୍ଚଳରେ ବିଶୁଧିକରଣ ହୋଇନାହିଁ ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇଦେବେ । ସମସ୍ତ ବିଡ଼ିଓ, ତହସିଲଦାର ଓ ଜଳସେଚନ ଯନ୍ତ୍ରୀ ମିଳିତ ଭାବେ ନଦୀବନ୍ଧ ପରିଦର୍ଶନ କରି ଦୁର୍ବଳ ନଦୀବନ୍ଧ, ପୂର୍ବରୁ ହୋଇଥିବା ଘାଇ ଓ ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ କରି ତୁରନ୍ତ ମରାମତି ଓ ଦୃଢ଼ୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମେଡିକାଲ ୟୁନିଟ ମାଧ୍ୟମରେ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକୀୟ ଗୋଖାଦ୍ୟ ଯୋଗାଇବା ସହିତ ଗୋରୁ ଗାଈଙ୍କ ଚିକିତ୍ସା କରିବେ । ବନ୍ୟାଞ୍ଚଳରେ ବନ୍ୟା ଜଳ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଫସଲ, ମସ୍ତ୍ୟ ଯାଅଁୟଳ, ଉଦ୍ୟାନ କୃଷି ଆଦି ସର୍ଭେ କରି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାଜପୁର ଓ ଦଶରଥପୁର ଦୁଇଟି ବ୍ଲକର ୧୩ଟି ପଞ୍ଚାୟତ, ୨୪ଟି ଗାଁ ପ୍ରଭାବିତ ହୋଇଛି । ୬୫୯୪ ଲୋକ ପ୍ରଭାବିତ ହୋଇଥିବା ବେଳେ ୬୯୨ ଜଣ ଲୋକଙ୍କୁ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ତିନିଟି ରିଲିଫ ସେଣ୍ଟର୍ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଚାରୋଟି ମେଡିକାଲ ଟିମ୍ ଓ ଗୋଟିଏ ଭେଟେରୀନାରୀ ଟିମ୍ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ୪୭୦ ଓଆରଏସ ଏବଂ ୩୨୦୦ ହଲୋଜେନ ଟାବଲେଟ ବଣ୍ଟନ କରାଯାଇଛି । ଦଶରଥପୁର ବ୍ଲକର ଚାନ୍ଦକୁଦ ଗ୍ରାମର ସନ୍ତୋଷ ଜେନା ବନ୍ୟା ଯୋଗେ ବୈତରଣୀ ନଦୀର ବାଲିଯାତ୍ରା ଘାଟରେ ଗାଧୋଇବା ସମୟରେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ପ୍ରଶାସନ ଯୁଧିଷ୍ଠିର ନାୟକ, ସିଡ଼ିଓ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ।ପସ ରଞ୍ଜନ ଦେହୁରୀ, ଜଳସମ୍ପଦ ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ବିଡ଼ିଓ, ତହସିଲଦାର, କ୍ଷେତ୍ରୀୟ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.