ଟ୍ରମ୍ପଙ୍କ ଶୁଳ୍କ ଚଡ଼କ: ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନି ୭୦ପ୍ରତିଶତ କମିବ

0 91

ଭୁବନେଶ୍ୱର, : ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ । ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ । ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା ଆମେରିକା ବଜାରକୁ ରପ୍ତାନି କରିଥାଏ । ଏହି ରପ୍ତାନି ଓଡ଼ିଶା ପାଇଁ ବିଦେଶୀ ମୁଦ୍ରା ଉପାର୍ଜନର ସୁଯୋଗ ଆଣିଥାଏ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦
ପ୍ରତିଶତ ଶୁଳ୍କ ଘୋଷଣା କରିବା ପରେ ଉଭୟ ଚିଙ୍ଗୁଡ଼ି ରପ୍ତାନିକାରୀ ଓ ଚାଷୀମାନଙ୍କ ଚିନ୍ତା ବଢ଼ିଯାଇଛି । କାରଣ ଏତେ ଚଢ଼ା ଶୁଳ୍କରେ ଆମେରିକାରେ ବ୍ୟବସାୟ କରିବା ରପ୍ତାନିକାରୀଙ୍କ ପାଇଁ ସମ୍ଭବ ନୁହେଁ । ଓଡ଼ିଶାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ କରାଯାଉଥିବା ସମୁଦାୟ ରପ୍ତାନିରେ ଚିଙ୍ଗୁଡ଼ିର ଯୋଗଦାନ ସିଂହଭାଗ ହୋଇଥିବାରୁ ରାଜ୍ୟ ଏ ବାବଦରେ ବଡ଼ଧରଣର କ୍ଷତି ସହିବ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇକ୍ୱେଡର ଉପରେ ୧୫ ପ୍ରତିଶତ ଏବଂ ଇଣ୍ଡୋନେସିଆ ଉପରେ ୧୯ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଚିଙ୍ଗୁଡ଼ି ଏବଂ ସାମୁଦ୍ରିକ ଖାଦ୍ୟ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ବଜାରରେ ଏମାନେ ଭାରତର ବଡ଼ ପ୍ରତିଯୋଗୀ ରାଷ୍ଟ୍ର । ତେଣୁ ଶୁଳ୍କରେ ଥିବା ଏତେବଡ଼ ପାର୍ଥକ୍ୟ କାରଣରୁ ଉପରୋକ୍ତ ଦେଶ ସହିତ ଓଡ଼ିଶା ଏବଂ ଭାରତର ଚିଙ୍ଗୁଡ଼ି ରପ୍ତାନିକାରୀମାନେ ପ୍ରତିଯୋଗିତା କରିବା ସମ୍ଭବ ନୁହେଁ । ୫୦ ପ୍ରତିଶତ ଅଧିକ ଶୁଳ୍କରେ ବି ଆମେରିକାର ଗ୍ରାହକମାନେ ଓଡ଼ିଶା କିମ୍ବା ଭାରତର ଚିଙ୍ଗିଡ଼ି କିଣିବେ ନାହିଁ । କେବଳ ରପ୍ତାନିକାରୀମାନେ ନୁହଁନ୍ତି, ଓଡ଼ିଶାର ୧୦ ହଜାରରୁ ଅଧିକ ଚିଙ୍ଗୁଡ଼ି ଚାଷୀଙ୍କ ଜୀବିକା ପ୍ରଭାବିତ ହେବ । କାରଣ ଓଡ଼ିଶାରେ ଯେଉଁ ଚିଙ୍ଗୁଡ଼ି ଚାଷ ହୋଇଥାଏ ତାହା ମୁଖ୍ୟତଃ ରପ୍ତାନି ପାଇଁ କରାଯାଇଥାଏ । ଏଥିସହିତ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଜୀବିକା ମଧ୍ୟ ବାଧାପ୍ରାପ୍ତ ହେବ । ବଜାର ବିଶ୍ଳେଷକଙ୍କ କହିବାନୁଯାୟୀ, ରପ୍ତାନିକାରୀମାନେ ଆମେରିକାରୁ ଅର୍ଡର ରଖିବା ବନ୍ଦ କରିଦେଇଛନ୍ତି । କାରଣ ଚଢ଼ା ଶୁଳ୍କରେ ସେଠାରେ ସାମଗ୍ରୀ ବିକିବା ସହଜ ନୁହେଁ । ଫାଲକନ୍ ଗ୍ରୁପ୍‌ର ନିର୍ଦ୍ଦେଶିକା ପ୍ରିୟଙ୍କା ମହାନ୍ତିଙ୍କ କହିବାନୁଯାୟୀ, ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ନ ହେବା ପର୍ଯ୍ୟନ୍ତ ରପ୍ତାନିକାରୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ବାଣିଜ୍ୟ ରାଜିନାମାରେ ଯଦି କିଛି ଅଗ୍ରଗତି ହୁଏ ଏବଂ ଅନ୍ୟ ଦେଶ ପାଇଁ ଟ୍ରମ୍ପ ଯେଭଳି ଶୁଳ୍କରେ ସଂଶୋଧନ ଆଣୁଛନ୍ତି ଭାରତ ପାଇଁ ଯଦି ସେଭଳି କିଛି କରନ୍ତି ତା\’ହେଲେ ଆମେରିକାକୁ ଓଡ଼ିଶାର ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି ହୋଇପାରିବ । ନଚେତ୍ ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ଉପରେ ବଡ଼ଧରଣର ପ୍ରଭାବ ପଡ଼ିବ । ଉଲ୍ଲେଖଯୋଗ୍ୟ, ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ବାଣିଜ୍ୟ ରାଜିନାମା ନେଇ ୫ଟି ପର୍ଯ୍ୟାୟ ଆଲୋଚନା ହୋଇସାରିଲାଣି । କିନ୍ତୁ କେଣସି ନିଷ୍କର୍ସ ବାହାରି ପାରିନାହିଁ । ଷଷ୍ଠ ପର୍ଯ୍ୟାୟ ଆଲୋଚନା ଚଳିତମାସରେ ନୂଆଦିଲ୍ଲୀରେ ହେବ ।

Leave A Reply

Your email address will not be published.