ଡିଏମ୍‌ଏଫ୍ ପାଣ୍ଠି ସଂଗ୍ରହରେ ଓଡ଼ିଶା ପ୍ରଥମ

0 27

ଭୁବନେଶ୍ୱର, : ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ସଂଗ୍ରହରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଚଳିତ ବର୍ଷ ଏପ୍ରିଲ୍ ୨୫ ସୁଦ୍ଧା ୧,୦୮,୨୧୨.୪୨ କୋଟି ଟଙ୍କାର ଡିଏମ୍‌ଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିଲା । ସେଥିରୁ କେବଳ ଓଡ଼ିଶା ୩୧,୩୨୪ କୋଟି ଟଙ୍କା ସଂଗ୍ରହ କରିଛି । ଫଳରେ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ଶୀର୍ଷରେ ରହିଛି । କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଜାତୀୟ ସ୍ତରୀୟ କର୍ମଶାଳାରେ ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକୋଇ) କାର୍ଯ୍ୟକାରୀ କରି ଡିଏମ୍‌ଏଫ୍‌ର ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ପ୍ରଦ୍ୟୁମ୍ନ କୁମାର ମହାକୁଡ଼ ପ୍ରଶଂସା ପତ୍ର ଗ୍ରହଣ କରିବା ସହ ସମ୍ବର୍ଦ୍ଧିତ ହୋଇଥିଲେ । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡି ମଧ୍ୟ ଓଡ଼ିଶାକୁ ପ୍ରଶଂସା କରିଥିଲେ । ଏହି ଅବସରରେ କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ କେନ୍ଦ୍ର ଖଣି ସଚିବ ସଚିବ ଏଲ୍ କାନ୍ଥା ରାଓ ଉପସ୍ଥିତ ଥିଲେ । କେନ୍ଦୁଝର ସମେତ ୪ଟି ଜିଲ୍ଲାର ଜିଲ୍ଲାପାଳ ଡିଏମ୍‌ଏଫ୍ ପାଣ୍ଠି ସଂଗ୍ରହ ଓ ଉପଯୋଗିତାରେ କିଭଳି ସ୍ୱଚ୍ଛତା ବଜାୟ ରଖାଯାଉଛି, ତାହା ଜଣାଇଥିଲେ । କର୍ମଶାଳାରେ ଏକ କଫିଟେବୁଲ୍ ବୁକ୍ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ରାଜ୍ୟରୁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନୂଆଦିଲ୍ଲୀସ୍ଥିତ ଜନପଥ ଠାରେ ଆୟୋଜିତ ହାଣ୍ଡଲୁମ ହାଟରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ଦେଶର ୨୩ଟି ରାଜ୍ୟର ୬୪୬ଟି ଜିଲ୍ଲାରେ ଡିଏମଏଫ୍‌ ପ୍ରତିଷ୍ଠା କରାଯାଇଛି । ଡିଏମଏଫ୍ ପାଣ୍ଠି ସ୍ଥାପନରେ ଏହା ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରିଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନାରେ ଡିଏମ୍‌ଏଫ୍ ପାଣ୍ଠି ଉପଯୋଗ କରାଯାଉଛି ।

Leave A Reply

Your email address will not be published.