ତୃଣମୂଳସ୍ତରରେ ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି : ଉପ-ମୁଖ୍ୟମନ୍ତ୍ରୀ

The competence of CDPOs at the grassroots level is our strength: Deputy Chief Minister

0 47

ଭୁବନେଶ୍ୱର, 30/7: ତୃଣମୂଳସ୍ତରରେ ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି । ବିକଶିତ ଓଡ଼ିଶା ୨୦୩୬ରେ ଓଡ଼ିଶାକୁ ଏକ ଅପପୁଷ୍ଟି ମୁକ୍ତ ରାଜ୍ୟରେ ପରିଣିତ କରିବା ହେଉଛି ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ଦିଗରେ ଶିଶୁ ପ୍ରକଳ୍ପ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି । ଆଜି ଲୋକସେବା ଭବନ ସମ୍ମେଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ମାନଙ୍କ ନିମନ୍ତେ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ସୁଭଦ୍ରା ସଫଳତାର ଶ୍ରେୟ ଦେବା ସହ ରାଜ୍ୟରେ ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନିତ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନବାଡିର ଭିତ୍ତିଭୂମିକୁ ସୁଦୃଢ କରିବା ସହ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଇନଫ୍ରା ଆପ-“ୱସମ”(ଅଙ୍ଗନବାଡି ୱେଲଫେୟର ଆଣ୍ଡ ସର୍ଭିସ ଓଭରସାଇଟ ମନିଟରିଙ୍ଗ ଏଭରିହୋୟାର) କୁ ଲୋକର୍ପଣ କରିଛନ୍ତି । ଅଙ୍ଗନବାଡି ପରିସରରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖରୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା “ଆସ ଯିବା ଅଙ୍ଗନବାଡି” ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ରାଜ୍ୟବାସୀମାନେ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡିର ଭିତ୍ତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ । ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ କରାଯିବ ବୋଲି ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜ ଆହୁଜା ଉପସ୍ଥିତ ରହି ସିଡିପିଓମାନଙ୍କୁ ଜନକେନ୍ଦ୍ରିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଭିଜନ ଓଡ଼ିଶା ଦସ୍ତାବିଜରେ ମହିଳା ଓ ଶିଶୁମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟକର୍ତାଙ୍କ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ କୋପରେସନ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ(ଏନଆଇପିସିସିଡ଼ି) ମଧ୍ୟରେ ଏକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ର ଓଡ଼ିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଏନଆଇପିସିସିଡ଼ିର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ବିତ ପରାମର୍ଶଦାତା ଓ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଏଲୋରା ମହାନ୍ତି ସିଡିପିଓମାନଙ୍କ ଭୂମିକା ଓ ଡିଡିଓ ହିସାବରେ ସେମାନଙ୍କ ଦାୟିତ୍ୱ ଓ ପ୍ରତିଷ୍ଠାନର କାର୍ଯ୍ୟଶୈଳୀ ଏବଂ ଦ୍ୱିତୀୟ ଅଧିବେଶନରେ ଶ୍ରୀମତୀ ଇତିଶ୍ରୀ ଦାସ ପେନସନ ରୁଲ, ଲିଭ୍ ରୁଲ, ପରଫର୍ମାମାସ୍ ଆପ୍ରାଇଜାଲ ରିପୋର୍ଟ (ପାର), ଟିଏ ରୁଲ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟଶୈଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ତୃତୀୟ ଅଧିବେଶନରେ ଅତିରିକ୍ତ ସଚିବ, ଜ୍ୟୋତିଶଙ୍କର ମହାପାତ୍ର ପୋଶ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.