ନୂଆଦିଲ୍ଲୀ, : ଭାରତରେ କୋଭିଡ୍ ମାମଲା ପୁଣି ବୃଦ୍ଧି ପାଇଛି । ଗତ ସପ୍ତାହରେ ସଂକ୍ରମଣ ୫ ଗୁଣ ବୃଦ୍ଧି ପାଇ ୨,୭୧୦ରୁ ଅଧିକ ସକ୍ରିୟ ମାମଲା ରେକର୍ଡ ହୋଇଛି । କେରଳରେ ସର୍ବାଧିକ ୧,୪୦୦ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୮୫ ଓ ଦିଲ୍ଲୀରେ ୪୩୬ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟାରେ ୩୬୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବୃଦ୍ଧି ପଛରେ ଓମିକ୍ରନ ଭାରିଏଣ୍ଟର ନୂଆ ଉପପ୍ରଜାତ ଏଲ୍ଏଫ୍.୭, ଏନ୍ବି.୧.୮.୪ ଓ ଜେଏନ୍.୧ ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ, ଏହି ଉପପ୍ରଜାତିଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲୁଏଚ୍ଓ) ଦ୍ୱାରା ଏପର୍ଯ୍ୟନ୍ତ ବିପଦଜନକ ଶ୍ରେଣୀରେ ରଖାଯାଇ ନାହିଁ, ବରଂ ନିରୀକ୍ଷଣ ଅଧୀନ ଭାବେ ବିବେଚନା କରାଯାଉଛି । ଅଧିକାଂଶ ମାମଲା ହାଲୁକା ଏବଂ ରୋଗୀମାନେ ଘରୋଇ ଚିକିତ୍ସାରେ ଆରୋଗ୍ୟ ହେଉଛନ୍ତି । ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, କାଶ, ଗଳା ଖରାପ ଓ ଥକ୍କା ଲାଗିବା ଆଦି ରହିଛି । ଚାଇନା ଓ ଏସିଆର ଅନେକ ଅଞ୍ଚଳରେ ସଂକ୍ରମଣ କାୟା ବିସ୍ତାର କରିବା ଆରମ୍ଭ କରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସ୍ଥିତି ଉପରେ ନିକଟରୁ ନଜର ରଖାଯାଉଛି ଏବଂ ଏଥିରେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କେରଳରେ ଅଧିକ ମାମଲା ରିପୋର୍ଟ ହେବାର କାରଣ ସେଠାରେ ଅଧିକ ପରୀକ୍ଷା କରାଯାଉଥିବା ହେତୁ ହୋଇପାରେ ବୋଲି ଜଣାପଡ଼ିଛି । ଅନ୍ୟ ରାଜ୍ୟ ଯେପରି କର୍ଣ୍ଣାଟକରେ ୨୩୮ ଜଣ, ତାମିଲନାଡୁରେ ୧୯୯, ଗୁଜରାଟରେ ୩୨୦ ଓ ପଶ୍ଚିମବଙ୍ଗରେ ୨୮୭ ଗୋଟି ସଂକ୍ରମଣ ରେକର୍ଡ କରାଯାଇଛି । ଦିଲ୍ଲୀ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟଗୁଡ଼ିକରେ ହସ୍ପିଟାଲଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ ସିଲିଣ୍ଡର, ଔଷଧ ଓ ଟିକାର ଯଥେଷ୍ଟ ମହଜୁଦ ରଖାଯାଇଛି । ବିଶେଷଜ୍ଞମାନେ ମାସ୍କ ପରିଧାନ, ସାମାଜିକ ଦୂରତା ଓ ସାନିଟାଇଜେସନ୍ ଭଳି ସୁରକ୍ଷା ପଦକ୍ଷେପ ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ବୟସ୍କ ଓ ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହି ନିୟମ କଡାକଡି ଭାବେ ଅନୁପାଳନ କରିବାକୁ କୁହାଯାଇଛି । ପଶ୍ଚିମବଙ୍ଗରେ ୧୧୬ ଓ ଉତ୍ତରପ୍ରଦେଶରେ ୧୧୭ଟି ନୂଆ ମାମଲା ରିପୋର୍ଟ ହୋଇଛି । ମିଜୋରାମରେ ମଧ୍ୟ ଗତ ୭ ମାସ ପରେ ଗତକାଲି ଦୁଇଟି ନୂଆ ମାମଲା ଚିହ୍ନଟ ହୋଇଛି । ଓଡ଼ିଶାରେ ମଧ୍ୟ ଜଣେ ବ୍ୟକ୍ତିଙ୍କର କୋଭିଡ୍ ଯୋଗୁ ମୃତ୍ୟୁ ହୋଇଥିବା ଖବର ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜନସାଧାରଣଙ୍କୁ ସତର୍କ ରହିବାକୁ ଓ ଟିକାକରଣ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି ।