ବ୍ରହ୍ମପୁର ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି । ସେହି କ୍ରମରେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ଗଜପତି ନଗର ଛକରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲ। ଆଇଜିଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଆଇଜିଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିଲେ ବିଜେଡ଼ିର ମହିଳା କର୍ମୀ ମାନେ । ଗତ ୨୫ ବର୍ଷ ହେଲା ରାଜ୍ୟରେ ବିଜେଡି ଶାସନ କରୁଥିବା ବେଳେ ଏଭଳି ନାରୀ ନିର୍ଯାତନା ହେଉନଥିଲା । ବର୍ତ୍ତମାନ ଦେଢ଼ ବର୍ଷ ହେଲା ରାଜ୍ୟରେ ବିଜେପି ସରକାର ଆସିବା ପରେ ନାରୀ ନିର୍ଯାତନା, ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ସରକାର ଯଦି ଏହାକୁ ନିୟନ୍ତ୍ରଣ କରିପାରୁନାହାନ୍ତି ତେବେ ସରକାର ଗାଦି ଛାଡ଼ନ୍ତୁ । ରଜ୍ୟର ଗୋପାଳପୁର, ବାଲେଶ୍ଵର, ପୁରୀ ସହ ବହୁ ଜିଲ୍ଲାରେ ମହିଳା ଓ ଛାତ୍ରୀଙ୍କ ପ୍ରତି ନିର୍ଯ୍ୟାତନା ଓ ଦୁଷ୍କର୍ମ ବଢ଼ି ଚାଲିଛି । ତେଣୁ ମହିଳାଙ୍କ ସୁରକ୍ଷା ନିମନ୍ତେ ଯଦି ସରକାର କଠୋର ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ମହିଳା ବିଜେଡ଼ି କର୍ମୀ ମାନେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ ପଣ୍ଡାଙ୍କ ସମେତ ବହୁ ପୂର୍ବତନ ବିଧାୟକ, ବିଧାୟିକାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ବିଜେଡ଼ି କର୍ମୀ ମାନେ ସାମିଲ ହୋଇଥିଲେ ।