ସମ୍ବଲପୁର, 1/8: ରବି ଫସଲର ଅମଳ ଧାନ ଚାଉଳ ଏଫସିଆଇ ପାଖରେ ପହଞ୍ଚି ପାରିନଥିବା ବେଳେ ଏବେ ପୁଣି ଖରିଫ ଫସଲକୁ ନେଇ ବଡ଼ ପ୍ରଶ୍ନ ଠିଆହେଲାଣି । ରବି ଚାଷ ଫସଲର ପ୍ରାପ୍ୟ ଚାଷୀ ପାଇପାରିନଥିବା ସମୟରେ ପୁଣି ସରକାରଙ୍କ ଚାଷୀ ପଞ୍ଜିକରଣ ବ୍ୟବସ୍ଥା ଚାଷୀ ମୁଣ୍ଡରେ ଚଡ଼କ ହୋଇଛି । ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି । ଅନେକ ଯାଗାରେ ରାଜସ୍ୱ ନିରୀକ୍ଷକ ନାହାଁନ୍ତି । ଚାଷୀ ପଞ୍ଜିକରଣ ପାଇଁ ସମୟ ମଧ୍ୟ ଏହା ଉଦ୍ଦିଷ୍ଟ ନୁହେଁ ବୋଲି ଚାଷୀ ଅଭିଯୋଗ ବଢିଛନ୍ତି । ଧାନ ରୁଆ ବେଉଷଣା ବେଳକୁ ଚାଷୀ ପଞ୍ଜିକରଣ ଚାଷୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ବୋଲି ଆପତ୍ତି ଉଠୁଛି । ଏହି ନୂତନ ବ୍ୟବସ୍ଥାରେ ଚାଷୀ ପଞ୍ଜୀକରଣ କରି ନ ପାରି ପ୍ରାୟ ୯୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି । ଏପରି ଏକ ପଞ୍ଜୀକରଣ ବ୍ୟବସ୍ଥାକୁ ସରକାର ଶୀଘ୍ର ପ୍ରତ୍ୟାହାର କରନ୍ତୁ ଏବଂ ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାଯାଉ ବୋଲି ସମ୍ବଲପୁର ଠାରୁ ସମଗ୍ର ପଶ୍ଚିମାଞ୍ଚଳରେ ତୁମ୍ବିତୋଫାନ ଦେଖାଦେଇଛି । ଚାରିଆଡେ କୃଷକ ସଂଗଠନ ଗୁଡିକ ଏହାର ପ୍ରତ୍ୟାହାର ନଚେତ ସମୟ ସୀମା ବୃଦ୍ଧି ନେଇ ଦାବି କରୁଛନ୍ତି । ଏଭଳି ଦାବି ନେଇ ଶୁକ୍ରବାର ଏକ ଚାଷୀ ସଂଗଠନ ପକ୍ଷରୁ ଅମ୍ବାଭୋନା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହିତ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟାତ ଠପ ହୋଇଯାଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ବାମରା, ରେଢ଼ାଖୋଲ, ଧନକଉଡ଼ା, ଜୁଯୋମୁରା, ମାନେଶ୍ୱର, ରେଙ୍ଗାଲି, ଜମନକିରା, ନାକଟିଦେଉଳ ବ୍ଲକରେ ମଧ୍ୟ ଚାଷୀ ପଞ୍ଜିକରଣ ନେଇ ବ୍ୟାପକ ଅସନ୍ତୋଷ ଦେଖାଦେଇଛି । ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ଜିଲ୍ଲାରେ ଶତକଡା ୩୦ ଭାଗ ଚାଷୀ ପଞ୍ଜିକରଣ ମଧ୍ୟ ହୋଇପାରିନି । ଧାନ ରୁଆ ଏହାର ମୁଖ୍ୟ ପ୍ରତିବନ୍ଧକ ହୋଇଥିବାରୁ ଏହାର ସମୟ ସୀମା ବୃଦ୍ଧି କରିବାକୁ ବିଭିନ୍ନ ଚାଷୀ ଓ ଚାଷୀ ସଂଗଠନ ଗୁଡିକ ଦାବି କରୁଛନ୍ତି ।