ପୁରୀରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

World-class Jagannath Museum to be established in Puri

0 38

ଭୁବନେଶ୍ୱର, ୪/7: ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ପୁରୀ ଠାରେ ଏକ ବିଶ୍ୱ ସ୍ତରୀୟ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତି ନେଇଛନ୍ତି । ଗୋଟିଏ ପରିସରରେ ଏହା ନିର୍ମିତ ହେବ । ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ୱ, ନୀଳବଧବଙ୍କ ଠାରୁ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଂଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ । ଏହି ସବୁ ଘଟଣାବଳୀକୁ ବିଭିନ୍ନ ଚିତ୍ରକଳା,ମିନିଏଚର ପ୍ରତିମୂର୍ତି, ପଟ୍ଟଚିତ୍ର ଇତ୍ୟାଦି ମଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ ।
ସେହିପରି ଏହି ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ । ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ । ଏହି ପୁସ୍ତକାଗାରରେ ଇ-ଲାଇବ୍ରେରୀର ସୁବିଧା ପ୍ରଦାନ କରାଯିବ ଏବଂ ପାଠକମାନେ ଇ-ଲାଇବ୍ରେରୀ ମଧ୍ୟମରେ ସବୁ ପ୍ରକାର ପଠନ ସାମଗ୍ରୀ ପାଇ ପାରିବେ । ଜଗନ୍ନାଥ ସଂସ୍କୃତି ଏବଂ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ଏହା ନିଶ୍ଚିତ ଭାବେ ସାହାଯ୍ୟ କରିବ ।
ଏଥି ସହିତ ଏହି ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ପ୍ରେକ୍ଷାଳୟ (ଅଡିଟରିଅମ) ନିର୍ମାଣ କରାଯିବ । ଏହି ଅଡିଟରିଅମରେ ପ୍ରତି ଦିନ ଲାଇଟ ଓ ସାଉଣ୍ଡ ଶୋ ପ୍ରସ୍ତୁତ କରାଯିବ । ଜଗନ୍ନାଥ ମନ୍ଦିର ଏବଂ ଠାକୁରଙ୍କୁ ନେଇ ଅନେକ କାହାଣୀ, ଅନେକ ପ୍ରସଙ୍ଗ ରହିଛି । ଏହି ସବୁ ପ୍ରସଙ୍ଗକୁ ବିଭିନ୍ନ ଅଧ୍ୟାୟରେ ବିଭାଜନ କରି ଗୋଟିଏ ଗୋଟିଏ ଅଧ୍ୟାୟ (ଏପିସଡ) ପ୍ରସ୍ତୁତ କରି ବିଭିନ୍ନ ଭାଷା ଯେପରିକି ଓଡିଆ, ହିନ୍ଦୀ, ଇଂରେଜୀ ଏବଂ ବଙ୍ଗାଳୀ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯିବ । ତା’ ଛଡା ଏହି ପରିସର ମଧ୍ୟରେ ଏକ ମୁକ୍ତାକାଶ ରଙ୍ଗମଂଚ ବି ନିର୍ମିତ ହେବ ଯେଉଁଠି ରାଜ୍ୟର କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ ।
ଏହି ପ୍ରକଳ୍ପ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ସାହିତ୍ୟକୁ ସୁଦୃଢ ଏବଂ ପରିପୁଷ୍ଟ କରିବା ସହିତ ପୁରୀ ଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଉତ୍କୃଷ୍ଟ ସମୟ ବ୍ୟତୀତ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ଏହା ପୁରୀକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ସହାୟକ ହେବ ।

Leave A Reply

Your email address will not be published.