ବ୍ରହ୍ମପୁର ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ଓ ଗୋପାଳପୁର ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାଦ ଦେବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଜି ଦକ୍ଷିଣାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେଡ଼ି । ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଦକ୍ଷିଣାଞ୍ଚଳର ୮ଟି ଜିଲ୍ଲାର ବିଜେଡ଼ିର ତୁଙ୍ଗ ନେତା ମାନେ ଏକତ୍ରିତ ହୋଇଥିଲେ । ଖଲ୍ଲିକୋଟ କଲେଜ ପଡ଼ିଆରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଆରଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ଦାବିପତ୍ର ଆରଡିସିଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରିଛି ବିଜେଡ଼ି । ଗତ ୧୩ ମାସ ହେଲା ରାଜ୍ୟକୁ ବିଜେପି ସରକାର ଆସିଥିବା ବେଳେ ରାଜ୍ୟରେ ଦେଖିବାକୁ ମିଳିଛି ଅରାଜକତା । ନା ଏଠି ନାରୀ ମାନେ ସୁରକ୍ଷିତ ଅଛନ୍ତି ନା ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ରହିଛି । ନାରୀ ମାନେ ବର୍ତ୍ତମାନ ଘରୁ ବାହାରିବାକୁ ଭୟ କରିଲେଣି । ପାଠ ପଢ଼ିବା ପାଇଁ କଲେଜ ଗଲେ ଛାତ୍ରୀ ସେଠାରେ ଅସୁରକ୍ଷିତ, ନିଜ ଗାଁ ରାସ୍ତାରେ ଚାଲି ଚାଲି ଗଲେ ବି ଛାତ୍ରୀ ଅସୁରକ୍ଷିତ । ଯାହାର ଉଦାହରଣ ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ଓ ବଳଙ୍ଗା ଗାଁରେ ଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରୁ ସ୍ପଷ୍ଟ ଅନୁମାନ । ଫକୀରମୋହନ କଲେଜ ଛାତ୍ରୀ ଓ ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେଡ଼ି । ଏହାସହ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ବିଜେଡ଼ି ଦାବି କରିଛି । ନଚେତ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡ଼ି ଚେତାବନୀ ଦେଇଛି ବିଜେଡ଼ି । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ମେୟର ସଂଘମିତ୍ରା ଦଳେଇ, ବିଜେଡ଼ି ନେତା ଭୃଗୁ ବକ୍ସିପାତ୍ର, ସଞ୍ଜୟ ଦାସବର୍ମା, ପ୍ରଦୀପ ମାଝିଙ୍କ ସମେତ ୮ଟି ଜିଲ୍ଲାର ବହୁ ବିଜେଡ଼ିର ଆଗଧାଡ଼ିର ନେତାଙ୍କ ସମେତ ହଜାର ହଜାର ସଂଖ୍ୟାରେ କର୍ମୀ ମାନେ ସାମିଲ ହୋଇଥିଲେ ।