ବାରାଣସୀରେ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

PM lays foundation stone and inaugurates development works in Varanasi

0 116

ବାରାଣସୀ, ୨ା୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶର ବାରାଣସୀରେ ପ୍ରାୟ ୨,୨୦୦କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପବିତ୍ର ଶ୍ରାବଣ ମାସରେ ବାରାଣସୀର ପରିବାର ସହସାକ୍ଷାତକରିତାଙ୍କର ହୃଦୟସ୍ପର୍ଶୀ ଭାବନା ପ୍ରକାଶ କରିଛନ୍ତି । ବାରାଣସୀର ଲୋକଙ୍କ ସହିତ ତାଙ୍କର ଗଭୀର ଭାବପ୍ରବଣ ସମ୍ପର୍କକୁ ଉଲ୍ଲେଖ କରି ଶ୍ରୀ ମୋଦି ସହରର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ତାଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଶ୍ରାବଣ ମାସରେ ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶବ୍ୟାପୀ କୃଷକମାନଙ୍କ ସହିତ ସଂଯୋଗ ସ୍ଥାପନ କରି ଶ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଅପରେସନ ସିନ୍ଦୂର’ ପରେ ଏହା ତାଙ୍କର ପ୍ରଥମ ବାରାଣସୀ ଗସ୍ତ । ସେ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ କହିଛନ୍ତି ଯେ, ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଶ୍ରୀ ମୋଦି ଘଟଣାରେ ପୀଡିତ ପରିବାରମାନଙ୍କ ବିଶେଷକରି ସେଇ ଶିଶୁ ଓ ଝିଅମାନଙ୍କ ଦୁଃଖ ଓ ବେଦନା ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ସେ ମନ୍ତବ୍ୟ ଦେଇଛନ୍ତି ଯେ, ତାଙ୍କ ହୃଦୟ ଦୁଃଖରେ ଗଭୀର ଭାବରେ ଭାରାକ୍ରାନ୍ତ ଥିଲା ଓ ସେ ସମୟରେ ସେ ସମସ୍ତ ଶୋକସନ୍ତପ୍ତ ପରିବାରକୁ ସେମାନଙ୍କର ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବାକୁ ବାବା ବିଶ୍ୱନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଝିଅମାନଙ୍କ ସିନ୍ଦୂରର ପ୍ରତିଶୋଧ ନେବା ପାଇଁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହା କେବଳ ଭଗବାନ ମହାଦେବଙ୍କ ଆଶୀର୍ବାଦ ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ‘ଅପରେସନ ସିନ୍ଦୂର’ର ସଫଳତାକୁ ଭଗବାନ ମହାଦେବଙ୍କ ପାଦରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ଦିନ ଧରି ସେ ବାରାଣସୀରେ ଗଙ୍ଗାଜଳ ବହନ କରୁଥିବା ଶିବ ଭକ୍ତମାନଙ୍କର ଦିବ୍ୟ ରୂପ ଅନୁଭବ କରୁଥିଲେ, ବିଶେଷକରି ଶ୍ରାବଣ ମାସର ପ୍ରଥମ ସୋମବାରରେ, ଯେତେବେଳେ ଭକ୍ତମାନେ ବାବା ବିଶ୍ୱନାଥଙ୍କ ପବିତ୍ର ଜଳାଭିଷେକ କରିବାକୁ ଯାତ୍ରା ଆରମ୍ଭ କରିଥିଲେ । ସେ ଗୌରୀ କେଦାରନାଥରୁ ଗଙ୍ଗାଜଳ ବହନ କରୁଥିବା ଯାଦବ ଭାଇମାନଙ୍କର ମନୋରମ ଦୃଶ୍ୟ ଉପରେ ମନ୍ତବ୍ୟ ଦେଇ ଏହାକୁ ଏକ ପ୍ରକୃତ ମନମୋହକ ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି । ଡମ୍ବରୁର ଶବ୍ଦ, ଗଳିଗୁଡ଼ିକରେ ସ୍ପନ୍ଦନଶୀଳ ଉତ୍ସାହ ଭଳି ପରିବେଶକୁ ସେ ବିରଳ ଅନୁଭୂତି ବୋଲି ବ୍ୟାଖ୍ୟା କରିଛନ୍ତି । ଶ୍ରୀ ମୋଦି ପବିତ୍ର ଶ୍ରାବଣ ମାସରେ ବାବା ବିଶ୍ୱନାଥ ଏବଂ ମାର୍କଣ୍ଡେୟ ମହାଦେବଙ୍କୁ ଦର୍ଶନ କରିବାକୁ ଆନ୍ତରିକ ଇଚ୍ଛା ପ୍ରକାଶ କରିଥିଲେ । ହେଲେ, ସେ ଉଲ୍ଲେଖ କରିଛନ୍ତି ଯେ, ଭକ୍ତମାନଙ୍କର ପ୍ରବଳ ଭିଡ଼ ଥିବାରୁ ତାଙ୍କର ଉପସ୍ଥିତି ମହାଦେବ ଭକ୍ତମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ କିମ୍ବା ସେମାନଙ୍କ ଦର୍ଶନରେ ବାଧା ଉପୁଜି ପାରେ, ତେଣୁ ଏଠାରୁ ହିଁ ଭଗବାନ ଭୋଲେନାଥ ଏବଂ ମା ଗଙ୍ଗାଙ୍କୁ ପ୍ରଣାମ କରିଛନ୍ତି । କିଛି ଦିନ ପୂର୍ବେ ତାମିଲନାଡୁରଏକ ହଜାର ବର୍ଷ ପୁରୁଣା ସ୍ମାରକୀ ଏବଂ ଭାରତର ଶୈବ ପରମ୍ପରାର ଏକ ପ୍ରାଚୀନ କେନ୍ଦ୍ର ଐତିହାସିକ ଗଙ୍ଗେଇକୋଣ୍ଡା ଚୋଳପୁରମ ମନ୍ଦିରଗସ୍ତକୁ ମନେ ପକାଇ ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ, ଏହି ମନ୍ଦିର ପ୍ରସିଦ୍ଧ ରାଜା ରାଜେନ୍ଦ୍ର ଚୋଳଙ୍କ ଦ୍ୱାରା ନିର୍ମିତ ହୋଇଥିଲା, ଯିଏ ଉତ୍ତର ଭାରତରୁ ଗଙ୍ଗାଜଳ ଆଣି ଉତ୍ତର ଏବଂ ଦକ୍ଷିଣକୁ ପ୍ରତୀକାତ୍ମକ ଭାବରେ ଏକତ୍ର କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ, ଏକ ହଜାର ବର୍ଷ ପୂର୍ବେ, ଭଗବାନ ଶିବଙ୍କ ପ୍ରତି ତାଙ୍କର ଭକ୍ତି ଏବଂ ଶୈବ ପରମ୍ପରା ପ୍ରତି ପ୍ରତିବଦ୍ଧତା ମାଧ୍ୟମରେ, ରାଜେନ୍ଦ୍ର ଚୋଳ ଏକ ଭାରତ, ଶ୍ରେଷ୍ଠ ଭାରତର ଦୃଷ୍ଟିକୋଣ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଆଜି, କାଶୀ-ତାମିଲ ସଙ୍ଗମମ ଭଳି ପଦକ୍ଷେପ ମାଧ୍ୟମରେ, ସେହି ଐତିହ୍ୟକୁ ଆଗକୁ ବଢ଼ାଯାଉଛି । ସେ କହିଛନ୍ତି ଯେ, ତାଙ୍କର ସମ୍ପ୍ରତିଗଙ୍ଗେଇକୋଣ୍ଡା ଚୋଳପୁରମ ଗସ୍ତ ସମୟରେ, ସେ ଗଙ୍ଗାଜଳକୁ ତାଙ୍କ ସହିତ ବହନ କରିଥିଲେ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ, ଏକ ଗଭୀର ପବିତ୍ର ପରିବେଶରେପୂଜା କରାଯାଇଥିଲା । ସେ କହିଛନ୍ତି ଯେ, ଏପରି ଉତ୍ସବପୂର୍ଣ୍ଣଅବସର ଦେଶରେ ଏକତାର ଭାବନାକୁ ପ୍ରଜ୍ଜ୍ୱଳିତ କରେ, ଯାହା ଅପରେସନ ସିନ୍ଦୂର ଭଳି ମିଶନକୁ ସଫଳତା ଦିଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ଏକତା ‘ଅପରେସନ ସିନ୍ଦୂର’ର ଶକ୍ତି ପାଲଟିଥିଲା । ବାରାଣସୀରେ ଆୟୋଜିତ ହେଉଥିବା ବୃହତ କୃଷକ ମହୋତ୍ସବର ପାଳନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶବ୍ୟାପୀ ୧୦ କୋଟି ଚାଷୀ ଭାଇ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧,୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ସେ ଆହୁରି ସୂଚନା ଦେଇଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ୨,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଶ୍ରୀ ମୋଦି ମନ୍ତବ୍ୟ ଦେଇ କହିଛନ୍ତି ଯେ, ବାବାଙ୍କ ଆଶୀର୍ବାଦରେ, ବାରାଣସୀରେ ବିକାଶର ଅବିରତ ଧାରା ପ୍ରବାହିତ ହେଉଛି । ସେ ଉପସ୍ଥିତ ସମସ୍ତଙ୍କୁ ଏବଂ ଦେଶର ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ବାରାଣସୀ ସଂସଦ ସଦସ୍ୟ ପର୍ଯ୍ୟଟନ ଗାଇଡ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ, କାଶୀ ସଂସଦ ସଦସ୍ୟ ଫଟୋଗ୍ରାଫି ପ୍ରତିଯୋଗିତା ଏବଂ ସାଂସଦ ରୋଜଗାର ମେଳା ଭଳି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ଏବଂଏହି ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସେ ତାଙ୍କର ଶୁଭେଚ୍ଛା ଜଣାଇଥିଲେ । ସେ ଏପରି ସୂଚନାମୂଳକ ଓ ଉଦ୍ୟମଶୀଳ ପ୍ରୟାସ ପାଇଁ ପ୍ରଶାସନକୁ ମଧ୍ୟ ପ୍ରଶଂସା କରିଛନ୍ତି । କୃଷକମାନଙ୍କ ସମୃଦ୍ଧି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରି ଶ୍ରୀ ମୋଦି କହିଛନ୍ତି ଯେ, ପୂର୍ବ ସରକାରଗୁଡ଼ିକ ସମୟରେ କୃଷକଙ୍କ ନାମରେ କୌଣସି ଘୋଷଣା ହେଲେ ମଧ୍ୟ ତାହା କେବଳ ଘୋଷଣାରେ ରହିଯାଉଥିଲା ପୂରଣ ହୋଇପାରୁ ନଥିଲା । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସେମାନଙ୍କ ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ କରୁଛି । ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ଭାବରେ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନାକୁ ଉଲ୍ଲେଖ କରିଥିଲେ । ୨୦୧୯ରେ ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଆରମ୍ଭ ହେବା ସମୟ ମନେ ପକାଇ ଶ୍ରୀ ମୋଦି କହିଛନ୍ତି ଯେ, କିଛି ପ୍ରମୁଖ ବିରୋଧୀ ଦଳ ବିଭିନ୍ନ ଗୁଜବ ପ୍ରଚାର କରିଥିଲେ । କେତେକ କହିଥିଲେ ଯେ ନିର୍ବାଚନ ପରେ ଏହି ଦେୟ ବନ୍ଦ ହୋଇଯିବ ଏବଂ ଅନ୍ୟ କେତେକ କହିଥିଲେ ଯେ ଦିଆଯାଉଥିବା ଟଙ୍କା ଫେରସ୍ତ ନିଆଯିବ । ସେ ମନ୍ତବ୍ୟ ଦେଇ ଦେଇଛନ୍ତି ଯେ, ଏହା ବିରୋଧୀଙ୍କ ପ୍ରକୃତ ସ୍ୱଭାବକୁ ପ୍ରତିଫଳିତ କରେ, ଯାହା କେବଳ ଚାଷୀ ଏବଂ ଦେଶର ଲୋକଙ୍କୁ ଭ୍ରମିତ କରୁଛି । ଗୋଟିଏ କିସ୍ତି ମଧ୍ୟ ବନ୍ଦ ହୋଇଛି କି ନାହିଁ ବୋଲି ପଚାରିବାରୁ ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ବିନା ବାଧାରେ ଜାରି ରହିଛି । ସେ ଉଲ୍ଲେଖ କରିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ୩.୭୫ ଲକ୍ଷ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । କେବଳ ଉତ୍ତର ପ୍ରଦେଶରେ ପ୍ରାୟ ୨.୫ କୋଟି ଚାଷୀ ଏହି ଯୋଜନା ଅଧୀନରେ ଉପକୃତ ହୋଇଛନ୍ତି ଏବଂ ୯୦,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ପାଇଛନ୍ତି । ଶ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ବାରାଣସୀର ଚାଷୀମାନେ ପ୍ରାୟ ୯୦୦ କୋଟି ଟଙ୍କା ପାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସହାୟତା ରାଶି କୌଣସି କାଣ୍ଟଛାଣ୍ଟ କିମ୍ବା କମିଶନ ବିନା ଚାଷୀଙ୍କ ପାଖରେ ପହଞ୍ଚିପାରୁଛି । ସେ କହିଛନ୍ତି ଯେ, ଏହା ତାଙ୍କ ସରକାର ଦ୍ୱାରା ସୃଷ୍ଟି କରାଯାଇଥିବା ଏକ ସ୍ଥାୟୀ ବ୍ୟବସ୍ଥା – ଏଥିରେ କୌଣସି ପ୍ରକାର ଚୋରି ହେବ ନାହିଁ କିମ୍ବା ଗରିବଙ୍କ ଅଧିକାରକୁ ଅବହେଳା କରାଯିବ ନାହିଁ । ଯେତେ ପଛୁଆ ଅଞ୍ଚଳ, ସେତେ ଅଧିକ ପ୍ରାଥମିକତା ପାଇବ, ଏହିବିକାଶ ମନ୍ତ୍ରକୁ ପୁନରାବୃତ୍ତି କରି ଶ୍ରୀ ମୋଦି ଘୋଷଣା କରିଛନ୍ତି ଯେ, ଏହି ମାସର ପ୍ରାରମ୍ଭରେ କେନ୍ଦ୍ର ସରକାର ଏକ ପ୍ରମୁଖ ନୂତନ ପଦକ୍ଷେପ – ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାକୁ ଅନୁମୋଦନ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଏହି ଯୋଜନା ପାଇଁ ୨୪,୦୦୦ କୋଟି ଆବଣ୍ଟନ କରାଯିବ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ପଦକ୍ଷେପର ଧ୍ୟାନ ପୂର୍ବ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ପଛରେ ପଡ଼ିଯାଇଥିବା ଜିଲ୍ଲାଗୁଡ଼ିକ ଉପରେ ରହିବ, ଯେମିତିକି କମ୍ କୃଷି ଉତ୍ପାଦନ ଥିବା ଅଞ୍ଚଳ ଏବଂ ଯେଉଁଠାରେ କୃଷକଙ୍କ ଆୟ ସୀମିତ ଥିବ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଉତ୍ତର ପ୍ରଦେଶର ଲକ୍ଷ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ଦେବ । ଆମର ସରକାର ଚାଷୀଙ୍କ ଜୀବନକୁ ପରିବର୍ତ୍ତନ କରିବା, ସେମାନଙ୍କ ଆୟ ବୃଦ୍ଧି କରିବା ଏବଂ ଚାଷ ଖର୍ଚ୍ଚ ହ୍ରାସ କରିବା ପାଇଁ ପୂର୍ଣ୍ଣ ଶକ୍ତିର ସହିତ କାର୍ଯ୍ୟ କରୁଛି, ଆମେ ବିହନରୁ ବଜାର ପର୍ଯ୍ୟନ୍ତ ଚାଷୀଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ, ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ, କ୍ଷେତରେ ପାଣି ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ, ସାରା ଦେଶରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଜଳସେଚନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଶ୍ରୀ ମୋଦି ସ୍ୱୀକାର କରିଛନ୍ତି ଯେ, ଅତ୍ୟଧିକ ବର୍ଷା, କୁଆପଥର ବୃଷ୍ଟି କିମ୍ବା ତୁଷାରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ସର୍ବଦା ଚାଷୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଆସିଛି । ଚାଷୀମାନଙ୍କୁ ଏପରି ଅନିଶ୍ଚିତତାରୁ ରକ୍ଷା କରିବା ପାଇଁ, ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଏହି ଯୋଜନା ଅଧୀନରେ, ଚାଷୀମାନେ ଏପର୍ଯ୍ୟନ୍ତ ୧.୭୫ ଲକ୍ଷ କୋଟିରୁ ଅଧିକ ମୂଲ୍ୟର କ୍ଷତିପୂରଣ ପାଇସାରିଛନ୍ତି । ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଧାନ ଏବଂ ଗହମ ଭଳି ପ୍ରମୁଖ ଖାଦ୍ୟ ସାମଗ୍ରୀ ସମେତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ରେକର୍ଡ ସଂଖ୍ୟକ ବୃଦ୍ଧି କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, କୃଷକଙ୍କ ଫସଲକୁ ସୁରକ୍ଷିତ ରଖିବା ପାଇଁ, ସରକାର ଦେଶବ୍ୟାପୀ ହଜାର ହଜାର ନୂତନ ଗୋଦାମ ନିର୍ମାଣ କରୁଛନ୍ତି । କୃଷି ଅର୍ଥନୀତିରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ଧ୍ୟାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି । ଶ୍ରୀ ମୋଦି ସାରା ଭାରତରେ ତିନି କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ସହିତ ଲକ୍ଷପତି ଦିଦି ଅଭିଯାନ ଉପରେ ଆଲୋକପାତ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ,୧.୫କୋଟିରୁ ଅଧିକ ମହିଳା ଏହି ମାଇଲଖୁଣ୍ଟ ହାସଲ କରିସାରିଛନ୍ତି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ଡ୍ରୋନ୍ ଦିଦି ପଦକ୍ଷେପ ଲକ୍ଷ ଲକ୍ଷ ମହିଳାଙ୍କ ଆୟକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଆଧୁନିକ କୃଷି ଗବେଷଣାକୁ ସିଧାସଳଖ କ୍ଷେତର ନିକଟତର କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଲ୍ୟାବ୍ ଟୁ ଲ୍ୟାଣ୍ଡ ନୀତି ଅନୁଯାୟୀ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ହୋଇଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ ୨୦୨୫ ମସିହାର ମେ’ ଏବଂ ଜୁନ୍ ମାସରେ କରାଯାଇଥିଲା, ଯାହା ମାଧ୍ୟମରେ ୧.୨୫ କୋଟିରୁ ଅଧିକ ଚାଷୀଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରାଯାଇଥିଲା । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ସମସ୍ତ ନାଗରିକଙ୍କ ପାଖରେ ସହଜରେ ପହଞ୍ଚିବା ନିତାନ୍ତ ଆବଶ୍ୟକ । ପ୍ରଧାନମନ୍ତ୍ରୀ ଶେଷରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏକ ବିକଶିତ ଭାରତର ସ୍ୱପ୍ନ କେବଳ ସାମୂହିକ ପ୍ରୟାସ ଦ୍ୱାରା ପୂରଣ ହୋଇପାରିବ । ଆଜି ଉଦଘାଟନ ହୋଇଥିବା ବିକାଶମୂଳକ କାର୍ଯ୍ୟ ପାଇଁ ସେ ପୁଣି ଥରେ ଅଭିନନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହିତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଏବଂ ରାଜ୍ୟ ମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.