ବିଜେଡିର ସଚିବାଳୟ ଘେରାଉ ଉଦ୍ୟମ

0 41

ଭୁବନେଶ୍ୱର, : ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତିଜନିତ ମୃତ୍ୟୁ ପ୍ରତିବାଦରେ ବିଜେଡି ପକ୍ଷରୁ ବୁଧବାର \”ସଚିବାଳୟ ଘେରାଉ\’ ଉଦ୍ୟମକୁ ପୋଲିସ ବିଫଳ କରିଛି । ବ୍ୟାରିକେଡ୍‌ ଭାଙ୍ଗିବା ପାଇଁ ପ୍ରୟାସବେଳେ ପୋଲିସ ସହ ମୁହାଁମୁହିଁ ଓ ଧସ୍ତାଧସ୍ତିବେଳେ ପୋଲିସର ପାଣିମାଡ଼, ଟିୟର ଗ୍ୟାସ୍ ଓ ରବର ବୁଲେଟ୍‌ ପ୍ରୟୋଗବେଳେ କିଛି ବିଜେଡି ନେତା-କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଯାଜପୁର ଜିଲ୍ଲାର ୩ଜଣ ବିଜେଡି ନେତା ପ୍ରଣବପ୍ରକାଶ ଦାସ (ବବି), ପ୍ରୀତିରଞ୍ଜନ ଘଡ଼େଇ (ଡାନି) ଓ ସୁଲତା ଦେଓ ସତରେ ରବର ବୁଲେଟ୍ ମାଡ଼ରେ ଗୁରୁତର ହୋଇଛନ୍ତି ନା ଦଳରେ ନିଜର ପ୍ରଭାବ ବୃଦ୍ଧି ଓ ବାହାବା ସାଉଁଟିବାକୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହେବାର ରାଜନୀତିକ ନାଟକବାଜି କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏହି ଘେରାଉ କାର୍ଯ୍ୟକ୍ରମରେ ପୋଲିସର ପାଣିମାଡ଼, ଲୁହବୁହା ଗ୍ୟାସ ଓ ରବର ବୁଲେଟ୍ ମାଡ଼ରେ ବିଜେଡିର ୧୦୦ରୁ ଅଧିକ କର୍ମୀ-ନେତା ଆହତ ହୋଇଥିବା ନେଇ ଦଳ ପକ୍ଷରୁ ଦାବି କରାଯାଉଥିବା ବେଳେ ଏହି ୩ଜଣ ନେତାଙ୍କ ମଧ୍ୟରୁ ୨ଜଣ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହେବା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବୁଧବାର କୌଣସି ପ୍ରକାରର ରବର ବୁଲେଟ୍ ଫାୟାର କରାଯାଇନି ବୋଲି ନିଜେ ପୋଲିସ କମିଶନର ଦେବଦତ୍ତ ସିଂ ସ୍ପଷ୍ଟ କରିଥିବା ବେଳେ ବିଜେଡି ନେତାମାନେ କିଭଳି ବୁଲେଟ୍ ଲାଗିଛି ବୋଲି ଦାବି କରୁଛନ୍ତି ତାହା ଆଶ୍ଚର୍ଯ୍ୟ କରିଛି । ରାଜ୍ୟର ବିଜେପି ସରକାର ଯଦି ଏହି ନେତାମାନଙ୍କ \”ଆହତ\’ର ଡାକ୍ତରୀ ରିପୋର୍ଟକୁ ସାର୍ବଜନୀନ କରନ୍ତେ ନିଶ୍ଚିତ ଭାବେ ସେମାନଙ୍କର ଅସଲ ମୁଖା ପଦାରେ ପଡ଼ିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା । ତେବେ ସୂଚନା ଅନୁସାରେ, ଏଫଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଏବଂ ମୃତକଙ୍କ
ପରିବାରକୁ ୨କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ଦାବିରେ ବିଜେଡି ପକ୍ଷରୁ ବୁଧବାର ପୂର୍ବାହ୍ନରେ ସଚିବାଳୟ ଘେରାଉ ପାଇଁ ଉଦ୍ୟମ କରାଯାଇଥିଲା । ଦଳର ପ୍ରାୟ ୨ରୁ ୩ହଜାର କର୍ମୀ-ନେତା ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ଏକଜୁଟ ହୋଇ ସଚିବାଳୟ ବା ଲୋକସେବା ଭବନ ଆଡ଼କୁ ଯିବା ପାଇଁ ଉଦ୍ୟମ ରୁଥିବାବେଳେ ପୋଲିସ ସହ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଥିଲେ । ବ୍ୟାରିକେଡ୍ ଭାଙ୍ଗିବା ପାଇଁ ଉଦ୍ୟମବେଳେ ପୋଲିସ ସେମାନଙ୍କୁ ପ୍ରଥମେ ବୁଝାସୁଝା ଓ ପରେ ଘଉଡ଼ାଇବାକୁ ପାଣିମାଡ଼, ଟିୟର ଗ୍ୟାସ୍ ଓ ରବର ବୁଲେଟ୍ ମାଡ଼ କରିଥିଲା । ପୋଲିସର ତ୍ୱରନ୍ୱି କାର୍ଯ୍ୟାନୁଷ୍ଠାନ ଯୋଗୁ ବିଜେଡିର ଏହି ଘେରାଉ କାର୍ଯ୍ୟକ୍ରମ ଦେଢ ଘଣ୍ଟାରୁ ବି ଅଧିକ ସମୟ ଚାଲିବା ସମ୍ଭବପର ହୋଇପାରିନଥିଲା । ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ବିଜେଡି କର୍ମୀନେତାମାନେ ଛତ୍ରଭଙ୍ଗ ଦେଇଥିଲେ । କିଛି ବରିଷ୍ଠ ନେତା-କର୍ମୀଙ୍କୁ ପୋଲିସ ପ୍ରଥମେ ଅଟକ ରଖି ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ଦଳ ପକ୍ଷରୁ ଶଙ୍ଖଭବନରେ ବୟାନ କରାଯାଇ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଅତ୍ୟାଚାରକୁ ବର୍ବୋରୋଚିତ ବୋଲି କହିବା ସହ ବବି-ଡାନି ଓ ସୁଲତାଙ୍କ ସହ ଫୋନରେ କଥା ହୋଇଛନ୍ତି । ମାତ୍ର ଦଳର ଅନ୍ୟ ଆହତ କର୍ମୀମାନଙ୍କୁ ଭୁଲି ଯାଇଥିବା ଜଣାପଡ଼ିଛି ।
ଏପଟେ ଦଳର ଉପସଭାପତି ପ୍ରତାପ ଜେନା କହିଛନ୍ତି ଯେ, ଏହି ଘଟଣାରେ ସରକାରଙ୍କ ବିଫଳତା ଓ ବିଚାରବିଭାଗୀୟ ତଦନ୍ତ ଦାବିରେ ବିଜେଡି ବୁଧବାର ଲୋକସେବା ଭବନକୁ ଘେରାଉ କରିବାକୁ ଯିବାବେଳେ ଦଳର ସକ୍ରିୟ କର୍ମୀ-ନେତାମାନଙ୍କ ଉପରେ ପୋଲିସ ବଳପ୍ରୟୋଗ କରିଥିଲା । ଦଳର ମହିଳା ନେତ୍ରୀମାନଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାର କରିବା ସହ ପୁରୁଷ ପୋଲିସମାନେ ସେମାନଙ୍କୁ ଟଣାଓଟରା କରିଥିଲେ । ପୋଲିସ ଏଠି ସରକାରଙ୍କ ଚାମଚାଗିରି କରୁଛି ଓ ମୋହନ ସରକାରଙ୍କ ଗୁଣ୍ଡା ସାଜିଛି । ଆମ ସ୍ୱରକୁ ଚପାଇ ଦେବାକୁ ପ୍ରୟାସ କରାଯାଉଛି । ଆମର ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଚପାଇ ଦେବାକୁ ପୋଲିସ ବଳପ୍ରୟୋଗ କରିଥିଲା । ପୋଲିସର ପାଣିମାଡ଼, ଲୁହବୁହା ଗ୍ୟାସ ଓ ରବର ବୁଲେଟ୍ ମାଡ଼ ଯୋଗୁ ଆମର ୧୦୦ରୁ ଅଧିକ ନେତା-କର୍ମୀମାନଙ୍କୁ ଆହତ ହୋଇଛନ୍ତି । ଦଳର ନେତ୍ରୀ ସୁଲତା ଦେଓ, ଦୁଇ ପୂର୍ବତନ ମନ୍ତ୍ରୀ ପ୍ରଣବପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ସମେତ ନୀଳମାଧବ ମହାନ୍ତି, ଛବି ମାହାଲି, ସଙ୍କେତ ରାୟ, ଅଭିଷେକ ବେହେରା ଓ ସଞ୍ଜିବ ପୃଷ୍ଟି ପ୍ରମୁଖ ସାମିଲ ଅଛନ୍ତି । ଦୁଇ ପୂର୍ବତନ ମନ୍ତ୍ରୀ ଏବେ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି । ବିଜେଡିର ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମବେଳେ ପୋଲିସର ରବର ବୁଲେଟ୍ ମାଡ଼ରେ ଆହତ ହୋଇ ହସ୍ପିଟାଲରେ ବବି, ଡାନି ଓ ସୁଲତା ଚିକିତ୍ସିତ ହେଉଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବବି ଏବେ ଆପୋଲୋ ହସ୍ପିଟାଲର ଆଇସିୟୁରେ ଓ ଡାନି ନିଜ ପରିବାର ମାଲିକାନାରେ ଥିବା ଉତ୍କଳ ହସ୍ପିଟାଲର ଆଇସିୟୁରେ ଏବଂ ସୁଲତା ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ତେବେ ଯାଜପୁରର ଏହି ୩ନେତା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣାକୁ ନେଇ ସୋସିଆଲ ମିଡିଆରେ ନାନାଦି ଚର୍ଚ୍ଚା ଜୋର ଧରିଛି । ଦଳରେ ନିଜର ଗୁରୁତ୍ୱ ବୃଦ୍ଧି କରିବା, ଆଜିର ଆନ୍ଦୋଳନର ନେତୃତ୍ୱ ସେମାନେ ନେଉଥିବାର ଦର୍ଶାଇବା ଆଦି ପାଇଁ ଆହତର ନାଟକ ସେମାନେ କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ବିଜେଡି ଓ ହସ୍ପିଟାଲ ସୂତ୍ର ଅନୁସାରେ ଏହି ୩ ନେତା କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା, ନିଜର ଗୁରୁତ୍ୱ ବୃଦ୍ଧି ଓ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ସନ୍ଦେଶ ଦେବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.