ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

Pandit Nilakantha Das' birth anniversary celebrated in the Assembly premises

0 57

ଭୁବନେଶ୍ୱର, : ପ୍ରଚଣ୍ଡ ପ୍ରତିଭାଦୀପ୍ତ ଜ୍ଞାନପିପାସୁ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କ ଛାତ୍ରଜୀବନରୁ ଜାତୀୟତାବାଦରେ ଉଦ୍‌ବୁଦ୍ଧ ହୋଇ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ସେ ତତ୍‌କାଳୀନ ସମାଜରେ ପ୍ରଚଳିତ ଏକାଧିକ କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ନୀଳକଣ୍ଠ ସକ୍ରିୟ ଯୋଗଦାନ କରିଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ମଣ୍ଡନ କରିବା ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ । ସେ ଥିଲେ ଏକାଧାରରେ ସଂଗ୍ରାମୀ, ସଂସ୍କାରକ, ଅଧ୍ୟାପକ, ଶିକ୍ଷାବିତ୍‌, ରାଜନେତା, ବାଗ୍ମୀ ଓ ସୁଲେଖକ । ଓଡ଼ିଶା ଇତିହାସରେ ତାଙ୍କର କୃତି ଓ କୀର୍ତି ଚିର ଉଜ୍ଜ୍ୱଳ ରହିବ । ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୧ତମ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ବାବୁ ସିଂ,ଗଣେଶ୍ୱର ବେହେରା ଓ ପ୍ରକାଶ ଚନ୍ଦ୍ର ସେଠୀ, ଉତ୍କଳ ସମ୍ମିଳନୀର କର୍ମକର୍ତା, ପୂଜ୍ୟପୂଜା ସଂସଦର ସଭାପତି ପ୍ରଦ୍ୟୁମ୍ନ ଶତପଥି, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତ୍ରିବିକ୍ରମ ପ୍ରଧାନ ପ୍ରମୁଖ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ବିଧାନସଭାର ଗବେଷଣା ଶାଖା ପକ୍ଷରୁ ସଂକଳିତ ପୁସ୍ତକ \”ସ୍ପିଚେସ୍‌ ଅଫ୍ ଫାଇନାନ୍ସ ମିନିଷ୍ଟର ଅଫ୍ ଓଡ଼ିଶା ଫ୍ରମ୍‌୨୦୨୨ ଟୁ ୨୦୨୫- ୨୬\”କୁ ଉନ୍ମୋଚନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ୧୯୩୬ ମସିହା ଅପ୍ରେଲ ପହିଲାରେ ବ୍ରିଟିଶ ଶାସନାଧିନ ଭାରତ ବର୍ଷରେ ଏକ ଭାଷାଭିତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଓଡ଼ିଶା ଶାସନଗତ କ୍ଷମତା ହାସଲ କରିଥିଲା । ସ୍ୱତନ୍ତ୍ର ଓଡ଼ିଶାର (ପ୍ରାକ୍‌-ସ୍ୱାଧୀନତା) ପ୍ରଥମ ବିଧାନସଭା ୧୯୩୬ ମସିହାଠାରୁ ୨୦୨୦-୨୧ ମସିହା ଆର୍ôଥକ ବର୍ଷ ପର୍ଯ୍ୟନ୍ତ ବିଧାନସଭାରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ ଅଭିଭାଷଣ ଗବେଷଣା ଉପବିଭାଗ ଦ୍ୱାରା ସଂଗ୍ରହ କରାଯାଇ ପୁସ୍ତକର ଅଷ୍ଟମ ଖଣ୍ଡ (ଅଷ୍ଟମ ସଂସ୍କରଣ) ପ୍ରକାଶିତ ହୋଇଛି । ଏହି ପରିପ୍ରେକ୍ଷୀରେ ୨୦୨୧- ୨୨ଠାରୁ ୨୦୨୫-୨୬ ଆର୍ôଥକ ବର୍ଷ ବଜେଟର ନବମ ସଂସ୍କରଣ ଆଜି ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମ ଶେଷରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଅବିନାଶ ପାଣି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.