ନୂଆଦିଲ୍ଲୀ, : ଓଲ୍ଡ ଟ୍ରାଫୋର୍ଡରେ ଆଦୌ ଟେଷ୍ଟମ୍ୟାଚ୍ ଖେଳିନାହାନ୍ତି ଯଶପ୍ରୀତ ବୁମ୍ରା । ହେଲେ ଏଥର ଭାରତୀୟ ଦଳ ତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ କରୁଛି । ୧-୨ରେ ପଛୁଆ ରହି ଭାରତୀୟ ଦଳ ୪ର୍ଥ ଟେଷ୍ଟ ଖେଳିବା ପାଇଁ ଲଣ୍ଡନରୁ ମାଞ୍ଚେଷ୍ଟର ବାହାରିଛି । ତେବେ ଭାରତୀୟ ଦଳ ଅଦ୍ୟାବଧି ନିଷ୍ପତ୍ତି ନେଇନାହିଁ ଯେ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟରେ ବୁମ୍ରା ଖେଳିବେ କି ନାହିଁ । ତାଙ୍କୁ ନେଇ ଭାରତୀୟ ଦଳ ଦ୍ୱନ୍ଦ୍ୱରେ । ତେବେ ଦଳକୁ ମନେ ରଖିବାକୁ ହେବ ଯେ ଏହି ଟେଷ୍ଟମ୍ୟାଚ୍ ଶୃଙ୍ଖଳାରେ ନିର୍ଣ୍ଣାୟକ ହେବ । ଏହି ମ୍ୟାଚରେ ଭାରତ ପରାସ୍ତ ହେଲେ ଶୃଙ୍ଖଳା ଏହାର ହାତରୁ ଚାଲିଯିବ । ତେଣୁ ୪ର୍ଥ ଟେଷ୍ଟମ୍ୟାଚ୍ ଶୁଭମନ ଗିଲ୍ଙ୍କ ଦଳ ପାଇଁ \”କର ବା ମର\’ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ଧ୍ୟାନରେ ରଖି ଭାରତକୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବୁମ୍ରାଙ୍କୁ ଖେଳାଇବା ନା ବିଶ୍ରାମ ଦେଇ ତାଙ୍କୁ ଅନ୍ତିମ ଟେଷ୍ଟମ୍ୟାଚ୍ ଲାଗି ସତେଜ ରଖିବ । ଅଦ୍ୟାବଧି ଯଶପ୍ରୀତ ବୁମ୍ରା ୨ଟି ଟେଷ୍ଟ ଖେଳିଛନ୍ତି । ଏଜବାଷ୍ଟନରେ ସେ ମୋଟ ୪୩.୪ ଓଭର ବୋଲିଂକରି ପ୍ରଥମ ଇନିଂସେର ୫ଟି ୱିକେଟ୍ ନେଇଥିଲେ । ଏହି ମ୍ୟାଚରେ ଭାରତ ହାରିଥିଲା । ବର୍ମିଂହାମ୍ ଟେଷ୍ଟରୁ ତାଙ୍କୁ ବିଶ୍ରାମ ମିଳିଥିବା ବେଳେ ଭାରତ ଜିତିଥିଲା । ଲର୍ଡସ ଟେଷ୍ଟରେ ବୁମ୍ରା ୪୩ ଓଭର ବୋଲିଂ କରି ପ୍ରଥମ ଇନିଂସରେ ପୁଣି ୫ଟି ୱିକେଟ୍ ନେଇଥିଲେ । ଉଭୟ ଟେଷ୍ଟରେ ବୁମ୍ରା ଲମ୍ବା ସ୍ପେଲ୍ ମଧ୍ୟ ପକାଇ ନାହାନ୍ତି । ୩ୟ ଟେଷ୍ଟ ପରେ ବୁମ୍ରାଙ୍କୁ ଓଲ୍ଡ ଟ୍ରାଫୋର୍ଡରେ ଖେଳାଇବା ନେଇ ପ୍ରଶ୍ନରେ ଅଧିନାୟକ ଶୁଭମନ ଗିଲ୍ କହିଥିଲେ- ଜଲ୍ଦି ଜାଣିବାକୁ ପାଇବେ । ୪ର୍ଥ ଟେଷ୍ଟରେ ଶୃଙ୍ଖଳା ବାଜି ଲାଗିଥିବା ବେଳେ ବୁମ୍ରାଙ୍କୁ ଏହି ମ୍ୟାଚ୍ ନିଶ୍ଚୟ ଖେଳିବାକୁ ପଡ଼ିବ ବୋଲି ପୂର୍ବତନ ଭାରତୀୟ ପେସ୍ ବୋଲର ଇର୍ଫାନ୍ ପଠାନ୍ କହିଛନ୍ତି । ତାଙ୍କ ଭାଷାରେ, ସମସ୍ତ ଦଳ
ମ୍ୟାନେଜମେଣ୍ଟ ତା\’ର ଶ୍ରେଷ୍ଠ ଖେଳାଳିଙ୍କୁ ପ୍ରତ୍ୟେକ ମ୍ୟାଚ୍ ଖେଳାଇବାକୁ ଚାହେଁ । ହେଲେ କାର୍ଯ୍ୟଭାର ପରିଚାଳନା ବୋଲରଙ୍କ ଫିଟନେସ ଉପରେ ନିର୍ଭର କରେ । ସେ କ୍ଳାନ୍ତ ଅନୁଭବ କରୁଛନ୍ତି କି ଅନ୍ୟ କୌଣସି ସମସ୍ୟା ଅଛି, ତାହା ମଧ୍ୟ ଦେଖିବାକୁ ପଡ଼ିବ । ତେବେ ୩ୟ ଓ ୪ର୍ଥ ଟେଷ୍ଟ ମଧ୍ୟରେ ୯ ଦିନ ବ୍ୟବଧାନ ଥିବାରୁ ବୁମ୍ରାଙ୍କୁ ଯଥେଷ୍ଟ ବିଶ୍ରାମ ମିଳିଥିବ । ତେଣୁ ଯଦି ବୁମ୍ରା ଆହତ ନ ହୁଅନ୍ତି, ଏହି ନିର୍ଣ୍ଣାୟକ ଟେଷ୍ଟମ୍ୟାଚ୍ ସେ ଖେଳିବା ଉଚିତ । ଏହାସହ ପଠାନ୍ ଆହୁରି କହିଛନ୍ତି, ଦଳର ଜଣେ ଖେଳାଳି କେଉଁ ମ୍ୟାଚ୍ ଖେଳିବେ, ତାହା ବାଛିବା ଆଦୌ ଦଳ ପାଇଁ ଶୁଭ ସୂଚନା ନୁହେଁ । ଭାରତୀୟ ଦଳ ପାଖରେ ଅଧିକ ବିକଳ୍ପ ମଧ୍ୟ ନାହିଁ । ବର୍ମିଂହାମ୍ ଟେଷ୍ଟରେ ଆକାଶ ଦୀପ ଓ ମହମ୍ମଦ ସିରାଜ୍ ଭଲ ବୋଲିଂକରି ଦଳକୁ ଜିତାଇଥିଲେ । ହେଲେ ପ୍ରସିଦ୍ଧ କ୍ରିଷ୍ଣା ଅଧିକ ରନ୍ ଦେଇଥିଲେ । ପ୍ରଥମ ଟେଷ୍ଟରେ ସାର୍ଦୁଳ ଠାକୁର ଦଳକୁ ନିରାଶ କରିଥିଲେ । ତେଣୁ କର ବା ମର ମ୍ୟାଚରେ ବୁମ୍ରାଙ୍କୁ ଛାଡ଼ି ଅନ୍ୟ ବିକଳ୍ପ ନାହିଁ । ପୁଣି ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପରେ ଭାରତ ପାଇଁ ଏହା ସବୁଠାରୁ ବଡ଼ ଟେଷ୍ଟ ଶୃଙ୍ଖଳା । ଏପରି ସ୍ଥିତିରେ ଦଳରେ ବେଶି ପରିବର୍ତ୍ତନ କରିବା ଠିକ୍ ନୁହେଁ । ଇଂଲଣ୍ଡର ବାତାବରଣରେ ବୁମ୍ରାଙ୍କ ଉପସ୍ଥିତି ଦଳକୁ ମଜଭୂତ କରିବ । କିଛିଦିନର ବିଶ୍ରାମ ପରେ ଭାରତୀୟ ଦଳ ଗୁରୁବାରଠାରୁ ମାଞ୍ଚେଷ୍ଟରର ବେକେନ୍ହାମ୍ କାଉଣ୍ଟି ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିବ । ଏହି ଅଭ୍ୟାସରେ ବୁମ୍ରାଙ୍କ ଫିଟନେସ ଆକଳନ କରାଯାଇ ତାଙ୍କୁ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟରେ ଖେଳାଯିବ କି ନାହିଁ, ତା\’ର ନିଷ୍ପତ୍ତି ନିଆଯିବ ।
ବୁମ୍ରାଙ୍କ ଖେଳିବା ନେଇ ଭାରତ ଦ୍ୱନ୍ଦ୍ୱରେ
Next Post