ବୟନ ଶିଳ୍ପରେ ୨୫୦୦ କୋଟି ନିବେଶ

0 109

ଭୁବନେଶ୍ୱର, : ପାରମ୍ପରିକ ଭାବେ ଖଣିଜ ଓ ଧାତବ ଶିଳ୍ପ ଲାଗି ପରିଚିତ ଓଡ଼ିଶା ଏବେ ଶିଳ୍ପାୟନରେ ବିବିଧତା ଆଣିବା ଉପରେ ଧ୍ୟାନ ଦେଉଛି । ତାହାର ଏକ ଅଂଶ ସ୍ୱରୂପ ରାଜ୍ୟକୁ ୨୦୩୦ ସୁଦ୍ଧା ପୂର୍ବ ଭାରତର ବୟନ ରାଜଧାନୀରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବୟନ କ୍ଷେତ୍ରରେ ନିବେଶ କରିବା ଲାଗି ନିବେଶକମାନଙ୍କୁ ଆହ୍ୱାନ ଦିଆଯାଇଛି । ଏହି କ୍ଷେତ୍ରରେ ଆସନ୍ତା ୫ ବର୍ଷରେ ୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବୟନ କ୍ଷେତ୍ରକୁ ୨୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏମ୍‌ଏଏସ୍ ହୋଲ୍ଡିଂସ୍‌, ଶାହି, ପେଜ୍ ଇଣ୍ଡଷ୍ଟ୍ରିଜ୍‌, ଏବିଏଫ୍‌ଆର୍‌ଏଲ୍‌, ଏପିକ୍ ଓ ତ୍ରିମେଟ୍ରୋ ଭଳି ସଂସ୍ଥା ନିଜର କାରଖାନା ସ୍ଥାପନ କରିବାକୁ ଆଗେଇ ଆସିଛନ୍ତି । ପ୍ରତିଷ୍ଠିତ କମ୍ପାନୀ ସ୍ପୋର୍ଟକିଙ୍ଗ ମଧ୍ୟ ନିଜର ୟୁନିଟ୍ ବସାଇବାକୁ ଘୋଷଣା କରିଛି । ଏ ସମ୍ପର୍କରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଭାରତର ବୟନ କାହାଣୀକୁ ଓଡ଼ିଶା ପୁନଃ ଉପସ୍ଥାପିତ କରୁଛି । ଫାଇବଠାରୁ ଫ୍ୟାସନ୍ ପର୍ଯ୍ୟନ୍ତ ଏକ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାମୂଳକ ବ୍ୟବସ୍ଥା ଗଠନ କରାଯାଉଛି । ସେଥିରେ ପ୍ରଯୁକ୍ତି, ପରମ୍ପରା ଓ ବିଶ୍ୱାସର ମିଶ୍ରଣ ରହିଛି । ୨୦୩୦ ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ବୟନ ରାଜଧାନୀରେ ପରିଣତ କରିବାକୁ ଆମର ସ୍ପଷ୍ଟ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ବୟନ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାର କାଳିବେଟିରେ ୨୭୮ ଏକର ଓ ଆରଙ୍ଗରେ ୧୭୯ ଏକରର ଉତ୍ସର୍ଗୀକୃତ ଜୋନ୍ ବିକାଶ କରିଛନ୍ତି । ସେଠାରେ ଏକ ୪୦୦୦ ଶଯ୍ୟା ବିଶିଷ୍ଟ ଶ୍ରମିକ ହଷ୍ଟେଲ୍ ନିର୍ମାଣ କରାଯାଉଛି । ଗଞ୍ଜାମରେ ପିଏମ୍ ମିତ୍ର ଟେକ୍ସଟାଇଲ୍ ପାର୍କକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଥିବା ବୟନ କାରଖାନାରେ ୪୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସେଥିରୁ ୭୦ ପ୍ରତିଶତ ନିଯୁକ୍ତି ମହିଳାମାନଙ୍କୁ ମିଳିଛି । ଅଧିକରୁ ଅଧିକ ଲୋକଙ୍କୁ ବୟନ ଶିଳ୍ପରେ ଚାକିରି ଦେବା ପାଇଁ ରାଜ୍ୟ ସରକାର \”ଓଡ଼ିଶା ଟେକ୍ସଟାଇଲ୍ ସ୍କିଲ୍ ମିସନ\’ ଆରମ୍ଭ କରିଛନ୍ତି । ସେଥିରେ ଦେଢ଼ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଚୌଦ୍ୱାରରେ ଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ସଟାଇଲ୍‌ ଟେକ୍ନୋଲୋଜିର ଉନ୍ନତୀକରଣ କରାଯାଉଛି । ବଡ଼ ବଡ଼ ଶିଳ୍ପ ସଂସ୍ଥା ସହିତ ଏହି କ୍ଷେତ୍ରରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ), ହସ୍ତତନ୍ତ ସମବାୟ ସମିତି ଓ ମହିଳାଙ୍କ ନେତୃତ୍ୱାଧୀନ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ଗୁଡ଼ିକ ଯେଭଳି ସଫଳ ହେବେ, ତାହା ଉପରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି । ବୟନ ଶିଳ୍ପର କଞ୍ଚାମାଲ ଆବଶ୍ୟକତା ପୂରଣ କରିବା ଲାଗି ଆଇଓସିଏଲ୍ ପକ୍ଷରୁ ପାରାଦୀପରେ ଡୁଆଲ୍ ଫିଡ୍ ନାପ୍ଥା କ୍ରାକର୍ ୟୁନିଟ୍ ସ୍ଥାପନ କରାଯାଉଛିୟ ରାଜ୍ୟ ସରକାର ପାଞ୍ଚଟି ଫାଇବର୍ ଟୁ ଫ୍ୟାସନ୍ କରିଡର୍ ମଧ୍ୟ ବିକାଶ କରୁଛନ୍ତି । ଓଡ଼ିଶା ବୟନ ଓ ଟେକ୍ନିକାଲ୍ ଟେକ୍ସଟାଇଲ୍ ନୀତି ୨.୦ରେ ନିବେଶକମାନଙ୍କ ଲାଗି ଆକର୍ଷଣୀୟ ସବସିଡି ଓ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.