ନୂଆଦିଲ୍ଲୀ,: ଫ୍ରାନ୍ସର ଅଗ୍ରଣୀ ପ୍ରତିରକ୍ଷା କମ୍ପାନୀ ଡାସଲଟ ଆଭିଏସନ୍ ଏବଂ ଭାରତର ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ (ଟିଏଏସଏଲ୍) ରାଫେଲ୍ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଚାରୋଟି ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହା ଅଧୀନରେ, ରାଫେଲ୍ ଜେଟ୍ର ସମ୍ପୂର୍ଣ୍ଣ ଫ୍ୟୁଜଲେଜ୍ (ବିମାନର ମୁଖ୍ୟବଡି) ଏବେ ଭାରତରେ ହିଁ ନିର୍ମିତ ହେବ । ଏହି ଚୁକ୍ତି ଦେଶର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ମଜବୁତ କରିବା ସହିତ ଭାରତକୁ ବିଶ୍ୱ ମହାକାଶ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ କରିପାରିବ । ଏହି ସହଭାଗୀତା ଅଧୀନରେ, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ଉତ୍ପାଦନ କାରଖାନା ସ୍ଥାପନ କରିବ, ଯେଉଁଠାରେ ରାଫେଲ୍ ବିମାନର ପ୍ରମୁଖ ଅଂଶ- ଯେପରିକି ପଛ ଫ୍ୟୁଜେଲେଜର ପାଶ୍ୱର୍ସେ ଲ୍, ସମ୍ପୂର୍ଣ୍ଣ ପଛ ଅଂଶ, କେନ୍ଦ୍ରୀୟ ଫ୍ୟୁଜେଲେଜ୍ ଏବଂ ସମ୍ମୁଖ ଅଂଶ ନିର୍ମିତ ହେବ । ଡାସଲଟ୍ ଆଭିଏସନ୍ ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ବିବୃତ୍ତିରେ କହିଛି, ଏହି କାରଖାନା ଭାରତର ମହାକାଶ ଭିତ୍ତିଭୂମିରେ ଏକ ପ୍ରମୁଖ ନିବେଶ ଏବଂ ହାଇ-ପ୍ରିସିସନ ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହି ପ୍ଲାଣ୍ଟରେ ଫ୍ୟୁଜଲେଜ୍ ନିର୍ମାଣ ଆର୍ଥିକ ବର୍ଷ ୨୦୨୮ରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ପ୍ରାରମ୍ଭରେ, ପ୍ରତି ମାସରେ ଦୁଇଟି ସମ୍ପୂର୍ଣ୍ଣ ଫ୍ୟୁଜଲେଜ୍ ଆସେମ୍ବିଲ ଲାଇନରୁ ଗଡ଼ିପାରିବ । ଏହା ପ୍ରଥମ ଥର ହେବ ଯେ ରାଫେଲର ଗଠନ ଫ୍ରାନ୍ସ ବାହାରେ କୌଣସି ସ୍ଥାନରେ ନିର୍ମାଣ କରାଯିବ ।