ଭାରତରେ ଦ୍ୱିତୀୟ ଶୋ\’ରୁମ୍ ଖୋଲିବ ଟେସଲା

Tesla to open second showroom in India

0 65

ନୂଆଦିଲ୍ଲୀ,: ଆମେରିକୀୟ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାତା ଟେସଲା ମୁମ୍ବାଇରେ ପ୍ରଥମ ଶୋରୁମ ଖୋଲିବା ପରେ ଏବେ ଭାରତରେ ନିଜର ଦ୍ୱିତୀୟ ଶୋରୁମ ଦିଲ୍ଲୀର ଏରୋସିଟିରେ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଉଦ୍‌ଘାଟନ କରିବାକୁ ଯାଉଛି । ଏହି ନୂଆ ଶୋରୁମ ଏରୋସିଟିର ପ୍ରେଷ୍ଟିଜିୟସ୍ ୱାର୍ଲ୍ଡମାର୍କ ୩ କମ୍ପେ୍ଲକ୍ସରେ ଖୋଲିବ । ଯାହା ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର (ଆଇଜିଆଇ) ନିକଟରେ ଏକ ଭଲ ବ୍ୟବସାୟିକ କ୍ଷେତ୍ର ଭାବେ ବେଶ୍‌ ପରିଚିତ । ଏହି ଶୋରୁମ ୪,୦୦୦ ବର୍ଗଫୁଟ ଜାଗାରେ ନିର୍ମିତ ହେଉଛି ଏବଂ ଏହାର ମାସିକ ଭଡ଼ା ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଆପଣଙ୍କୁ ଜଣାଇରଖୁ ଯେ, ଟେସଲା ଗତ ଜୁଲାଇ ୧୫ ତାରିଖରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ (ବିକେସି)ରେ ଥିବା ମେକର ମାକ୍ସିଟି ମଲ୍‌ରେ ନିଜର ପ୍ରଥମ ଭାରତୀୟ ଶୋରୁମ ଉଦ୍‌ଘାଟନ କରିଥିଲା । ଏହି ଉଦ୍‌ଘାଟନୀ ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପସ୍ଥିତ ରହିବା ସହିତ ଟେସଲାକୁ ଭାରତରେ ଗବେଷଣା ଓ ଉନ୍ନୟନ (ଆର୍‌ଅଣ୍ଡଡି) ତଥା ଉତ୍ପାଦନ କ୍ଷେତ୍ର ସ୍ଥାପନ ପାଇଁ ଆହ୍ୱାନ କରିଥିଲେ । ମୁମ୍ବାଇରେ ଟେସଲାର ପ୍ରଥମ ଶୋ\’ରୁମ୍‌ ଖୋଲିବା ପରେ କମ୍ପାନୀ ଏହାର ଅଫିସିଆଲ ଭାରତୀୟ ୱେବସାଇଟ୍‌ ମଧ୍ୟ ସକ୍ରିୟ କରିଛି, ଯେଉଁଠାରେ ମୁମ୍ବାଇ, ଦିଲ୍ଲୀ ଏବଂ ଗୁରୁଗ୍ରାମରୁ ଆଗ୍ରହୀ ଗ୍ରାହକମାନେ ନିଜର ଆଗ୍ରହ ମୁତାବକ ଗାଡି ଅଗ୍ରିମ ବୁକ୍‌ କରିପାରିବେ । ଏହି ନୂଆ ଶୋରୁମରେ ଟେସଲାର ଜନପ୍ରିୟ ମଡେଲ୍ ୱାଇ ଏସ୍ୟୁଭି ପ୍ରଦର୍ଶିତ ହେବ । ଏହା ସହିତ ଏହି ମଡେଲ ଦୁଇଟି ଭାରିଆ, ଯଥା ରିୟର-ହ୍ୱିଲ ଡ୍ରାଇଭ (ଆରଡବ୍ଲ୍ୟୁଡି) ଏବଂ ଲଙ୍ଗ-ରେଞ୍ଜ ରିୟର-ହ୍ୱିଲ ଡ୍ରାଇଭରେ ଉପଲବ୍ଧ ରହିବ । ଏହି ଗାଡ଼ିଗୁଡ଼ିକ ଟେସଲାର ଚୀନର ସାଂଘାଇ କାରଖାନାରୁ ଆମଦାନୀ କରାଯାଇଛି । ଆରଡବ୍ଲ୍ୟୁଡି ମଡେଲ୍ ୱାଇର ଏକ୍ସଶୋ\’ରୁମ ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା ରହିଥିବା ବେଳେ ଅନ-ରୋଡ୍ ମୂଲ୍ୟ ୬୧.୦୭ ଲକ୍ଷ ଟଙ୍କା ରହିଛି । ସେହିଭଳି ଲଙ୍ଗ-ରେଞ୍ଜ ଆରଡବ୍ଲ୍ୟୁଡିର ଏକ୍ସ-ଶୋ\’ରୁମ ମୂଲ୍ୟ ୬୭.୮୯ ଲକ୍ଷ ଟଙ୍କା ରହିଥିବା ବେଳେ ଅନ-ରୋଡ୍‌ ମୂଲ୍ୟ ୬୯.୧୪ ଲକ୍ଷ ଟଙ୍କା ରହିଛି । ଟେସଲା ଦିଲ୍ଲୀ-ଏନସିଆରରେ ଚାର୍ଜିଂ ନେଟୱାର୍କ ମଧ୍ୟ ସ୍ଥାପନ କରୁଛି । ଯେଉଁଥିରେ ଏରୋସିଟି, ସାକେତ, ନୋଏଡା ଏବଂ ଗୁରୁଗ୍ରାମରେ ୧୬ଟି ସୁପରଚାର୍ଜର ଏବଂ ୧୫ଟି ଡେଷ୍ଟିନେସନ୍ ଚାର୍ଜର ସ୍ଥାପନ କରିବାର ଯୋଜନା ରହିଛି । ଏହି ସୁପରଚାର୍ଜରଗୁଡ଼ିକ ୧୫ ମିନିଟରେ ୨୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଯୋଗାଇ ପାରିବ । ଏହି ପଦକ୍ଷେପ ଭାରତର ବର୍ଦ୍ଧିତ ଇଲେକ୍ଟ୍ରିକ ଗାଡ଼ି ବଜାରରେ ଟେସଲାର ପ୍ରବେଶକୁ ଆହୁରି ମଜବୁତ କରିବ ଏବଂ ଦେଶର ଦୁଇ ପ୍ରମୁଖ ମହାନଗରୀ ମୁମ୍ବାଇ ଓ ଦିଲ୍ଲୀରେ ଏହାର ଉପସ୍ଥିତିକୁ ସୁଦୃ କରିବ । ଟେସଲାର ଏହି ଅଗ୍ରଗତି ଭାରତର ଇଲେକ୍ଟ୍ରିକ ଗତିଶୀଳତା ଆଡକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।

Leave A Reply

Your email address will not be published.