ମାଲେଗାଓଁ ବିସ୍ଫୋରଣ ମାମଲା: ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

Malegaon blast case: All seven accused including Sadhvi Pragya acquitted

0 134

ନୂଆଦିଲ୍ଲୀ, ୩୧ା୭ : ୧୭ ବର୍ଷ ପରେ ଗୁରୁବାର ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାର ରାୟ ଆସିଛି । ଏହି ମାମଲାରେ ଏନ୍ଆଇଏ ସ୍ୱତନ୍ତ୍ର କୋର୍ଟ ସାଧ୍ୱୀ ପ୍ରଜ୍ଞାଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟ କହିଛନ୍ତି ଯେ, ସନ୍ଦେହ ଆଧାରରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ । ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ଥିଲେ । ତାଙ୍କ ସହିତ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା । କୋର୍ଟରେ ରାୟ ପଢିବା ସମୟରେ ବିଚାରପତି କହିଛନ୍ତି ଯେ, ତଦନ୍ତରେ ଅନେକ ଭୁଲ ହୋଇଛି । ସରକାରୀ ପକ୍ଷ ବାଇକରେ ବିସ୍ଫୋରଣ ହୋଇଥିବା ପ୍ରମାଣ ମଧ୍ୟ କରିପାରିଲେ ନାହିଁ । ବିଚାରପତି ଏହା ମଧ୍ୟ କହିଛନ୍ତି ଯେ, ପଞ୍ଚନାମା ଠିକ୍ ଭାବରେ କରାଯାଇ ନଥିଲା । ତେବେ ମାଲେଗାଓଁ ବିସ୍ଫୋରଣରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି ଯେ, ବାଇକର ଚେସିସ୍ ନମ୍ବର ମିଳିପାରିଲା ନାହିଁ । କୋର୍ଟ କହିଛନ୍ତି ଯେ, ବାଇକଟି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କର ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଯାହା ଦାବି କରିଛନ୍ତି, ତାହା କୋର୍ଟରେ ପ୍ରମାଣିତ ହୋଇନାହିଁ । ତେବେ ସେପ୍ଟେମ୍ବର ୨୯ ତାରିଖ ୨୦୦୮ରେ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ମାଲେଗାଓଁରେ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୬ ଜଣ ପ୍ରାଣ ହରାଇଥିଲେ । ବିସ୍ଫୋରଣ ଯୋଗୁଁ ୧୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ଲୋକମାନେ ନମାଜ ପାଠ କରିବାକୁ ଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ ସେପ୍ଟେମ୍ବର ୩୦ ତାରିଖ ୨୦୦୮ରେ ମାଲେଗାଓଁର ଆଜାଦ ନଗର ଥାନାରେ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ସେହିପରି ଏହି ମାମଲାର ପ୍ରାରମ୍ଭିକ ତଦନ୍ତ ପୋଲିସ କରିଥିଲା, କିନ୍ତୁ ଏହା ପରେ ସମ୍ପୂର୍ଣ୍ଣ ତଦନ୍ତ ଏଟିଏସ୍ ହାତକୁ ଗଲା । ତଦନ୍ତରୁ ଜଣାପଡିଲା ଯେ, ଏଲ୍ଏମ୍ଏଲ୍ ଫ୍ରିଡମ୍ ବାଇକରେ ଏକ ବୋମା ରଖାଯାଇଥିଲା । ଏହା ବିସ୍ଫୋରଣ ଘଟାଇଥିଲା, କିନ୍ତୁ ବାଇକରେ ଥିବା ନମ୍ବର ଭୁଲ ଥିଲା । ଯେତେବେଳେ ବାଇକର ତଦନ୍ତ ଆରମ୍ଭ ହୋଇଥିଲା, ସେତେବେଳେ ଦାବି କରାଯାଇଥିଲା ଯେ ଏହା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାମରେ ଥିଲା । ବିସ୍ଫୋରଣର ପ୍ରାୟ ଗୋଟିଏ ମାସ ପରେ ସାଧ୍ୱୀ ପ୍ରଜ୍ଞା ଏବଂ ଆଉ ୨ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.