ଭୁବନେଶ୍ୱର, : ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷକରି ଶିଳ୍ପ ଭିତ୍ତିକ ବିକାଶ, ସବୁଜ ଶକ୍ତି ବା ଅକ୍ଷୟ ଶକ୍ତିର ଉତ୍ପାଦନ ଏବଂ କୋଲ୍ ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପନ ଉପରେ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ରାଜ୍ୟରେ ଶିଳ୍ପ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ନିକଟରେ ଗୋପାଳପୁର ବନ୍ଦରର ବିକାଶ ପାଇଁ ରାଜ୍ୟ ସରକାର ଏକ ରିଆତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏଥିରେ ଆଦାନୀ ଗ୍ରୁପ ପକ୍ଷରୁ ୧୬,୫୫୪ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏହାଦ୍ୱାରା ଗୋପାଳପୁର ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇବ । ୫୦୦୦ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହେବ । ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।