କେନ୍ଦୁଝର, : ମୁଖ୍ୟମନ୍ତ୍ରୀଙ୍କ ନିଜ ଗାଁ ରାଇକଳା ହୋଇ ଉଠିଥିଲା ଉତ୍ସବମୁଖର । ମୁଖ୍ୟମନ୍ତ୍ରୀଙ୍କର ଘର ପ୍ରତିଷ୍ଠା ପାଇଁ ଚାଲିଥିଲା ପୂଜାର୍ଚ୍ଚନା । ହେଲେ, ଏହା କୌଣସି ୩-୪ ମହଲା ବିଳାଶପୂର୍ଣ୍ଣ ଛାତ ଘର ନଥିଲା । ଗାଁରେ ଥିବାନିଜ ପୁରୁଣା, ଜରାଜୀର୍ଣ୍ଣ ଟାଇଲ୍ ଛପର ଘରକୁ ସଜାଡ଼ି ନୂଆ ରୂପ ଦେଇଥିଲେ । ଏହି ଘରକୁ ସେ ପୂଜାର୍ଚ୍ଚନା ପରେ ଘର ପ୍ରତିଷ୍ଠା କରିଥିଲେ । ଲୋକେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ସରଳ ଜୀବନ ଯାପନ ଶୈଳୀକୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବାର ୧ ବର୍ଷ ପରେ ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କର ଘର ମରାମତି ହୋଇ ରଙ୍ଗ ମରାଯାଇଛି । ଏପରିକି, ଘରର ପ୍ରବେଶ ଦ୍ୱାରରେ ଥିବା ଲୁହା ଗେଟ୍କୁ ମଧ୍ୟ ପରିବର୍ତ୍ତନ ନକରି ସେଥିରେ କେବଳ ନୂଆ ରଙ୍ଗ ମରା ଯାଇଛି । ସ୍ୱଳ୍ପ ଖର୍ଚ୍ଚରେ ସେହି ପୁରୁଣା କାନ୍ଥରେ ନୂଆ ରଙ୍ଗ ମାରି ଆଦିବାସୀ ପରମ୍ପରାରେ ଘରକୁ ନବୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ, ବିଧାୟକ ଥିବା ସମୟରୁ ଯେଭଳି ନିଜ କଥା ଚିନ୍ତା ନକରି ଲୋକଙ୍କ ସମସ୍ୟା ପ୍ରତି ଅଧିକ ଧ୍ୟାନ ଦେଉଥିଲେ, ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ସେଭଳି କରୁଥିବା କହିଛନ୍ତି ଲୋକେ । ନିଜ କଥା କମ୍, ହେଲେ ଲୋକଙ୍କ କଥା, ମୁଖ୍ୟମନ୍ତ୍ରୀ ଅଧିକ ଚିନ୍ତା କରୁଥିବା କହିଛନ୍ତି ଲୋକେ । ଜନତାଙ୍କ ମୁଖ୍ୟମନ୍ତ୍ରୀଙ୍କର ଏଭଳି ସରଳ ଜୀବନ ଶୈଳୀକୁ ସମସ୍ତେ ପ୍ରଶଂସା କରିଛନ୍ତି ।