ନୂଆଦିଲ୍ଲୀ, ୯ା୬ : ହନିମୁନ ଟ୍ରିପ ବେଳେ ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ବେୱାଫା ସୋନମ ରଘୁବଂଶୀଙ୍କ ସମ୍ପର୍କରେ ଆଉ ଏକ ସାଂଘାତିକ ତଥ୍ୟ ଆସିଛି । ସେ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହନିମୁନ ଟ୍ରିପରେ ଯିବା ବେଳେ ନିଜ ପାଖରେ ଥିବା ୧୦ ଲକ୍ଷ ଟଙ୍କା ମୂଲ୍ୟରେ ସୁନା ପିନ୍ଧିବାକୁ ବାଧ୍ୟ କରିଥିଲେ । ରାଜା ମଧ୍ୟ ପତ୍ନୀ ସୋନମଙ୍କ କଥାରେ ସୁନା ପିନ୍ଧି ମଧ୍ୟପ୍ରଦେଶର ଇନ୍ଦୋରରୁ ହନିମୁନ ପାଇଁ ମେଘାଳୟର ଶିଲଂ ଯାଇଥିଲେ । ସେଠାରେ ସୋନମ ନିଜ ପ୍ରେମିକ ରାଜ କୁଶୱା ଓ ଆଉ କିଛି ସୁପାରୀ କିଲରଙ୍କ ସହ ମିଶି ରାଜାଙ୍କୁ ହତ୍ୟା କରିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି । ମେ’ ୨୩ରୁ ଉଭୟ ସୋନମ ଓ ରାଜା ମେଘାଳୟରୁ ନିଖୋଜ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ରାଜାଙ୍କ ଗଳିତ ମୃତଦେହ ଚେରାପୁଞ୍ଜି ଅଞ୍ଚଳରୁ ମିଳିଥିଲା । ନିଖୋଜ ଥିବା ସୋନମଙ୍କୁ ସୋମବାର ଉତ୍ତର ପ୍ରଦଶର ଗାଜିପୁରରୁ ପୋଲିସ୍ ଗିରଫ କରିଛି । ତେବେ ସେ ଅପହରଣର ଓ ଲୁଟର ଶିକାର ହେବା ପରେ ଉତ୍ତର ପ୍ରଦେଶରେ ଆସି ପହଞ୍ଚିଥିବା ପୋଲିସକୁ କହିଛନ୍ତି । ଏସବୁ ଭିତରେ ବେୱାଫା ଓ ହତ୍ୟାର ଅପବାଦ ମୁଣ୍ଡାଇ ଥିବା ସୋନମଙ୍କ ସମ୍ପର୍କରେ ରାଜାଙ୍କ ମା’ ବଡ଼ କଥା କହିଛନ୍ତି । ତାଙ୍କ କହିବା କଥା ଯେ ସୋମନ ରଘୁବଂଶୀ ହନିମୁନ ଟ୍ରିପ ପାଇଁ ସବୁ ପ୍ରକାରର ଟିକେଟ ବୁକିଂ କରିଥିଲେ । ଯିବା ଠାରୁ ଆରମ୍ଭ କରି ବୁଲାବୁଲି ଓ ହୋଟେଲ ରହଣୀ ସମ୍ପର୍କିତ ବୁକିଂ ସେ ନିଜ ଆଡ଼ୁ କରିଥିଲେ । କିନ୍ତୁ ରିଟର୍ଣ୍ଣ ଟିକେଟ ସେ ବୁକିଂ କରି ନଥିଲେ । ରାଜାଙ୍କ ମା’ ଉମା ରଘୁବଂଶୀ କହିଛନ୍ତି ଯେ ଶିଲଂ ବ୍ୟତୀତ ନିଜ ଟ୍ରିପକୁ ଅଧିକ ଲମ୍ବା କରିବା ମୁଡରେ ସମ୍ଭବତଃ ସୋନମ ରହିଥିଲା । କିନ୍ତୁ ନିଜର ଟ୍ରିପ ସମ୍ପର୍କରେ ଉଭୟ ପରିବାର ଠାରୁ ଲୁଚାଇ ରଖିଥିଲା । ସୋନମ ଟ୍ରିପ ପାଇଁ ଟିକେଟ ବୁକ କରିଥିଲା । ରିଟର୍ଣ୍ଣ ଟିକେଟ ବୁକ ନ କରାଯିବା ପଛର କାରଣ ମଧ୍ୟ ମୋ ପୁଅକୁ ଜଣା ନଥିଲା । ଗତବର୍ଷ ସୋନମ ନିଜ ପରିବାର ସହ ଶିଲଂ ଯାଇଥିଲା । ଏବେ ପୁଣି ସେ ରାଜା ସହ ସେଠାକୁ ଯିବାକୁ ଟିକେଟ ବୁକ କରିଥିଲା । ପୋଲିସ୍ ଅଧିକାରୀଙ୍କ କହିବା କଥା ଯେ ମଧ୍ୟପ୍ରଦେଶରୁ ରାଜା ଓ ସୋନମ ସେମାନଙ୍କର ସବୁ ସୁନା ଅଳଙ୍କାର ପିନ୍ଧି ମେଘାଳୟ ଯାଇଥିଲେ । ସୋନମ ନିଜ ବାପାଙ୍କ ଘରୁ ସିଧା ଏୟାରପୋର୍ଟ ଯାଇଥିବା ବେଳେ ରାଜା ନିଜ ଘର ୧୦ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଜିନିଷ ପିନ୍ଧି ସେଠାରେ ପହଞ୍ଚିଥିଲେ । ଏହା ମଧ୍ୟରେ ଗୋଟିଏ ହୀରାର ମୁଦି, ଚେନ ଓ ବ୍ରେସଲେଟ ରହିଥିଲା । ଏତେ ଟଙ୍କାର ଅଳଙ୍କାର ପିନ୍ଧି କାହିଁକି ବାହାରକୁ ଯାଉଛୁ ବୋଲି ରାଜାଙ୍କ ମା’ ତାଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବରେ ସୋନମ ତାଙ୍କୁ ଏପରି କରିବାକୁ କହିଥିବା ସେ ମା’ଙ୍କୁ ଜଣାଇଥିଲେ । ଉମା କହିଛନ୍ତି, ହତ୍ୟାରେ ଯଦି ସୋନମ ସାମିଲ ରହିଛି, ତା’ହେଲେ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ । ସୋନମ ସୋମବାର ସକାଳୁ ମିଳିବା କଥା ପୋଲିସ୍ ଆମକୁ ଜଣାଇ ନଥିଲା । ପୂରା ଘଟଣାର ସିବିଆଇ ତଦନ୍ତ ହେବା ଦରକାର । ଯଦି ସୋନମ କିଛି କରି ନାହିଁ, ତା’ହେଲେ ତା’କୁ କାହିଁକି ଗିରଫ କରାଯାଇଛି? ସୋନମର ବ୍ୟବହାର ପୂରା ଭଲ ଥିଲା । ସେ ସବୁବେଳେ ମୋତେ କୁଣ୍ଢାଇ ଥାଏ । ଯଦି ସୋନମ ତାଙ୍କ ପୁଅକୁ ଭଲ ପାଉଥିଲେ, ତା’ହେଲେ ତାଙ୍କୁ କାହିଁକି ମରିବା ପାଇଁ ଛାଡ଼ି ଦେଲେ ବୋଲି ମଧ୍ୟ ଉଷା ରଘୁବଂଶୀ ପ୍ରଶ୍ନ କରିଛନ୍ତି । ମେ’ ୧୧ରେ ବିବାହ କରିଥିବା ରାଜା ଓ ସୋନମ ଚେରାପୁଞ୍ଜିକୁ ହନିମୁନ ପାଇଁ ଯାଇଥିଲେ । କିନ୍ତୁ ମେ’ ୨୩ରେ ସେମାନଙ୍କ ନିଖୋଜ ମାମଲା ସାମ୍ନାକୁ ଆସିଥିଲା । ନିଖୋଜର ଦିନକ ପରେ ସେମାନେ ଭଡ଼ାରେ ଥିବା ସ୍କୁଟିକୁ ସୋହରାରିମକୁ ଠାବ କରାଯାଇଥିଲା । ଏହାର ୧୦ ଦିନ ପରେ ରାଜାଙ୍କ ମୃତଦେହ ରିଆତ ଅର୍ଲିଆଙ୍ଗର ୱିଇସାୱଡଙ୍ଗର ପାର୍କିଂ ସ୍ଥଳର ଗୋଟିଏ ଖାତରୁ ମିଳିଥିଲା । ସେଠାରୁ ଗୋଟିଏ କାତିକୁ ମଧ୍ୟ ପୋଲିସ୍ ଜବତ କରିଥିଲା । ସମ୍ଭବତଃ ଉକ୍ତ କାତିରେ ରାଜାଙ୍କୁ ହତ୍ୟା କରାଯାଇଥିଲା । ସୋମବାର ସକାଳେ ସୋନମଙ୍କୁ ଗାଜିପୁର ସ୍ଥିତ ଗୋଟିଏ ରାସ୍ତା କଡ଼ ଢାବାରୁ ଅଚେତ ଅବସ୍ଥାରେ ପୋଲିସ୍ ଠାବ କରିଥିଲା । ଏହାପରେ ତାଙ୍କୁ ଗାଜିପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆତ୍ମସମର୍ପଣ କରିଥିଲେ ଓ ପୋଲିସ୍ ତାଙ୍କୁ ଗିରଫ କରିଥିଲା । ପୋଲିସ୍ ଦାବି କରିଛି ଯେ ବାହାଘର ପରେ ମଧ୍ୟ ସୋନମ ପରକୀୟା ପ୍ରୀତିରେ ମାତିଥିଲେ । ଏଥିପାଇଁ ସେ ନିଜ ପ୍ରେମିକ ରାଜ କୁଶୱା ଓ କିଛି ସୁପାରୀ କିଲରଙ୍କ ଦ୍ୱାରା ଶିଲଂରେ ରାଜାଙ୍କୁ ହତ୍ୟା କରିଛନ୍ତି । ସେ ରାଜ କୁଶୱାଙ୍କ କଥାରେ ହତ୍ୟାକାଣ୍ଡ ଘଟାଇଥିଲେ ଓ ପରେ ଚାପରେ ଆସି ଆତ୍ମସମର୍ପଣ କରିଛନ୍ତି ।