ଯାତ୍ରୀ ସୁରକ୍ଷାରେ ସୁଧାର ପାଇଁ ରେଳ ବଗିରେ ଲାଗିବ ସିସିଟିଭି କ୍ୟାମେରା

0 28

ନୂଆଦିଲ୍ଲୀ, : ସବୁଟ୍ରେନ୍‌ ବଗିରେ ସିସିଟିଭି କ୍ୟାମେରା ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ପରୀକ୍ଷାମୂଳକ ଭାବରେଯାତ୍ରୀବାହୀ ଟ୍ରେନ ବଗିରେ ସିସିଟିଭି କ୍ୟାମେରା ସ୍ଥାପନର ସକାରାତ୍ମକ ଫଳାଫଳକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ ଉଲ୍ଲେଖନୀୟ ଉନ୍ନତି ଆଣିବ । ଏହାଦ୍ୱାରା ଟ୍ରେନରେ ଅପରାଧ ଘଟାଉଥିବା ଦୁର୍ବୃତ୍ତ ଏବଂ ସଂଗଠିତ ଅପରାଧୀଦଳଙ୍କଠାରୁ ସରଳ ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇ ପାରିବ । କ୍ୟାମେରା ଲାଗିବା ପରେ ଏପରି ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଯାତ୍ରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁ ବଗି ଦ୍ୱାର ନିକଟରେ ଥିବା ସର୍ବସାଧାରଣ ଯାତାୟାତ କ୍ଷେତ୍ରରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଲୋକୋମୋଟିଭ୍‌ ଏବଂ ବଗିରେ ସିସି ଟିଭି କ୍ୟାମେରା ସଂଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ । ୧୨ ଜୁଲାଇ, ୨୦୨୫ ଶନିବାର ଦିନ ଅନୁଷ୍ଠିତ ଏହି ବୈଠକରେ ରେଳ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ରେଳ ଅଧିକାରୀମାନେ ବୈଠକରେ କହିଥିଲେ, ଉତ୍ତର ରେଳବାଇର ଲୋକୋ ଇଞ୍ଜିନ୍ ଏବଂ ବଗିରେ କ୍ୟାମେରା ଲଗାଇବାର ସଫଳ ପରୀକ୍ଷଣ କରାଯାଇଛି । ଏହାକୁ ଆଧାର କରି କେନ୍ଦ୍ର ରେଳମନ୍ତ୍ରୀ ସମସ୍ତ ୭୪ ହଜାରବଗିଏବଂ ୧୫ ହଜାର ଲୋକୋମୋଟିଭ୍‌ରେ ସିସି ଟିଭି କ୍ୟାମେରା ଲଗାଇବାକୁ ଅନୁମତି ଦେଇଛନ୍ତି । ପ୍ରତ୍ୟେକ ରେଳ ବଗିରେ ୪ଟି ଡୋମ୍ ସିସିଟିଭି କ୍ୟାମେରା ଲଗାଯିବ । ପ୍ରତ୍ୟେକ ପ୍ରବେଶ ପଥରେ ୨ଟି ଏବଂ ପ୍ରତ୍ୟେକ ଲୋକୋମୋଟିଭ୍‌ରେ ୬ଟି ସିସି ଟିଭି କ୍ୟାମେରା ଲାଗିବ । ଏଥିରେ ଲୋକୋମୋଟିଭ୍‌ର ଆଗ, ପଛ ଏବଂ ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ କ୍ୟାମେରା ରହିବ । ପ୍ରତ୍ୟେକ କ୍ୟାବ୍‌ରେ (ଆଗ ଏବଂ ପଛ) ଗୋଟିଏ ଡୋମ୍‌ ସିସି ଟିଭିକ୍ୟାମେରା ଲଗାଯିବ ଏବଂ ଡେସ୍କରେ ୨ଟି ମାଇକ୍ରୋଫୋନ୍‌ ଲଗାଯିବ । ଅଧିକାରୀମାନେ କହିଥିଲେ, ସର୍ବୋତ୍କୃଷ୍ଟ ମାନର ଏବଂ ଏସଟିକ୍ୟୁସି ପ୍ରମାଣିତ ସିସିଟିଭି କ୍ୟାମେରାଗୁଡ଼ିକ ଲଗାଯିବ । କେନ୍ଦ୍ର ରେଳମନ୍ତ୍ରୀ ସର୍ବୋତ୍ତମ ଉପକରଣ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ରେଳ ଅଧିକାରୀମାନଙ୍କୁ ୧୦୦କିଲୋମିଟରରୁ ଅଧିକ ବେଗରେ ଏବଂ କମ୍ ଆଲୋକ ପରିସ୍ଥିତିରେ ଚାଲୁଥିବା ଟ୍ରେନ୍ ଗୁଡ଼ିକର ଉଚ୍ଚମାନର ଫୁଟେଜ୍ ରେକର୍ଡ କରିବା ନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଇଣ୍ଡିଆଏଆଇ ମିଶନ୍ ସହିତ ସହଯୋଗରେ ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଥିବା ତଥ୍ୟ ଉପରେ ଏଆଇର ବ୍ୟବହାର ଅନୁସନ୍ଧାନ କରିବାକୁ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ । ବଗିଗୁଡ଼ିକର ସାଧାରଣ ଗତିବିଧି କ୍ଷେତ୍ରରେ କ୍ୟାମେରା ଲଗାଇବାର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଉନ୍ନତ କରିବା । ଗୋପନୀୟତାକୁ ଧ୍ୟାନରେ ରଖି, ଏହି କ୍ୟାମେରାଗୁଡ଼ିକ ଅପରାଧିକତତ୍ତ୍ୱ ମାନଙ୍କୁ ଚିହ୍ନଟ କରିବାରେ ମଧ୍ୟ ସାହାଯ୍ୟ କରିବ । ଭାରତୀୟ ରେଳବାଇର ଆଧୁନିକୀକରଣ ପ୍ରୟାସ ଏକ ନିରାପଦ, ସୁରକ୍ଷିତ ଏବଂ ଯାତ୍ରୀ-ଅନୁକୂଳ ଯାତ୍ରା ଅଭିଜ୍ଞତା ପ୍ରତି ଏହାର ପ୍ରତିବଦ୍ଧତାକୁ
ନିରନ୍ତର ଭାବେ ବ୍ୟକ୍ତ କରିଆସୁଛି ।

Leave A Reply

Your email address will not be published.