ପୁରୀ, ୭ା୭ : ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି । ମହାପ୍ରଭୁଙ୍କ ଅପାର କରୁଣା, ଆଶୀର୍ବାଦ ଯୋଗୁଁ ଧାର୍ଯ୍ୟ ସମୟ ନୀଳାଦ୍ରି ବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଡିସେମ୍ବର ୨୭ରୁ ଆରମ୍ଭ ହୋଇଥିବା ମରମତି କାମ ମୋଟ ୯୫ ଦିନରେ ୩୩୨ ଘଣ୍ଟା ୪୭ ମିନିଟ ଧରି ଚାଲିଥିଲା । ପୁରୁଣା ବିମକୁ ମିଶାଇ ମୋଟ ୨୧ଟି ବିମ ଲଗାଯାଇଛି । ଗ୍ରାନାଇଟ ଚଟାଣ ନିର୍ମାଣ ସହ ଛାତରେ ୧୫ଟି ଷ୍ଟେନଲେସ ଷ୍ଟିଲ ବିମ ଲଗାଯାଇଛି । ବର୍ମାଟିକ କାଠରେ ଦ୍ୱାର ହୋଇଥିବାବେଳେ ବାହାର ଭଣ୍ଡାର ଘର ଦୁଆର ରୁପା ଛାଉଣି କରାଯିବ । ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ କରାଯାଇଛି । ପ୍ରାଥମିକ ଭାବେ ଅସ୍ଥାୟୀ ଭଣ୍ଡାର ଘରୁ ରତ୍ନ ଗୁଡିକୁ ସ୍ଥାନନ୍ତର କରାଯିବ । ଏହା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ଥରୀୟ କମିଟି ଓ ସ୍ୱତନ୍ତ୍ର ଏସଓପି ମାଧ୍ୟମରେ ରତ୍ନ ଭଣ୍ଡାରର ରତ୍ନ ଗୁଡିକର ଗଣତି ମଣତି କାର୍ଯ୍ୟ କରାଯିବ । ୧୪ ଜୁଲାଇ ୨୦୨୪ ରତ୍ନ ଭଣ୍ଡାର ଖୋଲାଯାଇଥିଲା । ପ୍ରାଥମିକ ଭାବେ ପ୍ରଥମେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା ।୨୦୨୪ ଅଗଷ୍ଟ ୨୩ତାରିଖରେ ଆଇରନ ସିନ୍ଦୁକ ସ୍ଥାନାନ୍ତର ହୋଇଥିଲା । ପରେ ସେପ୍ଟେମ୍ବର ୨୪ ତାରିଖରେ ଏଏସ ଆଇ ଅଧିକାରୀମାନଙ୍କ ସ୍ୱତନ୍ତ୍ର ଟିମ ଯାଞ୍ଚ କରିଥିଲା । ଏହା ପରେ ଏଏସଆଇ ରିପୋର୍ଟ ଆଧାରରରେ ୧୭ ଡିସେମ୍ବରରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ଚଳିତ ବର୍ଷ ୨୮ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ଭଣ୍ଡାର ମରାମତି କାର୍ଯ୍ୟ କରିବାକୁ ପ୍ରାୟ ୬ମାସରୁ ଅଧିକ ସମୟ ଲାଗିଥିଲା । ଲେଜର ସ୍କାନିଂ ଓ ଜିପିଆରଏସ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତି ଆଧାରରେ ଏଏସଆଇ ପକ୍ଷରୁ ସଂରକ୍ଷଣ ଓ ମରାମତି କାର୍ଯ୍ୟ କରାଯାଇଛି । ଏହା ମଧ୍ୟରେ ଯଏଣ୍ଟ ସିଲିଂ, ଗ୍ରାଉଣ୍ଡିଂ, ଷ୍ଟେନଲେସ ବକ୍ସ ବିମ ଓ ଚ୍ୟାନେଲ ୱାଶିଂ କରାଯାଇଛି । ଦୁର୍ବଳ ଓ ଖରାପ ହୋଇଯାଇଥିବା ବାହାର୍ ରତ୍ନଭଣ୍ଡାର ପୁରୁଣା କବାଟ କଢ଼ାଯାଇ ବର୍ମାଟିକ୍ କାଠରେ ଦ୍ୱାର କରାଯାଇଛି । ଏହି ଦ୍ୱାରକୁ ରୂପା ଛାଉଣି କରାଯିବ । ସେହିପରି ଭିତର ରତ୍ନଭଣ୍ଡାର ଦ୍ୱାରକୁ ସୁନା ଛାଉଣି କରାଯିବ ବୋଲି ସେ ସୂଚନା ଦେଇଥିଲେ ।ଉଦ୍ଭୟ ଭିତର ଓ ବାହାର୍ ରତ୍ନଭଣ୍ଡାରରେ ତିନୋଟି ଲେଖାଏଁ ତାଲା ପକାଇ ଜଉମୁଦ ଦିଆଯାଇ ଚାବି ଉପଯୁକ୍ତ ସ୍ଥାନରେ ରଖାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସ୍ୱତନ୍ତ୍ର ଏସଓପି ଅନୁଯାୟୀ ଅସ୍ଥାୟୀ ଖଟ ଓ ଫୁଲ ଶେଯ ଘରେ ଥିବା ରତ୍ନ ଅଳଙ୍କାର ବାହାର ଓ ଭିତର ରତ୍ନଭଣ୍ଡାରକୁ ଅଣାଯିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ ।