ରାଜ୍ୟରେ ଜୈବ-ଅର୍ଥନୀତିର ବିକାଶ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ

MoU signed for development of bio-economy in the state

0 40

ଭୁବନେଶ୍ୱର, : ରାଜ୍ୟରେ ଜୈବ-ପ୍ରଯୁକ୍ତି ଓ ଜୈବସମ୍ବଳକୁ ଆଧାର କରି ଜୈବ- ଅର୍ଥନୀତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଜୈବ-ପ୍ରଯୁକ୍ତି ବିଦ୍ୟା ଏକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ ଜୈବ-ଅର୍ଥନୀତି ରାଜ୍ୟର ବିକାଶ ଧାରାରେ ପ୍ରମୁକ ଯୋଗଦାନ କରିବାର ବ୍ୟାପକ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଆଇଆଇଏମ୍‌, ସମ୍ବଲପୁର ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନରେ ସ୍ୱାକ୍ଷରିତ ହୋଇଛି । ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ଉପସ୍ଥିତିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପୂଜା ମିଶ୍ର ଏବଂ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ବୁଝାମଣାପତ୍ର ଅନୁଯାୟୀ ରାଜ୍ୟରେ ଜୈବ- ଅର୍ଥନୀତି ସମ୍ଭାବନା ଥିବା କ୍ଷେତ୍ରଗୁଡ଼ିକୁ ବିଚାରକୁ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଆଇଆଇଏମ୍‌, ସମ୍ବଲପୁର ପକ୍ଷରୁ ପ୍ରଦାନ କରାଯିବ । ଜୈବ-ଅର୍ଥନୀତି ରିପୋର୍ଟ ବିକଶିତ କରିବା, ଏ କ୍ଷେତ୍ରରେ ଥିବା ପ୍ରମୁଖ ଆହ୍ୱାନ ଓ ବିକାଶ ସୁଯୋଗର ମୂଲ୍ୟାୟନ କରି ଏକ ତଥ୍ୟଭିତିକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ରିପୋର୍ଟ ଭବିଷ୍ୟତର ଜୈବ ଉଦ୍ୟୋଗ, ବିଶେଷ କରି ଜୈବ-ଅର୍ଥନୀତି ଏବଂ ସାଧାରଣ ଭାବେ ଆର୍ôଥକ ଅଭିବୃଦ୍ଧି ଦିଗରେ ଏକ ମାନଦଣ୍ଡ ଭାବେ ଉଭାହେବ ବୋଲି ଉଭୟ ପକ୍ଷ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅତିରିକ୍ତ ଶାସନ ସଚିବ ଶିବାନୀ ମହାନ୍ତି, ବିତ୍ତ ପରାମର୍ଶଦାତା ବିଦ୍ୟୁତପ୍ରଭା ରାଉତ, ଉର୍ମିପ୍ରଭା ମହାରଣା, ଆଇଆଇଏମ୍‌, ସମ୍ବଲପୁରର ଅଧ୍ୟାପକ ଆର.କେ. ପାଢ଼ୀ ଏବଂ ସନ୍ଦୀପ ମୁଖୋପାଧ୍ୟାୟଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.