ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରୁ ଜୟପାଟଣା ବ୍ଲକ ବାନେର କୁ ସଂଯୋଗ କରୁଥିବା ୧୪ କିମି ରାସ୍ତା ର ଅବସ୍ଥା ଦୀର୍ଘବର୍ଷ ହେବ ଅତି ଶୋଚନୀୟ ହୋଇ ପଡିଛି । ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ର ପ୍ରତିଶ୍ରୁତି ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଅଧୁରା ହୋଇ ପଡିଛି। କୋକସରା ବ୍ଲକ ର ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହେଉଛି ଲଡୁଗାଁ, ଏହି ସହର ଉପରେ ଦୈନିକ କୋକସରା ର ୨୨ ପଞ୍ଚାୟତ ସମେତ ଜୟପାଟଣା ବ୍ଲକ ର ଉଛୁଲା, ରେଙ୍ଗାଳପାଲି, ଭଇରିପାଲି,ପୁଝାରିଗୁଡା ପଞ୍ଚାୟତ ର ଅଞ୍ଚଳ ର ଅଞ୍ଚଳବାସୀ ନିର୍ଭରଶୀଳ । ଲଡୁଗାଁ କୁ ଆସିବା ପାଇଁ ମାତ୍ର ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ରାସ୍ତା ରେ ବଡ଼ ବଡ଼ ଖାଲଖମା ଓ ଏବେ ବର୍ଷା ଯୋଗୁଁ ରାସ୍ତା ସାରା ପାଣି କାଦୁଅ ସରସର ହୋଇ ଲୋକଙ୍କ ପାଇଁ ଦୁର୍ଦ୍ଦଶା ର କାରଣ ସାଜିଛି।ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଏବେ ଏହା ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ହୋଇଛି।ତେବେ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଜୈନିକ ଠିକାସଂସ୍ଥା କୁ କାର୍ଯ୍ୟାଦେଶ ମିଳିଥିବା ନେଇ ବିଭାଗୀୟ ଯନ୍ତ୍ରି ନବ କିଶୋର ବେହେରା ସୂଚନା ଦେଇଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ କାହିଁକି ଆଗେଇ ପାରୁନାହିଁ ତାହା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବିଗତ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିବା ବେଳେ ତତ୍କାଳୀନ ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତି ର ଦିର୍ଘ ବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଶାସନ ର ନାଲି ଫିତା ତଳେ ଅଟକି ରହିଛି। ରାସ୍ତା ନିର୍ମାଣ ନେଇ ପ୍ରଶାସନ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ପୁଣି ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଅଞ୍ଚଳ ର ସଚେତନ ନାଗରିକ ପ୍ରମୁଖ ଚେତାବନୀ ଦେଇଛନ୍ତି।