ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରେ ପ୍ରାଥମିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିପର୍ଯ୍ୟସ୍ତ

Infrastructure of primary education institutions in Rengali block of Sambalpur district is in a state of disaster

0 116

ସମ୍ବଲପୁର, 25/7: ସରକାର ସମସ୍ତଙ୍କୁ ଶିକ୍ଷାଦାନ ବାଧ୍ୟତା ମୂଳକ ବୋଲି ଶିକ୍ଷା ଅଧିକାର ଆଇନ୍ ପ୍ରଣୟନ କରିଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ନାନା ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି ପ୍ରଚାର ପ୍ରସାର ହେଉଛି । କିନ୍ତୁ ବାସ୍ତବିକ କ୍ଷେତ୍ରର ଚିତ୍ର ଠିକ୍ ଓଲଟା । ସମ୍ବଲପୁର ଜିଲ୍ଲାର ଶିଳ୍ପ ସମୃଦ୍ଧ ରେଙ୍ଗାଲିବ୍ଲକର ପ୍ରାଥମିକସ୍ତରରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକର ବିପର୍ଯ୍ୟସ୍ତ ଶୋଚନୀୟ ଭିତ୍ତିଭୂମି ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଅଟେ । ବିଭିନ୍ନ ବହୁ ରାଷ୍ଟିୟ କମ୍ପାନୀର କଳକାରଖାନା ଖଣି ଖାଦାନ ରେ ସମୃଦ୍ଧ ରେଙ୍ଗାଲିବ୍ଲକ ର ୧୬ଟି ଗ୍ରାମପଞ୍ଚାୟତରେ ୧୦୯ଟି ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି । ସେଥିମଧ୍ୟରୁ ୬୩ଟି ବିଦ୍ୟାଳୟର ମୌଳିକ ଭିତ୍ତିଭୂମି ବିପର୍ଯ୍ୟସ୍ତ ତଥା ଶୋଚନୀୟ ଅବସ୍ଥାରେ ପଡି ରହି ଥିଲେ ବି ବିପର୍ଯ୍ୟସ୍ତ କୋଠରୀରେ ଶିକ୍ଷାଦାନ ଚାଲିଛି । କେଉଁ ବିଦ୍ୟାଳୟର ଛାତରୁ ସିମେଣ୍ଟ ଅତଡା ଖସୁଛି ତ କେଉଁଠି ବର୍ଷା ହେଲେ ଛାତର ଝରଝର ହୋଇ ପାଣି ଝରି ଚଟାଣ ଓଦା ହୋଇ ପଡୁଛି । ବର୍ଷାଋତୁରେ ପରିସ୍ଥିତି ଅଧିକ ଜଟିଳ ହୋଇ ପଡୁଛି । କେଉଁଠି ବାରଣ୍ଡରେ ତ କେଉଁଠି ଗୋଟିଏ କୋଠରୀରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବସାଇ ଜେନ ତେନ ପ୍ରକାରେଣ ଶିକ୍ଷାଦାନ ଚଲାଇବା ଭଲି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ବର୍ଷବର୍ଷ ହେଲା ସ୍କୁଲ ଗୁଡିକ ଏଭଲି ଶୋଚନୀୟ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ଏଥି ପ୍ରତି କାହାରି ନିଘା ନାହିଁ । ସବୁଠାରୁ ଦୁର୍ଭାଗ୍ୟର ବିଷୟ ଯେ ରେଙ୍ଗାଲିରେ ଥିବା ବ୍ଳକ ଖଣି ଓ କଳକାରଖାନାର କୋଟି କୋଟି ଟଙ୍କା ଖଣିଜ ପାଣ୍ଠି ତଥା ସିଏସଆର ପାଣ୍ଠିରୁ ଶିକ୍ଷାନୁଷ୍ଠାନ ଗୁଡିକର ବିପର୍ଯ୍ୟସ୍ତ ଭିତ୍ତିଭୂମିର ବିକାଶ କରାଯାଉନାହିଁ । ଗୋଟିଏ ପଟେ ଶିକ୍ଷା ଅଧିକାର ଆଇନ୍ ପ୍ରଣୟନ କରାଯାଇ ସମସ୍ତଙ୍କୁ ଶିକ୍ଷା ବାଧ୍ୟତା ମୂଳକ ବୋଲି ସରକାର କହୁଛନ୍ତି । ଅନ୍ୟପଟେ ଶିକ୍ଷାଦାନ ପାଇଁ ଆବଶ୍ୟକ ଉପଯୁକ୍ତ ମୌଳିକ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ପଡିଥିଲେ ମଧ୍ୟ ଏଥି ପ୍ରତି ସରକାର ଉଦାସୀନ ରହିବା ଶିକ୍ଷା ବିକାଶ ନୀତିର ସଫଳ ରୂପାୟନ ଦିଗରେ ସରକାରଙ୍କ ଆନ୍ତରିକତା କେତେ ତାହା ସ୍ପଷ୍ଟ ଭାବେ ବାରି ହେଉଛି ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏସଂକ୍ରାନ୍ତରେ ରେଙ୍ଗାଲି ବିଧାୟକଙ୍କ ମତ ଓ ମନ୍ତବ୍ୟ-ଶିକ୍ଷା ହେଉଛି ସୁସ୍ଥ ସମାଜ ଓ ଦେଶର ମେରୁଦଣ୍ଡ । ପ୍ରାଥମିକ ଶିକ୍ଷା ହେଉଛି ତହିଁର ମୂଳଦୁଆ । କେବଳ ରେଙ୍ଗାଲିବ୍ଲକ ନୁହେଁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଅନେକ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଶୋଚନୀୟ । ମୁଁ ନିଜେ ଅନେକ ବିଦ୍ୟାଳୟ ପରିଦର୍ଶନ କରି ସ୍ୱଚକ୍ଷୁରେ ସ୍କୁଲ ଗୁଡିକର ଅବସ୍ଥା ଦେଖିଛି । ଶିକ୍ଷାର ମୂଳଦୁଆ କୁହାଯାଉଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକର ଏଭଲି ଦୁରାବସ୍ଥା ମୋତେ ବ୍ୟଥିତ କରିଛି । ଏହା ଅତି ଚିନ୍ତାଜନକ ତଥା ଗଭୀର ଉଦବେଗର ବିଷୟ । ନିର୍ବାଚନ ମଣ୍ଡଳୀର ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ଓ ଶିକ୍ଷା ପାଇଁ ଆବଶ୍ୟକ ଜରୁରୀ ଆନୁସଙ୍ଗିକ ବ୍ୟବସ୍ଥା କିପରି ଅଛି ତହିଁର ସର୍ଭେ କରିବା ପାଇଁ ୪୫ ଜଣିଆଁ ଟିମ୍ ଗଢାଯାଇ ଥିଲା । ଟିମ୍ର ରିପୋର୍ଟ ଆସିଲା ପରେ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ନିର୍ବାଚନ ମଣ୍ଡଳୀର ସ୍କୁଲ ଗୁଡିକର ବିପର୍ଯ୍ୟସ୍ତ ଭିତ୍ତିଭୂମିର ବିକାଶ, ଖାଲି ପଡିଥିବା ଶିକ୍ଷକ ପଦ ପୂରଣ ତଥା ଶିକ୍ଷା ପାଇଁ ଆବଶ୍ୟକ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛି । ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛି । ଏହି ସମସ୍ୟାର ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇ ସମାଧାନ କରାଯିବା ଉଚିତ ବୋଲି ଶ୍ରୀ ହରିପାଲ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏ ପ୍ରସଙ୍ଗ ବିଧାନ ସଭାରେ ଉପସ୍ଥାପିତ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.