ବେଙ୍ଗାଲୁରୁ, : ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ସବୁବେଳେ ଉତ୍ସାହ ରହିଆସିଛି । ଟଙ୍କା ୧୦୦ ହେଉ
କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ହେଲେ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକ ଟିକେଟ୍ ଦାମ୍ ପାଇଁ ବଡ଼ ବଡ଼ ସିନେମା ହଲକୁ ଯିବାରୁ ବଞ୍ଚିତ ହୁଅନ୍ତି । ଇଚ୍ଛା ଥାଇ ମଧ୍ୟ ଟଙ୍କା ଅଧିକ ରହୁଥିବାରୁ ସେମାନେ ଭଲ ପରଦା ବା ଭଲ ସାଉଣ୍ଡ୍ ଥିବା ହଲକୁ ଯାଇପାରନ୍ତି ନାହିଁ । ହେଲେ ଏବେ ଏହି
ସମସ୍ୟାର ସମାଧାନ ଆଣିଛନ୍ତି ସରକାର । ମାତ୍ର ୨୦୦ଟଙ୍କାରେ ସବୁ ସିନେମା ହଲରେ ଲୋକେ ଫିଲ୍ମ ଦେଖିପାରିବେ କହିଛନ୍ତି କର୍ଣ୍ଣାଟକ ସରକାର । ପ୍ରଥମ ଥର କର୍ଣ୍ଣାଟକ ସରକାର ସିନେମା ଟିକେଟ୍ ଉପରେ ଏକ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ
କରିଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଆଦି ପାଇଁ ଏକ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଏଥିରେ କୁହାଯାଇଛି କି, କୌଣସି ସ୍ଥାନରେ ସିନେମା ଟିକେଟ ୨୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବ
ନାହିଁ । ଏହି ଦାମ୍ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କା ରହିବ । କର୍ଣ୍ଣାଟକ ସରକାରଙ୍କ ତରଫରୁ ମଙ୍ଗଳବାର ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଥିଲା । ଏଥିରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସିନେମା ହଲ୍, ମଲ୍ଟିପ୍ଲେକ୍ସରେ କୌଣସି ଭାଷାର ସିନେମା ପାଇଁ ଟିକେଟର ମୂଲ୍ୟ ଏଣ୍ଟରଟନମେଣ୍ଟ ଟ୍ୟାକ୍ସ ସହ ୨୦୦ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରାଯାଇପାରିବ ନାହିଁ । ରାଜ୍ୟ ସରକାର ଏନେଇ ଲୋକଙ୍କଠାରୁ ୧୫ ଦିନ ମଧ୍ୟରେ ପରାମର୍ଶ ଓ
ଅଭିଯୋଗ ମାଗିଛନ୍ତି । ଡ୍ରାଫ୍ଟରେ କୁହାଯାଇଛି କି, କୌଣସି ବି ବ୍ୟକ୍ତି ଏନେଇ ପରାମର୍ଶ ଓ ଅଭିଯୋଗ ଦାଖଲ କରିପାରିବେ, ଏହା ପରେ ଯାଇ ସରକାର ଶେଷ ନିଷ୍ପତ୍ତି ନେବେ ।