ସାଂସଦଙ୍କ ଦ୍ୱାରା ରାସନ୍ କାର୍ଡ ବଣ୍ଟନ ସମେତ ସାମୁହିକ ପାଠାଗାର ଓ କୋଚିଂ ସେଣ୍ଟରର ଶିଳାନ୍ୟାସ

MPs lay foundation stone for community library and coaching center, distribute ration cards

0 34

ଖୋର୍ଦ୍ଧା, 17/7: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଞ୍ଚଳର ୨୬ ଟି ପଞ୍ଚାୟତ ଓ ୧୪ ମୌଜାର ଜନ ସାଧାରଣଙ୍କ ପାଇଁ ବହୁ ଆବଶ୍ୟକୀୟ କାର୍ଯ୍ୟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଞ୍ଚଳର ଲୋକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସାମୁହିକ ପାଠାଗାର ଓ କୋଚିଂ ସେଣ୍ଟର ପାଇଁ ସାଂସଦ ଶିଳାନ୍ୟାସ କରିଥିବା ବେଳେ ଆଗାମୀ ଦିନରେ ଟାଙ୍ଗୀ ଅଞ୍ଚଳର ପିଲାମାନେ ସେଠାରେ ବିଭିନ୍ନ ପୁସ୍ତକ ପଢ଼ିବାର ସୁଯୋଗ ପାଇବେ । ଏଥିସହିତ ବିଭିନ୍ନ ଉଚ୍ଚ ଶିକ୍ଷା ଓ ପ୍ରତିଯୋଗିତା ମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଏହା ସହଯୋଗ କରିବ । ଏପରିକି ସାଂସଦ ଅପରାଜିତା, ନିଜେ ମଧ୍ୟ ଏଠାରେ ପଢ଼ାଇବେ ବୋଲି ଶିଳାନ୍ୟାସ ଅବସରରେ ସୂଚନା ଦେଇଛନ୍ତି । ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ସାଂସଦ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୧୪ଟି ମୌଜାର ୪୨ଜଣ ଭୂମିହିନଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନା ଅନ୍ତର୍ଗତ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ୧୯୬୨ ଲ୍ୟାଣ୍ଡ ସେଟେଲମେଣ୍ଟ ନିୟମ ଅନୁଯାୟୀ ଅଞ୍ଚଳର ଏହି ୪୨ଜଣ ଭୂମିହୀନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଜମିରେ ପ୍ରଧାନମନ୍ତ୍ରୀ ଆବାସ ସମେତ ଅନ୍ୟାନ୍ୟ ସରକାରୀ ସୁବିଧାମାନ, ପଟ୍ଟାଧାରୀମାନେ ପାଇପାରିବେ । ଏଥିସହିତ ଏହି ଅବସରରେ ବ୍ଲକର ୨୬ ପଞ୍ଚାୟତରୁ ତିନିଜଣ ଲେଖାଏଁ ପରିବାରଙ୍କୁ, ଅର୍ଥାତ ୭୮ଟି, ରାସନ୍ କାର୍ଡ ମଧ୍ୟ ପ୍ରଦାନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରତିମାସ ଏହି ରାସନ୍ କାର୍ଡ ଜରିଆରେ ପରିବାରର ପ୍ରତ୍ୟେକ ସଦସ୍ୟ ପିଛା ୫ କିଲୋ ଚାଉଳ, ୧୨୫୦ଗ୍ରାମ ମାଣ୍ଡିଆ, ୭୦୦ମିଲି ଲିଟର କିରୋସିନ ଓ ମେଡ଼ିକାଲ ସୁବିଧାର ଲାଭ ଉଠାଇ ପାରିବେ କାର୍ଡ ଧାରୀ । ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ସାଂସଦ ପ୍ରତିନିଧି ବିଦ୍ୟୁତ କାଣ୍ଡି, ସ୍ଥାନୀୟ ବିଡ଼ିଓ, ତହସିଲଦାର, ଭାଇସ୍ ଚ୍ୟାୟାରମେନ୍ ଓ ଅନ୍ୟାନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏଭଳି ଜନକଲ୍ୟାଣ କାରି କାର୍ଯ୍ୟ ଜାରି ରହିବ ବୋଲି ସାଂସଦ ଅପରାଜିତା କହିଥିବା ବେଳେ ଲୋକଙ୍କ ସହଯୋଗ ଓ ଭଲପାଇବା ତାଙ୍କୁ ଅଧିକ ଲୋକହିତକର କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି ବୋଲି କହିଛନ୍ତି ।

Leave A Reply

Your email address will not be published.