ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ସବୁଜିମା ଭରୁଛି ମକାଚାଷ

Maize cultivation is turning green in the Sahajkhol reserved forest

0 35

ଧର୍ମଗଡ, 12/7: କଳାହାଣ୍ଡି ଦକ୍ଷିଣ ବନଖଣ୍ଡ, ଧର୍ମଗଡ ବନ ବନାଞ୍ଚଳ ୧୨ ହଜାର ୯୮୯ ହେକ୍ଟର ବିସୃତ ପରିସୀମାରେ ବ୍ୟାପିଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଗତ କିଛି ବର୍ଷ ହେବ ମକା ମାଫିଆଙ୍କ ରାଜ ଚାଲିଛି । ପ୍ରତିବର୍ଷ ମକା ଚାଷ ପାଇଁ ଶତାଧିକ ହେକ୍ଟର ଜଙ୍ଗଲ ନଷ୍ଟ କରି ମକାଚାଷ କରାଯାଉଛି । ଗତ ୨ ମାସ ହେବ ମକାଚାଷ ପାଇଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବାଧରେ କ୍ଷେତ୍ର ପ୍ରସ୍ତୁତ କରି ମକା ବିହନ ବୁଣିବା ପରେ ଏବେ ଜଙ୍ଗଲ ମଧ୍ୟରେ ଗଛ ନୁହେଁ କଅଁଳ ମକା ପତ୍ରର ସବୁଜିମା ଦୂର ଦିଗନ୍ତକୁ ଦେଖାଯାଉଛି । ସାହାଜଖୋଲ ଜଙ୍ଗଲରେ ବେଆଇନ ମକାଚାଷ ନେଇ ପ୍ରତିବର୍ଷ ଖବରକାଗଜ ପୃଷ୍ଠାରେ ଖବର ମଣ୍ଡନ ହେଉଛି ହେଲେ ଚେତୁନାହିଁ ବନ ବିଭାଗ । ଧର୍ମଗଡ ବନାଞ୍ଚଳର ବେହେରା ଆମପାଣି ଫରେଷ୍ଟ ସେକ୍ସନର ଖଲିଗଡ଼, ଧୋବେନ ଚଞ୍ଚରା, ମୁନୁଗା ପଦର, ଘଣ୍ଟିଗୁଡା, ଭଟାପାଣି, ଡୁମେରପାନି, ସମେତ ଆମପାଣି ଫରେଷ୍ଟ ସେକ୍ସନର ଦାବ୍ରିଗୁଡା, ସର୍ଗିଗୁଡା, ବିରି ମୁହାଁଣ, ଆନ୍ଧି ଝରଣ, ଲେକାଆମ, ସର୍ଗିପାନି, କୁଟୁରୁ, ଗୋଇଚଞ୍ଚରା, ଛକପଡା, ଗାଈବନ୍ଧା, ଟିର୍ଲିଆମ ଅଞ୍ଚଳରେ ଜଙ୍ଗଲକୁ ପ୍ରତିବର୍ଷ କାଟି ଅନୁପ୍ରବେଶକାରୀ ବଙ୍ଗାଳି, ବିହାରୀ, ସମେତ ସ୍ଥାନୀୟ ଅଞ୍ଚଳର କିଛି ଲାଭଖୋର ସାହୁକାର ମାଫିଆମାନେ ସ୍ଥାନୀୟ ଆଦିବାସୀଙ୍କୁ ଧରି ମକାଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତ ସହ ବିହନ, ଖତ ସାର, ଆବଶ୍ୟକ ପୁଞ୍ଜି ଦେଇ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ମକାଚାଷ କରି ମାଲେମାଲ ହୋଇ ଆସୁଛନ୍ତି । ଜଙ୍ଗଲ ବିଭାଗ ପ୍ରତିବର୍ଷ ଜୁଲାଇ ମାସରେ ବନ ମହୋତ୍ସବ ପାଳନ କରୁଛି, ତେବେ ବିଗତ ବର୍ଷରେ ଲଗା ଯାଇଥିବା ଗଛ ବଞ୍ଚିଛି ନା ମରିଛି ତାର ହିସାବ ନାହିଁ । ସାହାଜଖୋଲ ଜଙ୍ଗଲ ସୁରକ୍ଷା ପାଇଁ ବିଗତ ଦିନରେ ବେଆଇନ ମକାଚାଷ ଓ ମକା ମାଫିଆଙ୍କୁ ବିତାଡିତ କରିବା, ଜଙ୍ଗଲ ସୁରକ୍ଷା ପାଇଁ ସାହାଜଖୋଲ ବନ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗକୁ ଚେତାଇ ଦେବାକୁ ପ୍ରତିବାଦ, ରାସ୍ତା ଅବରୋଧ, ଆନ୍ଦୋଳନ ଓ ବିରୋଧ କରାଯାଇ ସ୍ୱର ଉତ୍ତୋଳନ କରାଯାଇଛି । ସେହି ସମୟରେ ଜଙ୍ଗଲ ବିଭାଗୀୟ ଅଧିକାରୀ ଆସି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇ କାମ ସାରିଦିଅନ୍ତି । ହେଲେ ଆଜି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ କାହିଁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାଭଳି ପଦକ୍ଷେପ ଦେଖିବାକୁ ମିଳିନାହିଁ । ଧୀରେ ଧୀରେ ସାହାଜଖୋଲ ଜଙ୍ଗଲ ଅସ୍ତିତ୍ୱ ହଜିବାକୁ ବସିଛି, ଅନେକ ଔଷଧିୟ ବୃକ୍ଷଲତା ସହ ମୂଲ୍ୟବାନ ଗଛ, ପ୍ରାକୃତିକ ଝରଣା, ଜୀବଜନ୍ତୁ ବିଲୁପ୍ତ ହେବାରେ ଲାଗିଛି, ଯାହାକୁ ନେଇ ପ୍ରକୃତି ପ୍ରେମୀଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି । ତେବେ ଅବାଧ ମକାଚାଷ ଉପରେ କେବେ ଜଙ୍ଗଲ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ତାହା ସମୟ ସାପେକ୍ଷ, ଏନେଇ ଧର୍ମଗଡ ବନାଞ୍ଚଳ ରେଞ୍ଜର ଭବାନୀ ଶଙ୍କର କାଉରଙ୍କ ପ୍ରତିକ୍ରିୟା ନେବାରୁ ମୁଁ ମେଡ଼ିକାଲ କାମରେ ବିଶାଖାପାଟଣା ଆସିଛି, ପରେ କହିବି ବୋଳି ଫୋନ କାଟି ଦେଇଥିଲେ । ତେବେ ଖବର ପ୍ରକାଶିତ ପରେ ଆଗକୁ ମକା ମାଫିଆ ଓ ଜଙ୍ଗଲ ସୁରକ୍ଷା ଦିଗରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ଜଙ୍ଗଲ ବିଭାଗ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.