ନୂଆଦିଲ୍ଲୀ, ୨୯ା୭ : ସଂସଦର ମୌସୁମୀ ଅଧିବେଶନରେ “ଅପରେସନ୍ ସିନ୍ଦୂର’କୁ ନେଇ ଜାରି ରହିଛି ଚର୍ଚ୍ଚା । ବିରୋଧି ଦଳ ନେତା ରାହୁଲଙ୍କ ଗାନ୍ଧି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ସଶସ୍ତ୍ରବଳଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇ ଦେଇନାହାନ୍ତି । ଏହାର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ମୁଁ ସଂସଦ ଅଧିବେଶନର ଆରମ୍ଭରୁ ସଦସ୍ୟଙ୍କୁ ଅପିଲ କରୁଛି ଯେ, ଏହା ଭାରତର ବିଜୟ ଉତ୍ସବର ଅଧିବେଶନ । ଏହି ଅଧିବେଶନ ଭାରତର ଗୌରବର ଅଧିବେଶନ । ଯେତେବେଳେ ମୁଁ ବିଜୟ ଉତ୍ସବ କଥା କହୁଛି ଏହା ଆତଙ୍କର ହେଡକ୍ୱାଟରକୁ ମାଟିରେ ମିଶାଇଛି । ଯେତେବେଳେ ବିଜୟ ଉତ୍ସବ କହୁଛି ୧୪୦ କୋଟି ଭାରତୀୟଙ୍କ ଏକତା, ଇଚ୍ଛାଶକ୍ତି, ଅପ୍ରତୀମ ବିଜୟର ବିଜୟ ଉତ୍ସବକୁ ଅନୁଭବ କରୁଛି । ଯେଉଁମାନଙ୍କୁ ଭାରତର ପକ୍ଷ ଦେଖାଯାଉନି, ତାଙ୍କୁ ଆଇନା ଦେଖାଇବାକୁ ମୁଁ ଏଇଠି ଠିଆ ହୋଇଛି । ଏବେ ବି ‘ଅପରେସନ୍ଦ ସିନ୍ଦୂର’ ଜାରି ରହିଛି । ପୁଣି ପାକିସ୍ତାନ ଦୁଃସାହାସ କଲେ ମିଳିବ କଡା ଜବାବ୍ । ‘ଅପରେସନ ସିନ୍ଦୂର’ରୁ ନେଇ ସିନ୍ଧୁ ଜଳ ଚୁକ୍ତି ପର୍ଯ୍ୟନ୍ତ ପାକିସ୍ତାନ ଏହାର ପରିଣାମ ଭୋଗିଛି ।’ ପିଏମ୍ ମୋଦି ପହଲଗାମ୍ ହମଲାକୁ ଜଘନ୍ୟ ଘଟଣା ବୋଲି କହିଛନ୍ତି । ସେ କହିଛନ୍ତି, ଏହା ଦେଶରେ ଦଙ୍ଗା ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଥିଲା । ନିର୍ଦୋଷ ନାଗରିକଙ୍କୁ ଧର୍ମ ପଚାରି ହତ୍ୟା କରାଯାଇଥିଲା । ଦେଶବାସୀ ଏହି ଷଡଯନ୍ତ୍ରକୁ ବିଫଳ କଲେ । ୨୨ ଅପ୍ରେଲରେ ମୁଁ ବିଦେଶରେ ଥିଲି । ଫେରିବା ମାତ୍ରେ ବୈଠକ ଡକାଇଲି । ଆତଙ୍କବାଦୀଙ୍କ ମାଷ୍ଟରମାଇଣ୍ଡଙ୍କୁ କଡା ଜବାବ୍ ଦେବାକୁ କହିଥିଲି । ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା । କାରଣ ଆମକୁ ସେନାର କ୍ଷମତା ଓ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଭରସା ଥିଲା । ଆମେ ଗର୍ବିତ ଯେ, ୬ ଓ ୭ମଇ ରାତିରେ ଆମେ ଯେଉଁଭଳି କଡା ଜବାବ୍ ଦେଇଛୁ । ୨୨ ଅପ୍ରେଲର ପ୍ରତିଶୋଧ ଆମେ ୨୨ ମିନିଟରେ ନେଇଛୁ । ଆମେ ପାକିସ୍ତାନ ଭିତରେ ପଶି ମାରିଲୁ । ଆଜି ବି ପାକିସ୍ତାନର ବହୁ ଏୟାରବେସ୍ ଆଇସିୟୁରେ ପଡିଛି । ଯେଉଁଭଳି ଭାବିଥିଲୁ ସେଭଳି କଲୁ । ଏହା ଟେକ୍ନୋଲୋଜିର ୱାରଫେୟାରର ଯୁଗ । ଆମର ମେଡ ଇନ୍ ଇଣ୍ଡିଆ ମିସାଇଲ ଓ ଟେକ୍ନୋଲୋଜି ‘ଅପରେସନ୍ ସିନ୍ଦୂର’ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଆକ୍ରମଣ ପରେ ଆତଙ୍କୀଙ୍କ ମାଷ୍ଟରମାଇଣ୍ଡଙ୍କ ନିଦ ହଜି ଯାଇଛି । ଏବେ କୌଣସି ନ୍ୟୁକ୍ଲିଅର ବ୍ଲାକମେଲିଂ ଚାଲିବନି । ଜାତିସଂଘରେ ୧୯୩ଟିରୁ କେବଳ ୩ଟି ଦେଶ ପାକିସ୍ତାନକୁ ସମର୍ଥନ ଦେଇଥିଲେ । କ୍ୱାଡ, ବ୍ରିକ୍ସ ହେଉ କିମ୍ବା ଯେ କୌଣସି ଦେଶ ଭାରତକୁ ସମର୍ଥନ କରିଛି । କିନ୍ତୁ ଦୁର୍ଭାଗ୍ୟର କଥା ମୋ ଦେଶର ବୀରଙ୍କ ପରାକ୍ରମକୁ କଂଗ୍ରେସର ସମର୍ଥନ ମିଳିଲାନି । ଭାରତର ସେନା ଉପରେ ତାଙ୍କର ଭରସା ନାହିଁ । ଏଭଳି କରି ସେମାନେ ଦେଶର ଓ ସେନାର ମନୋବଳ ଭାଙ୍ଗୁଛନ୍ତି, ପହଲଗାମ୍ ଆକ୍ରମଣରେ ରାଜନୀତି କରୁଛନ୍ତି । ସେମାନ ହେଡଲାଇନ୍ସ ନେଇପାରିବେ, କିନ୍ତୁ ଦେଶବାସୀଙ୍କ ହୃଦୟରେ ସ୍ଥାନ ନେଇପାରିବେନି । ମୋଦି କହିଛନ୍ତି, ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ପାକିସ୍ତାନ ଡିଜିଏମ୍ଓ ଫୋନ୍ କରିଥିଲେ । ସେ କହିଥିଲେ, ଦୟା କରି ଆପଣ ଆକ୍ରମଣ ବନ୍ଦ କରି ଦିଅନ୍ତୁ । ଆପଣ ବହୁତ ମାରିଲେଣି, ଏବେ ଆଉ ମାରନିୟ ଭାରତ କହିଥିଲା, ଆମେ ଆମର ଲକ୍ଷ୍ୟ ପୂରଣ କରିନେଇଛୁ, ଯଦି ଆପଣ ଆକ୍ରମଣ କରିବେ ତେବେ ଜବାବ୍ ମିଳିବ । କେହି ଭାରତର ‘ଅପରେସନ ସିନ୍ଦୂର’କୁ ରୋକି ନାହାନ୍ତି । ୯ ତାରିଖ ରାତିରେ ଆମେରିକା ଉପରାଷ୍ଟ୍ରପତିଙ୍କ ଫୋନ୍ ଆସିଥିଲା । ମୁଁ ମିଟିଂରେ ଥିଲି । ସେ ଦ୍ୱିତୀୟ ଥର ଫୋନ୍ କଲେ । କହିଥିଲେ, ପାକିସ୍ତାନ ବଡ଼ ହମଲା କରିବାକୁ ଯୋଜନା କରୁଛି । ମୋର ଜବାବ ଥିଲା, ଯଦି ପାକିସ୍ତାନର ଏଭଳି ଯୋଜନା କରୁଛି, ତେବେ ତାକୁ ମହଙ୍ଗା ପଡିବ । ପାକିସ୍ତାନ ଆମ ଉପରକୁ ୧୦୦୦ରୁ ଅଧିକ ମିସାଇଲ ମାଡ଼ କରିଛି । ଯଦି ତାହା ପଡିଥାନ୍ତା, ତେବେ ଧ୍ୱଂସ ହୋଇଯାଇଥାନ୍ତା । କିନ୍ତୁ ଆମର ଏୟାର ଡିଫେନ୍ସ ସିଷ୍ଟମ ତାକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଥିଲା । ହେଲେ ପାକିସ୍ତାନକୁ ଭରସା ନାହିଁ । କାରଣ ସେ ପାକିସ୍ତାନର ରିମୋଟ କନଟ୍ରୋଲରେ ଚାଲିଛି । ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଏବଂ ଦେଶର ବ୍ୟବସ୍ଥା ଉପରେ ତା’ର ଭରସା ନାହିଁ । ଏପରିକି ‘ଅପରେସନ୍ ମହାଦେବ’ରେ ପହଲଗାମ୍ ଆତଙ୍କୀଙ୍କୁ ମାରିବା କଥା ଉପରେ ବି ପ୍ରଶ୍ନ ଉଠାଉଛି । କଂଗ୍ରେସ ସେନାକୁ ଆତ୍ମନିର୍ଭର କରିବା ବିଷୟରେ କେବେ ବି ଭାବିନି । ତାଙ୍କର ଶାସନ ବେଳେ ଆମର ସେନା ଅତ୍ୟାଧୁନିକ ହତିଆର ପାଇବାକୁ ବହୁ ଅପେକ୍ଷା କରିଛି । ଏକ ଦଶନ୍ଧି ପୂର୍ବେ ଭାରତର ଲୋକମାନେ ସଂକଳ୍ପ ନେଇଥିଲେ ଯେ ଦେଶ ଏକ ଶକ୍ତିଶାଳୀ ଏବଂ ଆଧୁନିକ ରାଷ୍ଟ୍ର ହେବା ଉଚିତ । ପ୍ରତିରକ୍ଷା ଏବଂ ସୁରକ୍ଷାର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଠୋସ୍ ପଦକ୍ଷେପ ନିଆଯାଇଥିଲା । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସେନାରେ ଯେଉଁ ପରିବର୍ତ୍ତନ ଆସିଛି ତାହା ଘଟିଛି । ଚିଫ୍ ଅଫ୍ ଷ୍ଟାଫ୍ ନିଯୁକ୍ତି, ଆମେ କରିଛୁ ଓ ଏହି ବ୍ୟବସ୍ଥା ପାଇଁ ତିନି ସେନାକୁ ପ୍ରଶଂସା କରୁଛୁ । ଭାରତ ସବୁବେଳେ ସମୃଦ୍ଧି ଓ ଶାନ୍ତି ଚାହେଁ । କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ସବୁବେଳେ ଜାତୀୟ ସୁରକ୍ଷାକୁ ନେଇ ବୁଝାମଣା କରିଛି । ପିଓକେରେ ପାକିସ୍ତାନକୁ କବଜା କରିବାକୁ ସୁଯୋଗ ଦେଇଛି । ଯେତେବେଳେ ବି ନେହରୁଙ୍କ ଉପରେ ଚର୍ଚ୍ଚା କରେ କଂଗ୍ରେସ ଆକ୍ରାମକ ହୋଇଯାଏ । କଂଗ୍ରେସ ଲୋକମାନେ ଆମକୁ କୂଟନୀତି ଶିଖାଉଛନ୍ତି, ମୁଁ ସେମାନଙ୍କୁ କିଛି ମନେ ପକାଇ ଦେବାକୁ ଚାହୁଁଛି । ୨୬/୧୧ ଘଟଣା ପରେ ମଧ୍ୟ ବିଦେଶୀ ଚାପରେ କଂଗ୍ରେସ ପାକିସ୍ତାନ ପ୍ରତି ପ୍ରେମ ବନ୍ଦ କରିନଥିଲା । ଆକ୍ରମଣର କିଛି ଦିନ ପରେ, କଂଗ୍ରେସ ସରକାର ପାକିସ୍ତାନ ସହିତ ଆଲୋଚନା ଆରମ୍ଭ କରିଥିଲା । କଂଗ୍ରେସର ଟିକେ ବୁଦ୍ଧି ଥିଲେ ପିଓକେ ଆମ ପାଖରେ ଥାଆନ୍ତା । ‘ଅପରେସନ୍ ସିନ୍ଦୁର’ ପରେ ଆମେ ସିନ୍ଧୁ ଜଳଚୁକ୍ତି ଆମେ ରଦ୍ଦ କରିଛୁ । ନେହରୁ ଯେଉଁ ଭୁଲ କରିଥିଲେ ତାକୁ ଆମେ ସୁଧାରିବାକୁ ଚେଷ୍ଟା କରିଛୁ । ଭାରତ ସିଧା ସିଧା କହିଦେଇଛି ରକ୍ତ ଏବଂ ପାଣି କେବେ ଏକାଠି ବୋହି ପାରିବନି ।