ପୁରୀ, ୬ା୭: ପରମ୍ପରା ଅନୁଯାୟୀ ହରିଶୟନ ଏକାଦଶୀ ତିଥିରେ ଅଦ୍ଭୁତ ପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଥ ଉପରେ ସମ୍ପନ୍ନ ହୋଇଛି ତିନି ଠାକୁରଙ୍କ ସୁନାବେଶ । ବଡ଼ ତଢାଉ ବେଶ ନାମରେ ବିଦିତ ଏହି ବେଶ ଅବସରରେ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ କରାଯାଇଥିଲା । ରଥ ଉପରେ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ଦାରୁବିଗ୍ରହମାନେ ଝଟକିବାର ଦୁର୍ଲ୍ଲଭ ଦୃଶ୍ୟ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁ । ହରିବୋଲ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସିଂହଦ୍ୱାର ସମ୍ମୁଖ ଅଞ୍ଚଳ । ପ୍ରଭୁ ବଳଭଦ୍ର କିରୀଟ, କୁଣ୍ଡଳ, ଶ୍ରୀଭୂଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡାମାଳି, ବାଘ ନଖିମାଳି, ସେବତୀ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଝୋବ କଣ୍ଠି ଓ ହଳ ମୂଶଳ ଆଦି ଅଳଙ୍କାରରେ ଶୋଭା ପାଉଥିଲେ । ସେହିପରି ଦେବୀ ସୁଭଦ୍ରା କିରୀଟ, ଶ୍ରୀଭୂଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଓଡ଼ିଆଣୀ, ଘାଗଡାମାଳି, ବାଘ ନଖିମାଳି ଓ ସେବତୀ ମାଳି ଆଦି ଆଭୂଷଣ ପରିଧାନ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ କିରୀଟ, କୁଣ୍ଡଳ, ଶ୍ରୀଭୂଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡକାନି, ଘାଗଡାମାଳି, ବାଘ ନଖିମାଳି, ସେବତୀ ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଝୋବକଣ୍ଠି, ତାବୀଜ, ତଡକି ଶ୍ରୀଖହାଣ୍ଡିକା ଓ କମରପଟି ଆଦି ଅଳଙ୍କାର ପରିଧାନ କରି ଅତ୍ୟନ୍ତ ମନୋରମ ଦୃଶ୍ୟମାନ ହେଉଥିଲେ । ବର୍ଷକ ମଧ୍ୟରେ ଶ୍ରୀଜିଉମାନେ ପାଞ୍ଚ ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି । ଶ୍ରୀ ମନ୍ଦିରର ରତ୍ନସିଂହାସନରେ ଦଶହରା, ପୌଷ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ସୁନାବେଶ । ତେବେ ହରିଶୟନ ଏକାଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉମାନଙ୍କର ସୁନାବେଶ ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥିବାରୁ ରବିବାର ପ୍ରାୟ ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ମନୋରମ ବେଶ ଦର୍ଶନ କରିଥିଲେ । ବେଶ ଓଲଗି ପରେ ମହାପ୍ରଭୁଙ୍କ ଅନ୍ୟ ନୀତି ରଥ ଉପରେ ସମ୍ପାଦିତ ହୋଇଥିଲା । ସୋମବାର ଅଧର ପଣା ନୀତି ସମ୍ପନ୍ନ ହେବ । ଶନିବାର ସିଂହଦ୍ୱାର ସମ୍ମୁଖରେ ରଥ ଲାଗିବା ପରେ ରାତିରେ ରଥାରୁଢ଼ ଶ୍ରୀଜିଉଙ୍କ ବିଭିନ୍ନ ପାରମ୍ପାରିକ ନୀତି ସମ୍ପାଦିତ ହୋଇଥିଲା । ରବିବାର ସକାଳ ୭ଟା ୪୫ ସୁଦ୍ଧା ତିନି ରଥରେ ଶ୍ରୀଜିଉମାନଙ୍କ ମଙ୍ଗଳ ଆଳତି ଶେଷ ହୋଇଥିଲା । ତିନି ରଥରେ ଶ୍ରୀଜିଉଙ୍କ ମଇଲମ୍, ତଡ଼ପ ଲାଗି, ଅବକାଶ ପରେ ୧୦ଟା ୩୦ସୁଦ୍ଧା ଗୋପାଳବଲ୍ଲଭ ଓ ମଧ୍ୟାହ୍ନ ୧୨ଟା ସୁଦ୍ଧା ଶେଷହୋଇଥିଲା ସକାଳ ଧୂପ । ମହାସ୍ନାନ, ସର୍ବାଙ୍ଗ ଓ ବେଶ ଆଦି ଅନ୍ୟ ନୀତି ପରେ ଦିନ ୨ଟା ୪୫ ସୁଦ୍ଧା ହୋଇଥିଲା ମଧ୍ୟାହ୍ନ ଧୂପ । ପରେ ମହାପ୍ରଭୁଙ୍କ ଅନ୍ୟ ନୀତି ବଢିବା ପରେ ଅପରାହ୍ନ ୪ଟା ୧୫ ସୁଦ୍ଧା ହୋଇଥିଲା ସନ୍ଧ୍ୟା ଆଳତି । ଅସ୍ଥାୟୀ ରତ୍ନଭଣ୍ଡାରରୁ ପାଳିଆ ସେବକମାନେ ଶ୍ରୀମନ୍ଦିର ପୋଲିସ ସହାୟତାରେ ଆଣିଥିବା ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରକୁ ମହାପ୍ରଭୁଙ୍କ ଲାଗି କରାଯାଇଥିଲା । ପରେ ସିଂହାରୀ ସେବକମାନେ ପାଳିଆ ମେକାପ, ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ଓ ତଳିଛ ଓ ଭିତରଛଙ୍କ ସହଯୋଗରେ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ କରିଥିଲେ । ଏକାଦଶୀ ସର୍ବାଙ୍ଗ ପରେ ଅର୍ଥାତ ଧାର୍ଯ୍ୟ ନୀତି ନିର୍ଘଣ୍ଟ ୧୫ ମିନିଟ ପୂର୍ବର ଅପରାହ୍ନ ୪ଟା ୪୫ରେ ଆରମ୍ଭ ହୋଇଥିବା ଶ୍ରୀଜିଉମାନଙ୍କ ସୁନାବେଶ ସନ୍ଧ୍ୟା ୫ଟା ୫୫ରେ ଶେଷ ହୋଇଥିଲା । ସୁନାବେଶରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମାର୍କେଟଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ନିର୍ମିତ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁମାନେ ନିକଟରୁ ସୁନା ବେଶରେ ଝଟକୁଥିବା ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ । ରେଡକ୍ରସ, ସେଣ୍ଟଜନ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଓ ବିଭିନ୍ନ ସ୍ୱେଚ୍ଛସେବୀ ସଂଗଠନ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା । ଏଆଇ ସର୍ଭେ ସାଙ୍ଗକୁ ଆକାଶ ମାର୍ଗରୁ ତୀକ୍ଷ୍ମ ନଜର ରଖାଯାଇଥିଲା । ଉତ୍ତରାରୁ ପୁରୀ ଓ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇଥିଲା ସିସିଟିଭି । ଏଆଇ କ୍ୟାମେରା ନଜରରେ ଥିଲା ସମଗ୍ର ଶ୍ରୀ କ୍ଷେତ୍ର । ସୁନାବେଶ ଲାଗି ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଇଥିବା ବେଳେ ଯାନବାହାନ ଚଳାଚଳକୁ ସୁଗମ କରିବା ଲାଗି କଠୋର ଟ୍ରାଫିକ କଟକଣା ଜାରି କରାଯାଇଥିଲା । ସୁରକ୍ଷାରେ ନିୟୋଜିତ ହୋଇଥିଲେ ଆଣ୍ଟି ଡ୍ରୋନ୍, ଆଣ୍ଟି ସାବୋଡେଜ ଓ ଡଗସ୍କାଡ ଟିମ । ୨୦୫ପ୍ଲାଟୁନ ଫୋର୍ସଙ୍କ ସହ ବିଏସଏଫ୍ ଓ ସିଆରପିଏଫ୍, ଆରପିଏଫ ୮ କମ୍ପାନୀ କେନ୍ଦ୍ରୀୟ ଫୋର୍ସଙ୍କୁ ନିୟୋଜିତ କରଯାଇଥିଲା । ଫୋର୍ସମାନଙ୍କ ସହିତ ପ୍ରାୟ ଏକହଜାର ଅଧିକାରୀ ମଧ୍ୟ ନିୟୋଜିତ ହୋଇଥିଲେ । ୨୧ଜଣ ଏସପି ପାହ୍ୟା ଅଧିକାରୀ, ୪୧ ଜଣ ଅତିରିକ୍ତ ଏସପି ପାହ୍ୟା ଅଧିକାରୀ ଓ ୯୬ଜଣ ଡିଏସପି ପାହ୍ୟା ଅଧିକାରୀ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ସମୁଦ୍ରକୂଳ ସୁରକ୍ଷା ପାଇଁ ମେରାଇନ, କୋଷ୍ଟ ଗାର୍ଡ ଓ ନୌସେନା ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ସମୁଦ୍ରକୂଳ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ସାଧା ପୋଷାକଧାରୀ ପୋଲିସ ମୁତୟନ ହୋଇଥିଲେ । ସମୁଦ୍ର ବେଳାଭୂମୀ ଅଞ୍ଚଳରେ ନିୟୋଜିତ ହୋଇଥିଲେ ଲାଇଫ୍ ଗାର୍ଡ । ରଥଯାତ୍ରା ପରି·ଳନା ଦାୟିତ୍ୱରେ ନିଯୁକ୍ତ ସ୍ୱତନ୍ତ୍ର ଅଧିକାରୀ ଅରବିନ୍ଦ ଅଗ୍ରୱାଲ ଓ ପୋଲିସ ପରି·ଳନା ଦାୟିତ୍ୱରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ଗୋଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଚଞ୍ଚଳ ରଣା ରଣା ଓ ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନୀତି ସମ୍ପାଦନ ତଥା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାର ତଦାରଖ କରିଥିଲେ ।