ଭୁବନେଶ୍ୱର, 17/7: ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକ ସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ଆୟୋଜିତ ସୁଶାସନ ଅଭ୍ୟାସ ସମ୍ପର୍କିତ ଦୁଇ ଦିନିଆ ସମ୍ମିଳନୀ ଜାତୀୟ ସମ୍ମିଳନୀର ପ୍ରଥମ ଅଧିବେଶନ, ଭାରତ ସରକାରଙ୍କ ସଂପୃକ୍ତ ବିଭାଗୀୟ ଅତିରିକ୍ତ ଶାସନ ସଚିବ ପୁନିତ ଯାଦବଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ ଅଧ୍ୟକ୍ଷତା କରି ଶ୍ରୀ ଯାଦବ କରିଥିଲେ ଯେ, ଦେଶର ବିଭିନ୍ନ ଜିଲ୍ଲାରେ ସରକାରଙ୍କ ଯୁଗାନ୍ତକାରୀ ଯୋଜନାସବୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି । ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନରେ ଦେଶର ବିଭିନ୍ନ ଜିଲ୍ଲାର ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଅନ୍ୟ ଜିଲ୍ଲାମାନଙ୍କ ପାଇଁ ଅନୁକରଣୀୟ ହେବା ସଙ୍ଗେ ସଙ୍ଗେ ବିକାଶକୁ ତ୍ୱରାନ୍ୱିତ କରିବାର ଉଦାହରଣ ସୃଷ୍ଟି କରିଛି । ଯୋଜନାଗୁଡ଼ିକ ଅଭିନବତ୍ୱ ସହ ସଫଳତାର ସହ କାର୍ଯ୍ୟକାରୀ କରିବାରେ ଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଲ୍ଲାପାଳମାନେ ସେମାନଙ୍କର ବ୍ୟସ୍ତବହୁଳ କାର୍ଯ୍ୟ ସତ୍ତେ୍ୱ ଭାରତ ସରକାରଙ୍କ ଦୃଷ୍ଟିକୋଣରୁ ତଥା ଜନସେବାକୁ ଗୁରୁତ୍ୱ ଦେଇ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ସଂପର୍କରେ ସେ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରିତାରେ ଶତ ପ୍ରତିଶତ ସଫଳତା ହାସଲ ପାଇଁ ପ୍ରୟାସ କରିଥିବା ଜିଲ୍ଲାପାଳମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ସୃଷ୍ଟି କରିଛି ବୋଲି ସେ ପ୍ରକାଶ କରିଥିଲେ । ଭାରତ ସରକାରଙ୍କର ପ୍ରମୁଖ ୧୧ଟି ଜନକଲ୍ୟାଣକାରୀ ଯୋଜନା ଯଥା ହରଘର ଜଳ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଗ୍ରାମୀଣ ଯୋଜନା (ସହରାଞ୍ଚଳ), ମିଶନ ଇନ୍ଦ୍ରଧନୁଷ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ପିଏମ୍ ସ୍ୱତ୍ତନିଧି, ପିଏମ୍ ଏମଭିୱାଇ, କେସିସି, ପିଏମ ବିଶ୍ୱକର୍ମା, ସକ୍ଷମ ଅଙ୍ଗନବାଡି କେନ୍ଦ୍ର, ପିଏମ୍ ସୂର୍ଯ୍ୟଘର ଭଳି ଯୋଜନାକୁ ସଫଳତାର କାର୍ଯ୍ୟକାରୀ କରି ଜିଲ୍ଲାମାନଙ୍କରେ ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରଧାନମନ୍ତ୍ରୀ ପୁରସ୍କାର-୨୦୨୪ ପ୍ରାପ୍ତ ଜିଲ୍ଲାପାଳମାନେ ଏହି ଅଧିବେଶନରେ ସେମାନଙ୍କର ସଫଳତା ସଂପର୍କରେ ଉପସ୍ଥାପନ କରିଥିଲେ । ଭୁବନେଶ୍ୱରରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଜିଲ୍ଲାମାନଙ୍କ ମଧ୍ୟରୁ ଗୁଜରାଟ ରାଜ୍ୟ ରାଜକୋଟ ଜିଲ୍ଲାର ଜିଲ୍ଲାପାଳ ପ୍ରଭାବ ଯୋଶୀ, ଜାମୁ କାଶ୍ମୀର କୁପୱାଡ଼ା ଜିଲ୍ଲାର ଜିଲ୍ଲାପାଳ ଆୟୂଷୀ ସୁଦାନ, ତ୍ରିପୁରା ଗୋମତୀ ଜିଲ୍ଲାର ଜିଲ୍ଲାପାଳ ତରିତ କାନ୍ତି ଚକ୍ମା ଯୋଗଦେଇ ଭାରତ ସରକାରଙ୍କ ଉପରୋକ୍ତ ଯୋଜନାସବୁକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବା ଓ ଏହା ଜିଲ୍ଲାର ସାମଗ୍ରିକ ବିକାଶରେ କିପରି ଉଲ୍ଲେଖନୀୟ ରୂପାନ୍ତରଣ ଆଣିପାରିଛି, ସେ ସଂପର୍କରେ ଆଲୋକପାତ କରିଥିଲେ । ରାଜକୋଟ ଜିଲ୍ଲାପାଳ ଯୋଶୀ ଉପସ୍ଥାପନ କରି କହିଲେ ଯେ, ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ କରି ରାଜକୋଟ ଜିଲ୍ଲା ଦେଶରେ ସର୍ବାଧିକ ସୌରଶକ୍ତି ବ୍ୟବସ୍ଥା ସ୍ଥାପନ କରିବାରେ ଉଦାହରଣ ସୃଷ୍ଟି କରିଛି । ଜିଲ୍ଲାରେ ୮୧ ପ୍ରତିଶତରୁ ଉଦ୍ଧ୍ୱର୍ ହିତାଧିକାରୀ ନିଜର ·ହିଦା ମୁତାବକ ବିଦ୍ୟୁତ ଶକ୍ତି ବ୍ୟବହାର କରିବା ସହିତ ବଳକା ବିଦ୍ୟୁତ ଶକ୍ତି ବିତରଣ କମ୍ପାନୀକୁ ଦେଇ ଅର୍ଥ ପାଇପାରୁଛନ୍ତି । ଜିଲ୍ଲାରେ ୩୬୫ ଭେଣ୍ଡର ଏଥିପାଇଁ ନିୟୋଜିତ ହେବା ସହ ପ୍ରାୟ ୩ ହଜାର ବ୍ୟକ୍ତି ନିଯୁକ୍ତି ସୁଯୋଗ ପାଇପାରିଛନ୍ତି । ସେହିପରି ଜିଲ୍ଲାରେ ଅନ୍ୟ ଯୋଜନା କାର୍ଯ୍ୟକାରିତାରେ ଉତ୍ତମ ଅଭ୍ୟାସ ଅବଲମ୍ବନ, ଜିଲ୍ଲାରେ ପାଖାପାଖି ଶତ ପ୍ରତିଶତ ସଫଳତା ହାସଲକୁ ସକ୍ଷମ କରିଛି ବୋଲି ସେ ପ୍ରକାଶ କରିଥିଲେ । ଜାମୁ କାଶ୍ମୀର କୁପୱାଡ଼ା ଜିଲ୍ଲାର ଜିଲ୍ଲାପାଳ ରହିଥିବା ତଥା ବର୍ତ୍ତମାନର ଡେପୁଟି କମିଶନର ଶ୍ରୀମତୀ ସୂଦାନ ଯୋଗଦେଇ ଏହି ଜିଲ୍ଲା ପାର୍ବତ୍ୟ ଅଂଚଳ, ପ୍ରତିକୂଳ ଜଳବାୟୁ ଓ ଜିଲ୍ଲାରେ ସୀମିତ ବଜାର ସୁବିଧା ଥିବା ସତ୍ତେ୍ୱ କିପରି ସରକାରୀ ସେବା ଘରେ ଘରେ ପହଁଚାଇବାର ପ୍ରତିବଦ୍ଧତା, ଦକ୍ଷତା ବିକାଶ, ଜନସାଧାରଣଙ୍କ ଠାରୁ ସୁଦୃଢ ମତାମତ ସଂଗ୍ରହ ବ୍ୟବସ୍ଥା ଯୋଗୁଁ ଭାରତ ସରକାରଙ୍କ ପ୍ରମୁଖ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ସଫଳତା ଅଣାଯାଇପାରିଛି, ସେ ସମ୍ପର୍କରେ ଯୋଜନାୱାରୀ ସଫଳତାର କାହାଣୀ ଉପସ୍ଥାପନ କରିଥିଲେ । ସେହିପରି ତ୍ରିପୁରାର ଗୋମତୀ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଚକ୍ମା ଯୋଗଦେଇ ଏହି ଜିଲ୍ଲା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭୌଗୋଳିକ ଅବସ୍ଥିତି, ସାମାଜିକ ଓ ସାଂସ୍କୃତିକ ବିବିଧତା, ଦକ୍ଷ ଶ୍ରମିକ ଓ ତାଲିମ ପ୍ରାପ୍ତ ମାନବ ସମ୍ବଳର ଅଭାବ ସତ୍ତେ୍ୱ କିପରି ନିର୍ବାଚିତ ଜନପ୍ରତିନିଧିଙ୍କ ସଂପୃକ୍ତି, ଡିଜିଟାଲ ବ୍ୟବସ୍ଥା, ପ୍ରଚାର ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି, ନିୟମିତ କ୍ଷେତ୍ର ପରିଦର୍ଶନ ଯୋଗୁଁ ଭାରତ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକର ଶତ ପ୍ରତିଶତ କାର୍ଯ୍ୟକାରୀ ହେବାରେ ସଫଳତା ହାସଲ କରିପାରିଛି, ସେ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସମେତ ଉପସ୍ଥିତ ଦେଶର ବିଭିନ୍ନ ପ୍ରଦେଶରୁ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲାପାଳମାନେ ସେମାନଙ୍କର ସଫଳତା ସଂପର୍କିତ ଉପସ୍ଥାପନକୁ ପ୍ରଶଂସା ସହିତ ଏହା ନିଜ ନିଜ ରାଜ୍ୟ ତଥା ଜିଲ୍ଲା ପାଇଁ ଅନୁକରଣୀୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।