କାଠମାଣ୍ଡୁ, : ସୋଶାଲ ମିଡିଆ ବ୍ୟାନ ବିରୋଧରେ ନେପାଳ ସରକାର ବିରୋଧୀ ସ୍ୱରକୁ ଜେନ ଜେଡ ପକ୍ଷରୁ ଶାଣିତ କରାଯାଇଛି । ହଜାର ହଜାର ଜେନ ଜେଡ ସୋମବାର କାଠମାଣ୍ଡୁରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ପୂରା ଦେଶ ଅଶାନ୍ତ ହୋଇ ଉଠିଛି । ପୋଡ଼ାଜଳା ସାଙ୍ଗାକୁ ଭଙ୍ଗା ରୁଜା ସ୍ଥିତିକୁ ଅସ୍ଥିର କରିଛି । ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ପୋଲିସ ଓ ସେନା ପକ୍ଷରୁ ଗୁଳି ମାଡ଼ କରାଯାଇଛି । ଏଥିରେ ୨୦ଜଣ ବିକ୍ଷୋଭକାରୀ ପ୍ରାଣ ହରାଇବାରୁ ଅସନ୍ତୋଷର ନିଆଁ ଆହୁରି ବ୍ୟାପକ ହୋଇଛି । ଏବେ ୨୫୦ରୁ ଅଧିକ ଯୁବକଯୁବତୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ସବୁ ଭିତରେ ନେପାଳର ରମେଶ ଲେଖାକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିକ୍ଷୋଭ ବେଳେ ୨୦ଜଣ ଶିକ୍ଷାର୍ଥୀଙ୍କ ଜୀବନ ଯାଇଥିବାରୁ ଏହାର ନୈତିକ ଦାୟିତ୍ୱ ସେ ଗୃହମନ୍ତ୍ରୀ ଭାବେ ନେଇଛନ୍ତି । ଏଥିଯୋଗୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ରକୁ ସେ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଓ ନେପାଳର ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଦେଇଥିବା ଜଣାପଡ଼ିଛି । ସୂତ୍ର ଅନୁସାରେ, ନେପାଳୀ କଂଗ୍ରେସ ପଦାଧିକାରୀଙ୍କ ବୈଠକ ସମୟରେ ରମେଶ ପ୍ରଥମେ ନିଜର ଇସ୍ତଫା ପ୍ରସ୍ତାବ ଦେଇଥିଲେ । ଏହାପରେ ସେ ବିଧିବଦ୍ଧ ଭାବେ ନିଜ ପଦ ଛାଡ଼ିଛନ୍ତି । ଦେଶରେ ଅଶାନ୍ତିର ନିଆଁ ଜଳୁଥିବାରୁ ବିରୋଧୀ ରମେଶ ଓ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ ଇସ୍ତଫା ଦାବି କରୁଛନ୍ତି । ୨୦ ଜଣଙ୍କ ମୃତ୍ୟୁ ପାଇଁ ବିରୋଧୀ ସିଧା ଗୃହ ମନ୍ତ୍ରୀ ରମେଶଙ୍କୁ ଦାୟୀ କରିଥିଲେ । ଅନ୍ୟପକ୍ଷରେ ସ୍ଥିତିକୁ ଦେଖି ସମସ୍ତ ବଡ଼ବଡ଼ ରାଜନୀତିକ ଦଳ ଓ ବରିଷ୍ଠ ନେତାଙ୍କ ଠିକଣାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ି କଡ଼ି କରାଯାଇଛି । ଶାସକ ୟୁଏମଏଲ ଓ
ନେପାଳୀ କଂଗ୍ରେସ ପାର୍ଟିର ମୁଖ୍ୟାଳୟର ଆଖପାଖ ଅଞ୍ଚଳରେ ମଧ୍ୟ କର୍ଫ୍ୟୁ ଲାଗୁ କରାଯାଇଛି । ଆଗାମୀ ଦୁଇ ଦିନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଥିବା ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ ସେପ୍ଟେମ୍ବର ୯, ୧୦ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥିଗତ ରଖାଯାଇଛି । ୧୯୯୭ରୁ ୨୦୧୨ମଧ୍ୟରେ ଜନ୍ମ ହୋଇଥିବା ଲୋକଙ୍କୁ ଜେନ-ଜେଡ କୁହାଯାଏ । ଏମାନଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ଅର୍ଥାତ ଏମାନେ ଦେଶର ଯୁବଗୋଷ୍ଠୀ । ଆଧୁନିକ ଟେକ୍ନୋଲୋଜି ସହ ମଧ୍ୟ ସେମାନେ ବେଶ ପାରଙ୍ଗମୟ ଏବେ ଦେଶର ଯୁବଗୋଷ୍ଠୀ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ ସେମାନଙ୍କୁ ଜେନ ଜେଡ କୁହାଯାଉଛି । ସେମାନଙ୍କ ବିକ୍ଷୋଭରେ ସରକାର ମଧ୍ୟ ଚେପା ହୋଇଯାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ ଅଧ୍ୟକ୍ଷତାରେ ଘନଘଡ଼ ବୈଠକ ବସିବାରେ ଲାଗିଛି । ସେପ୍ଟେମ୍ବର ୪ରେ ନେପାଳ ସରକାର ୨୬ଟି ସୋଶାଲ ମିଡିଆକୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ସରକାରୀ ଗାଇଡଲାଇନକୁ ମାନୁ ନାହାନ୍ତି ଓ ସେମାନେ ନିଜକୁ ପଞ୍ଜୀକରଣ କରି ନଥିବାରୁ ସରକାର ସେଗୁଡ଼ିକୁ ବ୍ୟାନ କରିଥିଲେ । ସରକାର ଜାତୀୟ ସୁରକ୍ଷାର ଦ୍ୱାହି ଦେଉଥିବା ବେଳେ ବିକ୍ଷୋକାରୀ ଏହାକୁ ସାଧାରଣ ସ୍ୱରକୁ ବନ୍ଦ କରିବାର ପ୍ରୟାସ ବୋଲି କହିଛନ୍ତି ।