ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଆସିକା ଏବଂ ଚିକିଟିକୁ ମିଳିଲା ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର

President presents Swachh Survey 2024-25 awards: Asika and Chikiti get special President's award

0 54

ନୂଆଦିଲ୍ଲୀ, ୧୭ା୭ : ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ୨୩ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ପୁରସ୍କାର ଦିଆଯାଇଛି । ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷେ୍ନø ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବରେ ଉଭା ହେବା ସହିତ ଭାରତର ନୂତନ ପିଢ଼ିର ସ୍ୱଚ୍ଛ ସହର ରୂପେ ମାନ୍ୟତା ଲାଭ କରିଛନ୍ତି । ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି । ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ବର୍ଗରେ ପୁରସ୍କୃତ କରାଯାଇଛି । ଏହାଛଡ଼ା ୨୦ ହଜାରରୁ ୫୦ ହଜାର ମଧ୍ୟରେ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ୨୦ ହଜାରରୁ କମ୍ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମର ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ସମ୍ମାନଜନକ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ସମାରୋହରେ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ପ୍ରୟାଗରାଜକୁ ଶ୍ରେଷ୍ଠ ଗଙ୍ଗା ନଗର ପୁରସ୍କାର ପ୍ରଦାନ କରିଥିଲେ । ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟକୁ ଏହାର ଅନୁକରଣୀୟ ପରିମଳ ପ୍ରୟାସ ପାଇଁ ଶ୍ରେଷ୍ଠ କ୍ୟାଣ୍ଟନମେଣ୍ଟ ବୋର୍ଡ ଭାବରେ ସମ୍ମାନିତ କରାଯାଇଥିଲା । ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ପ୍ରତି ଉଲ୍ଲେଖନୀୟ ପ୍ରତିବଦ୍ଧତା ପାଇଁ ଜିଭିଏମସି ବିଶାଖାପାଟଣା, ଜବଲପୁର ଏବଂ ଗୋରଖପୁରକୁ ଶ୍ରେଷ୍ଠ ସଫେଇ ମିତ୍ର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଥିଲା । ବିଶ୍ୱର ସର୍ବବୃହତ ଧାର୍ମିକ ସମାଗମ ମହାକୁମ୍ଭ ସମୟରେ ଅସାଧାରଣ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୟୁପି ରାଜ୍ୟ ସରକାର, ପ୍ରୟାଗରାଜ ମେଳା ଅଧିକାରୀ ଏବଂ ପ୍ରୟାଗରାଜ ମ୍ୟୁନିସିପାଲ କର୍ପୋରେସନକୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ମହାକୁମ୍ଭ ମେଳାରେ ୬୬ କୋଟି ଲୋକଙ୍କର ସମାଗମ ହୋଇଥିଲା । ଚଳିତ ବର୍ଷର ସ୍ୱଚ୍ଛ ସର୍ବେକ୍ଷଣ କେବଳ ବଡ଼ ସହରଗୁଡ଼ିକ ପାଇଁ ଢାଞ୍ଚାକୁ ବ୍ୟବସ୍ଥିତ ଏବଂ ସୁଗମ କରିନାହିଁ, ବରଂ ଛୋଟ ସହରଗୁଡ଼ିକ ପାଇଁ ଏହାକୁ ସରଳ କରିଛି । ଏସବୁ ସହରଗୁଡ଼ିକୁ ପ୍ରତିଯୋଗିତା କରିବା ଏବଂ ସ୍ୱଚ୍ଛତାର ସିଡ଼ି ଚଢ଼ିବାକୁ ଉତ୍ସାହିତ କରିଛି । ସର୍ବେକ୍ଷଣରେ ବଡ଼ ସହରଗୁଡ଼ିକ ସହିତ ଛୋଟ ସହରଗୁଡ଼ିକୁ ସମାନ ସୁଯୋଗ ମିଳିଛି । “ଗୋଟିଏ ସହର, ଗୋଟିଏ ପୁରସ୍କାର’ ନୀତି ଅନୁସରଣ କରି ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର ଭାବରେ ସ୍ୱୀକୃତି ଦିଆଯାଇଥିଲା । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩୪ ସହର ପୁରସ୍କାର ହାସଲ କରିଛନ୍ତି । ଏହା ସହରାଞ୍ଚଳ ସ୍ୱଚ୍ଛତା ଏବଂ ପରିମଳ ଉକ୍ରୃଷ୍ଟତାରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଗତିକୁ ପ୍ରଦର୍ଶନ କରିଛି । ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ “ରିଡ୍ୟୁସ୍ (ହ୍ରାସ), ରିୟୁଜ୍ (ପୁନଃବ୍ୟବହାର), ରିସାଇକ୍ଲିଂ (ପୁନଃଚକ୍ରଣ) (ଥ୍ରୀ ଆର୍)’ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟକୁ ପ୍ରଶଂସା କରିଛନ୍ତି । ସେ କହିଥିଲେ, ୱେଷ୍ଟ ଇଜ୍ ବେଷ୍ଟ (ବର୍ଜ୍ୟ ହିଁ ସମ୍ପଦ) ମନ୍ତ୍ର ଚକ୍ରାକାର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିଥାଏ । ସେ ଯୁବପିଢ଼ିଙ୍କୁ ସଶକ୍ତ କରିବା, ସବୁଜ ନିଯୁକ୍ତି ସୃଷ୍ଟି କରିବା ଏବଂ ଉଦ୍ୟୋଗ ସୁଯୋଗ ସୃଷ୍ଟି କରିବା, ଏସଏଚଜି ଗୁଡ଼ିକୁ ସାମିଲ କରିବାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ । ସହରଗୁଡ଼ିକ ଆମର ସ୍ୱଭାବ ଏବଂ ସଂସ୍କାରର ଅଂଶ ଭାବରେ ଏକ ଚକ୍ରାକାର ଅର୍ଥବ୍ୟବସ୍ଥା ଏବଂ ସ୍ୱଚ୍ଛତାର ନୀତିକୁ ଗ୍ରହଣ କରିବା ଖୁସିର ବିଷୟ ବୋଲି ରାଷ୍ଟ୍ରପତି କହିଥିଲେ । ସେ ୧ ଲକ୍ଷ ଜନସଂଖ୍ୟାରୁ କମ୍ ସହରଗୁଡ଼ିକୁ ପ୍ରଶଂସା କରିଥିଲେ ଯେଉଁଗୁଡ଼ିକ ସ୍ୱଚ୍ଛତାର ଉକ୍ରୃଷ୍ଟ ମାନଦଣ୍ଡ ସ୍ଥାପନ କରିଛନ୍ତି । ବିଦ୍ୟାଳୟ ସ୍ତରରେ ହସ୍ତକ୍ଷେପ, ଉତ୍ସ ପୃଥକୀକରଣ ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପ, ଶୂନ୍ୟ ଅପଚୟ କଲୋନୀ ଆଦି ପ୍ରୟାସ କିପରି ସ୍ୱଚ୍ଛ ଭାରତ ପାଇଁ ସଂକଳ୍ପକୁ ଆହୁରି ମଜବୁତ କରୁଛି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିବ ବୋଲି ଶେଷରେ ସେ ଆଶା ପ୍ରକାଶ କରିଥିଲେ । ସ୍ୱଚ୍ଛ ସହର ସହଭାଗୀତା ପ୍ରୟାସର ଶୁଭାରମ୍ଭ କରି କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ସମକକ୍ଷ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ସବୁ ଜନସଂଖ୍ୟା ବର୍ଗର ସମସ୍ତ ୭୮ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ସହର ସମ୍ପୃକ୍ତ ରାଜ୍ୟରୁ ଗୋଟିଏ ଲେଖାଏଁ ଖରାପ ପ୍ରଦର୍ଶନକାରୀ ସହରକୁ ଗ୍ରହଣ କରିବେ ଏବଂ ସ୍ୱଚ୍ଛତା ପାଇଁ ପରାମର୍ଶ ଦେବେ । ବ୍ୟାପକ ଅଳିଆଗଦା ପ୍ରତିକାର କାର୍ଯ୍ୟକ୍ରମ ଘୋଷଣା କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ୧୫ ଅଗଷ୍ଟ, ୨୦୨୫ରୁ ଆରମ୍ଭ ହେଉଥିବା ଏହି ୧ ବର୍ଷର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ ପୁରୁଣା ବର୍ଜ୍ୟବସ୍ତୁ ପରିଚାଳନାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ନାହିଁ ବରଂ ବଡ଼ ସହରାଞ୍ଚଳ ସ୍ଥାନକୁ ମୁକ୍ତ କରିବାରେ ସାହାଯ୍ୟ କରିବ । ଏଥିସହିତ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ । ଅତିଥିମାନଙ୍କୁ ସ୍ୱାଗତ କରି ମନ୍ତ୍ରଣାଳୟର ସଚିବ ଶ୍ରୀନିବାସ କଟିକିତାଲା ଗତ ଏକ ଦଶନ୍ଧି ମଧ୍ୟରେ ସ୍ୱଚ୍ଛ ଭାରତ ଅଭିଯାନର ରୂପାନ୍ତରଣକାରୀ ଯାତ୍ରା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ବର୍ତ୍ତମାନ ସ୍ୱଚ୍ଛତା ଓ ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏହା ନାଗରିକଙ୍କ ମୂଲ୍ୟବୋଧ ଏବଂ ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟିଛି । ନାଗରିଙ୍କ ମଧ୍ୟରେ ସ୍ୱଚ୍ଛତାର ସ୍ୱଭାବ ଏବଂ ସଂସ୍କାର ଆସିପାରିଛି । ଶେଷରେ ସେ କହିଥିଲେ, ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ସଫଳତାର ସହ ସମାପ୍ତ କରିସାରିଛି । ବର୍ତ୍ତମାନ କେବଳ ଆଗାମୀ ଦଶନ୍ଧି ପାଇଁ ଯୋଜନା କରିବାକୁ ପଡିବ ନାହିଁ, ବରଂ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଯୋଜନା ମଧ୍ୟ ସ୍ଥିର କରିବାକୁ ପଡିବ । ଏହି ଅବସରରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ଫଳାଫଳ ଡ୍ୟାସବୋର୍ଡ ଡିଜିଟାଲ ଭାବରେ ଶୁଭାରମ୍ଭ କରାଯାଇଥିଲା । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ର ପ୍ରମୁଖ ଆକର୍ଷଣ ଏବଂ ସୁପର ସ୍ୱଚ୍ଛ ଲିଗ୍ ସିଟିଗୁଡ଼ିକର ସଫଳତାଗୁଡ଼ିକୁ ଆକର୍ଷଣୀୟ ଅଡିଓ-ଭିଜୁଆଲ୍ ଉପସ୍ଥାପନା ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।

Leave A Reply

Your email address will not be published.