୨୦୩୬ ସୁଦ୍ଧା ୧୦ ଲକ୍ଷ ‘ସବୁଜ ଜୀବିକା’ ସୃଷ୍ଟି କରାଯାଇ ଓଡିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ବିକଶିତ କରାଯିବ-ମୁଖ୍ୟମନ୍ତ୍ରୀ

Odisha to be developed as a model in eco-tourism by creating 1 million 'green livelihoods' by 2036 - Chief Minister

0 76

ଭୁବନେଶ୍ୱର,7/7: ରାଜ୍ୟରେ ଜଙ୍ଗଲ ସମ୍ପଦର ବିକାଶ, ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆଦି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି କାର୍ଯ୍ୟରେ କ୍ଷେତ୍ର କର୍ମଚାରୀ ଓ ଜନସାଧାରଣଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାର ଗୁଡିକର ପୁନର୍ବିନ୍ୟାସ କରାଯାଇଛି । ଆଜି ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମ୍ ହାଇସ୍କୁଲରେ ଆୟୋଜିତ ବନମହୋତ୍ସବ ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ଏହି ନୂତନ ପୁରସ୍କାର ଆଜିଠାରୁ ହିଁ ଲାଗୁ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ବନ ସୁରକ୍ଷା ଓ ସଂରକ୍ଷଣ ।ଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ପୁରସ୍କାର ଯୁଗ୍ମ ଭାବେ ପାଇଛନ୍ତି କଳାହାଣ୍ଡିର ‘ତୁଲଙ୍ଗଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’ । ଉଭୟଙ୍କୁ ମିଳିତ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ।
କଳାହାଣ୍ଡି ନର୍ଥ ଫରେଷ୍ଟ ଡିଭିଜନର ତୁଲଙ୍ଗପଦର ବନ ସୁରକ୍ଷା ସମିତି ବଜାରଗଡ ଜଙ୍ଗଲର ୫୦ ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରି ଏହି ଅବକ୍ଷୟ ପ୍ରାପ୍ତ ଜଙ୍ଗଲର ପୁନରୁଧାର କରିପାରିଛନ୍ତି । ଏହି ସମିତିର ଉଦ୍ୟମ ଯୋଗୁଁ ଗତ ତିନି ବର୍ଷରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ । ସେହିପରି କରଞ୍ଜିଆ ଫରେଷ୍ଟ ଡିଭିଜନର ପାହଡପୁର ବନ ସୁରକ୍ଷା ସମିତି ବୁଢିପାଟ ଜଙ୍ଗଲର ୧୫୯ ହେକ୍ଟର ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରି ଜଙ୍ଗଲର ସୁରକ୍ଷା କରିଛନ୍ତି । ଗତ ୫ବର୍ଷ ମଧ୍ୟରେ ଏହି ଜଙ୍ଗଲରେ ଗୋଟିଏ ବି ବନାଗ୍ନି ଘଟଣା ଘଟି ନାହିଁ । ଏହା ସହିତ ମନୁଷ୍ୟ-ହାତୀ ସଂଘର୍ଷ ଘଟଣା ମଧ୍ୟ ନିୟନ୍ତ୍ରଣକୁ ଆସିପାରିଛି ।
ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଏକ ସୁନ୍ଦର ଓ ସବୁଜ ଓଡିଶା ଗଠନ କରିବା ପାଇଁ କହିଲେ ଯେ, ୨୦୩୬ ସୁଦ୍ଧା ଭିଜନ ଓଡିଶା କାର୍ଯ୍ୟକ୍ରମରେ ‘ସବୁଜ ଓଡିଶା’ ଗଠନ ଏକ ପ୍ରମୁଖ ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ପାଇଁ ସମ୍ପ୍ରଦାୟ ନେତୃତ୍ୱାଧୀନ ଜଙ୍ଗଲ ଉଦ୍ୟୋଗ ମାଧ୍ୟମରେ ୧୦ ଲକ୍ଷ ସବୁଜ ଜୀବିକା ସୃଷ୍ଟି କରାଯିବ ଏବଂ ଓଡିଶାକୁ ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ବିକଶିତ କରାଯିବ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ସବୁଜ ଓଡିଶା ଯୋଜନାରେ ଆଦିବାସୀ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଶାଳ, ତେନ୍ତୁଳି, ବାଁଉଶ ଓ ଔଷଧୀୟ ଉଦ୍ଭିଦ ପାଇଁ ୧୦୦ ରୁ ଅଧିକ ପ୍ରକ୍ରିୟା କରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଏହାଦ୍ୱାରା ୫ ହଜାର କୋଟି ଟଙ୍କାରୁ ଅଧିକ ଆୟ କରାଯିବାର ଲକ୍ଷ୍ୟ ରଖାଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପ୍ରେରଣାରେ ଗତ ବର୍ଷ ଏକ୍ ପେଡ୍ ମା’ କେ ନାମ ଅଭିଯାନରେ ୬.୬୯ କୋଟି ଚାରା ରୋପଣ କରାଯାଇଥିଲା ଏବଂ ଓଡିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଚଳିତ ବର୍ଷ ‘ଏକ୍ ପେଡ୍ ମା’ କେ ନାମ-୨.୦’ ଅଭିଯାନରେ ୭.୫ କୋଟି ଚାରା ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ବଜ୍ରପାତରୁ ରକ୍ଷା ପାଇବା ପାଇଁ ଗତ ବର୍ଷ ସରକାର ୧୯ ଲକ୍ଷ ତାଳଗଛ ରୋପଣ କରିଥିଲେ ଏବଂ ଚଳିତ ବର୍ଷ ୧୮ ଲକ୍ଷ ତାଳ ଗଛ ରୋପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିବା ପରେ ଆମ ଶିମିଳିପାଳ ଯୋଜନାରେ ରାଜ୍ୟ ସରକାର ଏଠାରେ ୫୦ କୋଟି ଟଙ୍କା ବ୍ୟୟରେ ବନ୍ୟପ୍ରାଣୀ ଓ ଉଦ୍ଭିଦର ସଂରକ୍ଷଣ ପାଇଁ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି । ଶିମିଳିପାଳ ଭଳି ଜଙ୍ଗଲ ମାନଙ୍କରେ ନିଆଁ ଲାଗିବାକୁ ରୋକିବା ପାଇଁ ଏଆଇ ଆଧାରିତ ବନାଗ୍ନି ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ କରିଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ମନୁଷ୍ୟ ଓ ବନ୍ୟପ୍ରାଣୀ ସଂଘର୍ଷରେ ଅନୁକମ୍ପା ମୂଳକ ସହାୟତା ରାଶି ବୃଦ୍ଧି କରାଯାଇଛି ବୋଲି ପ୍ରକାଶ କରି ବନ୍ୟପ୍ରାଣୀ ସଂଘର୍ଷରେ ଲୋକଙ୍କ ମୃତ୍ୟୁ ହେଲେ ସହାୟତା ରାଶି ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ । ଅନ୍ୟାନ୍ୟ କ୍ଷତିପୂରଣ ରାଶି ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ କହିଲେ ଯେ, ୨୦୨୫ ବନ ମହୋତ୍ସବର ବିଷୟବସ୍ତୁ ହେଉଛି “ଏକ ପେଡ଼୍ ମା କେ ନାମ୍” ଯାହାର ଅର୍ଥ “ମା’ଙ୍କ ନାମରେ ଗୋଟିଏ ଗଛ” । ଏହି ବିଷୟବସ୍ତୁ ବୃକ୍ଷରୋପଣ ପ୍ରୟାସକୁ ସେମାନଙ୍କର ମା’ଙ୍କ ପ୍ରତି ଉତ୍ସର୍ଗ କରିବାକୁ ଉତ୍ସାହିତ କରୁଛି । ପରିବେଶ, ଅର୍ଥନୀତି ଏବଂ ମାନବ କଲ୍ୟାଣ ପାଇଁ ଜଙ୍ଗଲ ବହୁମୁଖୀ ହିତ ସାଧନ କରେ । ଜଳବାୟୁ ନିୟନ୍ତ୍ରଣ, ଜଳ ବିଶୋଧନ ଏବଂ ଜୈବ ବିବିଧତା ସଂରକ୍ଷଣରେ ଜଙ୍ଗଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଜୀବିକା ନିର୍ବାହରେ ସହାୟକ ହେବା ସଙ୍ଗେ ସଙ୍ଗେ କାଠ ଏବଂ ଖାଦ୍ୟ ଭଳି ସମ୍ବଳ ପ୍ରଦାନ କରିଥାଏ ।
ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ସୀତାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରସ୍କାର ପୁନର୍ବିନ୍ୟାସ
ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୧ ବିଶ୍ୱ ବନ ଦିବସ, ଜୁନ୍ ୫ ବିଶ୍ୱ ପରିବେଶ ଦିବସ, ଜୁଲାଇ ମାସରେ ବନ ମହୋତ୍ସବ ସପ୍ତାହ ପାଳନ ଏବଂ ଅକ୍ଟୋବର ମାସରେ ବନ୍ୟ ପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ । ଏହି ସବୁ କାର୍ଯ୍ୟକ୍ରମରେ ବିଭିନ୍ନ କର୍ମଚାରୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କାର ଦିଆଯାଏ । ଯେହେତୁ ଏହା ଏକ ସାମାଜିକ ଦାୟିତ୍ୱ ତେଣୁ ଏଥିରେ ସମସ୍ତଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ସବୁ ପୁରସ୍କାର ଗୁଡିକର ପୁନର୍ବିନ୍ୟାସ କରିଛନ୍ତି । ଅନେକ ପୁରସ୍କାରର ସଂଖ୍ୟା ଓ ପୁରସ୍କାର ରାଶି ପରିମାଣ ମଧ୍ୟ ବୃଦ୍ଧି ହୋଇଛି । ଏହି ସମସ୍ତ ପୁରସ୍କାର ଆଜିଠାରୁ କାର୍ଯ୍ୟକାରୀ କରାଯାଉଛି ।
ଏହି ପୁରସ୍କାର ଗୁଡିକ ହେଉଛି-
ବିଶ୍ୱ ବନ ଦିବସ (ମାର୍ଚ୍ଚ ୨୧) ବନ ବିଭାଗର କ୍ଷେତ୍ର କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ବନ ପୁରସ୍କାର- ଏଥିରେ ୪ଜଣ ଫରେଷ୍ଟ ରେଞ୍ଜର, ୧୨ ଜଣ ଫରେଷ୍ଟର ଓ ୨୪ ଜଣ ଫରେଷ୍ଟ ଗାର୍ଡଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସମସ୍ତଙ୍କୁ ମାନପତ୍ର, ମେଡାଲ ସହିତ ୧୦ ହଜାର ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ।
• ବନୀ କରଣ କିମ୍ବା ବୃକ୍ଷ ରୋପଣ କ୍ଷେତ୍ରରେ ଉତ୍କୃଷ୍ଟ ୍ରଦର୍ଶନ ପାଇଁ ପୁରସ୍କାର- ଏଥିରେ ପ୍ରତ୍ୟେକ ସବ୍ଡିଭିଜନ୍ର ଗୋଟିଏ ଶିକ୍ଷାନୁଷ୍ଠାନକୁ ୧୦ ହଜାର ଟଙ୍କା ଏବଂ ପ୍ରତ୍ୟେକ ସବଡିଭିଜନର ଗୋଟିଏ ଗ୍ରାମଞ୍ଚାୟତକୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବ ।
ବିଶ୍ୱ ପରିବେଶ ଦିବସ (ଜୁନ ୫) ପ୍ରକୃତି ମିତ୍ର ପୁରସ୍କାର-ଏଥିରେ ପ୍ରତ୍ୟେକ ବ୍ଲକର ଗୋଟିଏ ଗ୍ରାମ, ଗୋଟିଏ ଶିକ୍ଷାନୁଷ୍ଠାନ କିମ୍ବା ଗୋଟିଏ ପଞ୍ଜିକୃତ ସଂସ୍ଥାକୁ ଉଲ୍ଲେଖନୀୟ କାମ ପାଇଁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ ।
• ପ୍ରକୃତି ବନ୍ଧୁ ପୁରସ୍କାର- ଏଥିରେ ପ୍ରତ୍ୟେକ ବ୍ଲକର ଜଣେ ବ୍ୟକ୍ତିକୁ ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ।
ବନ ମହୋତ୍ସବ ସପ୍ତାହ (ଜୁଲାଇ ପ୍ରଥମ ସପ୍ତାହ) ବନ ସୁରକ୍ଷା ଓ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର- ଏଥିରେ ବନ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗୋଟିଏ ବନ ସୁରକ୍ଷା ସମିତିକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ । ଏଥିରେ ପ୍ରମାଣପତ୍ର ସହିତ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏହା ସହିତ ପ୍ରତ୍ୟେକ ସବଡିଭିଜନରେ ମଧ୍ୟ ଗୋଟିଏ ଲେଖାଏ ବନ ସୁରକ୍ଷା ସମିତିକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ।
ବନ୍ୟ ପ୍ରାଣୀ ସପ୍ତାହ (ଅକ୍ଟୋବର ମାସ) ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର- ଏଥିରେ ବନ୍ୟ ପ୍ରାଣୀ ଓ ଜୈବ-ବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଅନୁଷ୍ଠାନକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ । ଏଥିରେ ଗୋଟିଏ ସାର୍ଟିଫିକେଟ୍ ଓ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ପ୍ରତ୍ୟେକ ସବଡିଭିଜନ ସ୍ତରରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଗୋଟିଏ ସାର୍ଟିଫିକେଟ ଓ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ।

Leave A Reply

Your email address will not be published.