୨୭ ବର୍ଷରେ ବିଜେଡି : ବିକାଶର ବାର୍ତ୍ତା ଦେବ ଦଳ

BJD in 27 years: The party will give the message of development

0 185

ଭୁବନେଶ୍ୱର,୨୫ା୧୨ : ମଙ୍ଗଳବାର ୨୬ ପୂରି ୨୭ବର୍ଷରେ ପାଦ ଦେବ ବିଜୁ ଜନତା ଦଳ। ଏହି ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସେବା ଓ ବିକାଶର ବାର୍ତ୍ତା ଦେବ ବିଜେଡି। ଏହି ଅବସରରେ ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଷ୍ଠା ଦିବସ ଅବସରରେ ନବୀନ ଓଡ଼ିଶା ଗଢିବା ନେଇ ସଂକଳ୍ପ ନେବେ ବିଜେଡି କର୍ମୀ ଓ ନେତା । ଆସନ୍ତାକାଲି ୨୭ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ଗତ ୨୬ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନତାଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ଆସୁଛି ବିଜେଡି। ଏହା ଭିତରେ ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ଭିତରେ ସ୍ୱତନ୍ତ୍ର ସ୍ଥାନ ପାଇଛି। ଯାହା ଦଳକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିଛି। ବିଜୁବାବୁଙ୍କ ଆଦର୍ଶରେ ଗଠନ ହୋଇଥିବା ବିଜେଡି ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶର ଆଭିମୁଖ୍ୟ ନେଇ କାମ କରୁଥିବାରୁ ବାରମ୍ବାର ଜନ ଆର୍ଶୀବାଦ ଲାଭ କରିଛି। ଆଗାମୀ ଦିନରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇଥିବା ବିକାଶଧାରାକୁ ବଜାୟ ରଖିବା ପାଇଁ ଏହା ଶକ୍ତି ଯୋଗାଇଛି। ନିର୍ବାଚନ ହେଉ କି ଉପନିର୍ବାଚନ, ସବୁଥିରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା। ୨୦୨୪ ନିର୍ବାଚନର ବି ରୋଡମ୍ୟାପ ପ୍ରସ୍ତୁତ ହୋଇଛି । ମିଶନ ୧୩୦କୁ ନେଇ କାମ କରୁଛି ବିଜେଡି। ବିଜେଡିର ୨୭ତମ ପ୍ରତିଷ୍ଠା ସମାରୋହ ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ପାଳନ କରାଯିବ। ଏହି ଦିବସରେ ଗଣଦୌଡ଼ ସହ ସାଇକେଲ ରାଲି ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ। ସେହିପରି ଶଙ୍ଖ ଭବନ ସମେତ ବିଭିନ୍ନ ସ୍ଥାନରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଉଛି। ବିକାଶର ନିରନ୍ତର ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଇଛନ୍ତି ନୂଆ ପରିଚୟ। କ୍ରୀଡ଼ା ହେଉ କି ଖାଦ୍ୟ ଯୋଗାଣ, ଶିକ୍ଷା ହେଉ କି ପର୍ଯ୍ୟଟନ, ସବୁ କ୍ଷେତ୍ରରେ ବିକାଶର ଶୀର୍ଷ ଛୁଇଁଛି ଓଡ଼ିଶା। ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକାଶିତ ରାଜ୍ୟ କରିବାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଜାରି ରହିଛି।

Leave A Reply

Your email address will not be published.