୬ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍‌

0 39

ଭୁବନେଶ୍ୱର, : ଆସନ୍ତା ୬ ତାରିଖ (ରବିବାର)ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ତା\’ ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ଗୁରୁବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ରବିବାର ପୂଜାର୍ଚ୍ଚନା ପରେ ସକାଳ ୧୦ଟା ବେଳେ ଗେଟ୍ ଖୋଲାଯିବ । କେତୋଟି ଗେଟ୍ ଖୋଲା ଯିବ, ତାହା ସେହି ଦିନ ନିଷ୍ପତ୍ତି ହେବ । ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି ଯେ ଗୁରୁବାର ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୦୨ ଫୁଟ୍ ରହିଛି । ଉପର ମୁଣ୍ଡରେ ୩୦ ମିଲିମିଟର ବର୍ଷା ହୋଇଛି । ତେଣୁ ଆମେ ଜଳଭଣ୍ଡାର ମଧ୍ୟକୁ ଜଳ ପ୍ରବେଶ କରିବ ବୋଲି ଆଶା କରୁଛୁ । ଶୁକ୍ରବାର ଜଳଭଣ୍ଡାରର ଜଳସ୍ତର ୬୦୫ ଫୁଟ ପହଞ୍ଚିଯିବ । ଶୁକ୍ରବାର ଓ ଶନିବାର ବର୍ଷା ହେବ ବୋଲି ଆଇଏମଡି ମଧ୍ୟ ଆକଳନ କରିଛି । ଯଦି ବର୍ଷା ହୁଏ, ଜଳଭଣ୍ଡାରର ଜଳପତ୍ତନ ଆହୁରି ବଢିବ । ଜଳଭଣ୍ଡାରକୁ କେତେ ଜଳ ପ୍ରବେଶ କରୁଛି ଓ ଉପରମୁଣ୍ଡରେ କେତେ ବର୍ଷା ହୋଇଛି, ତାକୁ ଦୃଷ୍ଟିରେ ରଖି କେତୋଟି ଗେଟ୍ ଖୋଲା ଯିବ, ସେ ନିଷ୍ପତ୍ତି ରବିବାର ନିଆଯିବ । ସେ ଆହୁରି କହିଛନ୍ତି, ଆସନ୍ତା ରବିବାର ହୀରାକୁଦ ଡ୍ୟାମର ଗେଟ୍‌ ଖୋଲାଯିବାକୁ ଥିବାରୁ ଯେଉଁ ୧୩ଟି ଜିଲ୍ଲା ପ୍ରଭାବିତ ହେବେ, ସେହି ଜିଲ୍ଲାଗୁଡ଼ିକୁ ଆଜି ଖବର ପହଞ୍ଚାଇ ଦିଆଯିବ । ଡ୍ୟାମର ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ସତର୍କ କରିବା ପାଇଁ ଶୁକ୍ରବାର ଓ ତା\’ ପରଦିନ ମାଇକରେ ପ୍ରଚାର କରାଯିବ । ଏସ୍‌ଓପି ଅନୁସାରେ ଗେଟ୍ ଖୋଲା ଯିବାର ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କୁ ସୂଚନା ଦିଆଯିବା କଥା ।

Leave A Reply

Your email address will not be published.