ମୁମ୍ବାଇ, : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ (ଆଇପିଏଲ ୨୦୨୫)ର ପଞ୍ଜାବ କିଙ୍ଗସ (ପିବିକେଏସ) ବନାମ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମ୍ୟାଚ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ, ଧର୍ମଶାଳାରୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଧର୍ମଶାଳା ବିମାନବନ୍ଦର ବନ୍ଦ ହେବା ଯୋଗୁଁ ଉଭୟ ଦଳର ଯାତ୍ରା ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ । ଭାରତର \”ଅପରେସନ ସିନ୍ଦୁର\’ ସାମରିକ ଅଭିଯାନ, ଯାହା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା, ପରେ ଉତ୍ତର-ପଶ୍ଚିମ ଭାରତର ଅନେକ ବିମାନବନ୍ଦରରେ ଉଡ଼ାଣ କାର୍ଯ୍ୟକ୍ଷମତା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଛି । ତେଣୁ, ମେ ୧୧, ରବିବାର ଖେଳାଯିବାକୁ ଥିବା ଆଇପିଏଲ ୨୦୨୫ର ୬୧ ନମ୍ବର ମ୍ୟାଚ ପାଇଁ ଏମଆଇ ଏବଂ ପିବିକେଏସର ଯାତ୍ରା ବ୍ୟବସ୍ଥା ଉପରେ ବ୍ୟାପକ ପ୍ରଭାବ ପଡ଼ିଛି । ରିପୋର୍ଟ ଅନୁଯାୟୀ ଏହି ମ୍ୟାଚର ସ୍ଥାନ ଧର୍ମଶାଳାରୁ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମକୁ ସ୍ଥାନାନ୍ତର କରିବା ନେଇ ଆଲୋଚନା ଚାଲିଛି । ଏହା ପୂର୍ବରୁ ରିପୋର୍ଟ ଆସିଥିଲ ଯେ ମୁମ୍ବାଇ ଇଣ୍ଡିଆନ୍ସ, ମେ ୮ ସୁଦ୍ଧା ଧର୍ମଶାଳାରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା, ସେମାନେ ବିକଳ୍ପ ଯାତ୍ରା ବ୍ୟବସ୍ଥା ଖୋଜୁଛନ୍ତି । ଧର୍ମଶାଳା ଏବଂ ଚଣ୍ଡିଗଡ଼ ବିମାନବନ୍ଦର ବନ୍ଦ ଥିବାରୁ, ଦଳଟି ଦିଲ୍ଲୀକୁ ଉଡ଼ାଣ କରି ରାସ୍ତା ମାର୍ଗରେ ଯାତ୍ରା ସମ୍ପୂର୍ଣ୍ଣ କରିପାରେ, ଯଦିଓ ଏକ ଆଧିକାରିକ ଅପଡେଟର ଅପେକ୍ଷା ରହିଛି । ତେବେ ଅପରେସନ ସିନ୍ଦୁର ପରେ ଆଞ୍ଚଳିକ ଯାତାୟାତ ବାଧା ସତ୍ତ୍ୱେ, ମେ ୮ ତାରିଖରେ ନିର୍ଦ୍ଧାରିତ ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗସ ମ୍ୟାଚ ଯୋଜନା ଅନୁସାରେ ଆଗେଇ ଚାଲିବ । କାରଣ ଦିଲ୍ଲୀ ସ୍ଥାନୀୟ ବିମାନବନ୍ଦର ବନ୍ଦ ହେବା ପୂର୍ବରୁ ଧର୍ମଶାଳାରେ ପହଞ୍ଚି ସାରିଥିଲା । ତଥାପି, ଉତ୍ତର-ପଶ୍ଚିମ ଭାରତର ବିମାନବନ୍ଦରଗୁଡ଼ିକ ବନ୍ଦ ରହିଥିବାରୁ, ଦିଲ୍ଲୀ କ୍ୟାପିଟାଲ୍ସ ମେ ୧୧ ତାରିଖରେ ଗୁଜରାଟ ଟାଇଟାନ୍ସ ବିରୁଦ୍ଧରେ ଖେଳିବା ପାଇଁ ଧର୍ମଶାଳାରୁ ନୂଆ ଦିଲ୍ଲୀକୁ ରାସ୍ତା ମାର୍ଗରେ ଯାତ୍ରା କରିବାକୁ ଆଶା କରାଯାଉଛି ।