ନୂଆଦିଲ୍ଲୀ, : ଆସନ୍ତା ଜୁନ ୩ରେ ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୫ ସଂସ୍କରଣର ଫାଇନାଲ । ଫାଇନାଲ ମ୍ୟାଚରେ ଭାରତୀୟ ସେନାକୁ ସମ୍ମାନ ଜଣାଇବ ବିସିସିଆଇ । ଫାଇନାଲ ମ୍ୟାଚ୍ ପାଇଁ ଆୟୋଜିତ ହେବାକୁଥିବା ଉଦଯାପନୀ ସମାରୋହରେ ଭାରତୀୟ ସେନାର ପରାକ୍ରମକୁ ନିଆରା ଢଙ୍ଗରେ ସମ୍ମାନୀତ କରାଯିବ । ଉଦଯାପନୀ ସମାରୋହରେ ସାମିଲ ହେବାକୁ ବିସିସିଆଇ ପକ୍ଷରୁ ତିନି ସେନାର ମୁଖ୍ୟ ଅର୍ଥାତ ସିଡିଏସ, ସ୍ଥଳ ସେନା, ନୌସେନା ଓ ବାୟୁ ସେନା ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି, ବିସିସିଆଇ ଆମର ସଶସ୍ତ୍ର ବଳର ବୀରତ୍ୱ, ସାହସ ଓ ନିସ୍ୱାର୍ଥ ସେବାକୁ ସଲାମ କରୁଛି । ଅପରେସନ ସିନ୍ଦୂର ଜରିଆରେ ସଶସ୍ତ୍ର ବଳ ଦେଖାଇଥିବା ବୀରତା ସମସ୍ତଙ୍କୁ ପ୍ରେରଣା ଯୋଗାଇ ପାରିଛି । ସେନା ବାହିନୀକୁ ସମ୍ମାନ ଜଣାଇ ଆମେ ଆଇପିଏଲ ଫାଇନାଲର ଉଦଯାପନୀ ସମାରୋହକୁ ସେମାନଙ୍କୁ ସମର୍ପିତ କରିବୁ ଓ ଆମ ହିରୋମାନଙ୍କୁ ସମ୍ମାନୀତ କରିବୁ । ‘ଅପରେସନର ସିନ୍ଦୂର’ର ସଫଳତାକୁ ବେଶ ଉତ୍ସାହର ସହ ପାଳନ କରାଯିବ । ପହଲଗାମ ନରସଂହାର ପରେ ଭାରତ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ର ଜବାବ ଦେବାକୁ ପାକିସ୍ତାନ ଆକଶ ପଥରେ ଆକ୍ରମଣ କରିଥିଲା । ଭାରତୀୟ ସେନା ଏହାର କଡ଼ା ଜବାବ ଦେବାରୁ ପୂରା ଦେଶରେ ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା । ଏଥିଯୋଗୁ ଆଇପିଏଲର ୧୮ତମ ସଂସ୍କରଣକୁ ପ୍ରାୟ ୧୦ ଦିନ ଯାଏ ସ୍ଥଗିତ ରଖାଯାଇଥିଲା । ଏହାପରେ ପୁଣି ଆଇପିଏଲର ବାକି ରହିଥିବା ମ୍ୟାଚ୍ ଗୁଡ଼ିକ ଆରମ୍ଭ ହୋଇଛି । ଭାରତୀୟ ସେନାର ପରାକ୍ରମର ମୁକାବିଲା ନକରିପାରି ପାକିସ୍ତାନ ଯୁଦ୍ଧ ବିରତି ପାଇଁ ନେହୁରା ହୋଇଥିଲା । ଏହାପରେ ଭାରତ ସରକାର ଯୁଦ୍ଧ
ବିରତି ଲାଗୁ କରିଥିଲେ । ବିଭିନ୍ନ ମହଲରେ ଭାରତୀୟ ସେନାକୁ ପ୍ରଶଂସା କରାଯାଇଥିବା ବେଳେ ଏବେ ଆଇପିଏଲ ଫାଇନାଲରେ ଦେଶର ବୀର ଯବାନମାନଙ୍କୁ ସମ୍ମାନ ଜଣାଯିବ । ପ୍ରଥମଥର ପାଇଁ ଆଇପିଏଲ ପକ୍ଷରୁ ସେନା ବାହିନୀକୁ ସମ୍ମାନ ଜଣାଯାଉନାହିଁ । ୨୦୧୯ ପୁଲୱାମା ଆତଙ୍କବାଦୀରେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ସେହିବର୍ଷ ବିସିସଆଇ ଆଇପିଏଲର ଉଦଘାଟନୀ ସମାରୋହକୁ ସାମରିକ ବ୍ୟାଣ୍ଡକୁ ନିମନ୍ତ୍ରଣ କରିଥିଲା । ସେହିପରି ଆଇପିଏଲ ପକ୍ଷରୁ ୨୦ କୋଟି ଟଙ୍କା ସେନା ବାହିନୀକୁ ଦିଆଯାଇଥିଲା ।