ନୂଆଦିଲ୍ଲୀ, : କିଛି ମାସ ତଳେ ଭାରତୀୟ ମହିଳା କ୍ରିକେଟର୍ କାଶଭୀ ଗୌତମଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂରଣ କରିଛନ୍ତି । ମହିଳା ପ୍ରିମିୟର୍ ଲିଗ୍ ବେଳେ ହାର୍ଦ୍ଦିକଙ୍କୁ ଗୁଜରାଟ ଜାଏଣ୍ଟସରୁ ଖେଳୁଥିବା ୨୧ ବର୍ଷୀୟା କାଶଭୀ ଭେଟିଥିଲେ । ଆଲୋଚନା ବେଳେ ହାର୍ଦ୍ଦିକଙ୍କୁ ତାଙ୍କ ସାଥୀମାନେ କହିଥିଲେ, କାଶଭୀ ତୁମର ବଡ଼ ପ୍ରଶଂସକ ଏବଂ ତାଙ୍କ ବ୍ୟାଟରେ \”ଏଚସି୩୩\’ ଲେଖିଛନ୍ତି । ଏହା ହାର୍ଦ୍ଦିକଙ୍କ ମନକୁ ଛୁଇଁଥିଲା ଏବଂ କାଶଭୀଙ୍କୁ ଏକ ୧୧୦୦ ଗ୍ରାମର ବ୍ୟାଟ୍ ଦେବାକୁ କହିଥିଲେ । ହାର୍ଦ୍ଦିକ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ କାଶଭୀଙ୍କୁ ଏହି ଉପହାର ଦେଇଛନ୍ତି । ବ୍ୟାଟ୍ ପ୍ରଦାନ ବେଳର ଭିଡିଓରେ ହାର୍ଦ୍ଦିକ କହୁଛନ୍ତି, ପ୍ରଥମ କଲ୍ ପାଇଁ ଅଭିନନ୍ଦନ, ଏହା ନେଇ ଦେଖ, ଭଲ ନଲାଗିଲେ ଫେରାଇଦେବ । ଖେଳ ଏବଂ ଉପଭୋଗ କର । ଭଲରେ ରୁହ, ଭାରତ ପାଇଁ ଖେଳ । ଯୁବା ଅଲରାଉଣ୍ଡର୍ କାଶଭୀ ଡବ୍ଲୁପିଏଲରେ ଚମତ୍କାର ପ୍ରଦର୍ଶନ କରିବା ପରେ ପ୍ରଥମ ଥର ଲାଗି ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ଡବ୍ଲୁପିଏଲ୍ ସେ ୯ ମ୍ୟାଚ୍ ଖେଳି ୬.୪୫ ଇକୋନୋମିରେ ୧୧ ୱିକେଟ୍ ହାସଲ କରି ଗୁଜରାଟର ଅଗ୍ରଣୀ ୱିକେଟ୍ ହାସଲକାରୀ ହୋଇଥିଲେ । ଏଥିସହ ବ୍ୟାଟିଂରେ ମଧ୍ୟ କିଛି ଉପଯୋଗୀ ପାଳି ଖେଳିଥିଲେ ।