ନୂଆଦିଲ୍ଲୀ, : ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର ବ୍ୟାଟସମ୍ୟାନ୍ କେଏଲ ରାହୁଲଙ୍କୁ ତାଙ୍କ ଟି-୨୦ କ୍ୟାରିୟରରେ ୮୦୦୦ ରନ ପୂରଣ କରିବା ପାଇଁ ମାତ୍ର ୩୩ ରନ ଆବଶ୍ୟକ, ସେ ଏହା କରିବା ମାତ୍ରେ ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିବେ । ରାହୁଲ ଏହି ସିଜିନରେ ବହୁତ ଭଲ ଫର୍ମରେ ଅଛନ୍ତି । ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଦିଲ୍ଲୀ
କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଛି, ଗୋଟିଏ ମ୍ୟାଚ୍ ଅମୀମାଂସିତ ଥିଲା । ଦଳ ୧୩ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ଅଛି । ଆଜିର ମ୍ୟାଚ୍ ପରେ ମଧ୍ୟ ଏହାକୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ, କିନ୍ତୁ ଯଦି ଦଳ ଗୋଟିଏ ମଧ୍ୟ ମ୍ୟାଚ୍ ହାରିଯାଏ, ତେବେ ପ୍ଲେଅଫରେ ପହଞ୍ଚିବାର ସ୍ୱପ୍ନ ଅନ୍ୟ ଦଳଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବ । ରବିବାର କେଏଲ ରାହୁଲ ନିଜ ନାମରେ ଏକ ବଡ଼ ରେକର୍ଡ କରିପାରନ୍ତି । ବିରାଟ କୋହଲି ବର୍ତ୍ତମାନ ଟି-୨୦ କ୍ରିକେଟରେ ୮ ହଜାର ରନ କରିବାରେ ସବୁଠାରୁ ଦ୍ରୁତତମ ଭାରତୀୟ ବ୍ୟାଟସମ୍ୟାନ । ସେ ବିଶ୍ୱରେ ତୃତୀୟ ସ୍ଥାନରେ ଅଛନ୍ତି । କିନ୍ତୁ କେଏଲ ରାହୁଲ ତାଙ୍କ ରେକର୍ଡ ଭାଙ୍ଗି ପାରନ୍ତି । ବିରାଟ ତାଙ୍କ ଟି୨୦ କ୍ୟାରିୟରର ୮୦୦୦ ରନ ୨୫୭ ମ୍ୟାଚ୍ ଏବଂ ୨୪୩ ଇନିଂସରେ ପୂରଣ କରିଥିଲେ । କେଏଲ ରାହୁଲଙ୍କ ୨୩୭ତମ ମ୍ୟାଚ୍ ଏବଂ ୨୨୪ତମ ଇନିଂସ ହେବ, ସେ ତାଙ୍କର ୮ ହଜାର ଟି୨୦ ରନ୍ ଠାରୁ ମାତ୍ର ୩୩ ରନ୍ ଦୂରରେ ଅଛନ୍ତି । ରାହୁଲଙ୍କ ବର୍ତ୍ତମାନ ୭୯୬୭ ରନ ଅଛି, ଯେଉଁଥିରେ ୬ ଶତକ ଏବଂ ୬୮ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏହି ତାଲିକାର ଶୀର୍ଷରେ ଅଛନ୍ତି ପୂର୍ବତନ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍, ଯିଏ ୨୧୭ ମ୍ୟାଚ୍ ଏବଂ ୨୧୩ ଇନିଂସରେ ଏହି ସଂଖ୍ୟାରେ ପହଞ୍ଚିଥିଲେ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ବାବର ଆଜମ, ଯିଏ ୨୨୭ ମ୍ୟାଚ୍ ଏବଂ ୨୧୮ ଇନିଂସରେ ୮ ହଜାର ଟି-୨୦ ରନ୍ ପୂରଣ କରିଛନ୍ତି । ପ୍ରଥମ ମ୍ୟାଚ୍ ଖେଳି ନଥିବା କେଏଲ ରାହୁଲ ଏହି ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୦ଟି ମ୍ୟାଚ୍ ଖେଳି ୩୮୧ ରନ୍ କରିଛନ୍ତି । ଏଥିରେ ୩ଟି ଅର୍ଦ୍ଧଶତକୀୟ ଇନିଂସ ଅନ୍ତର୍ଭୁକ୍ତ । ସେ ୩୦ଟି ଚୌକା ଏବଂ ୧୬ଟି ଛକା ମାରିଛନ୍ତି । ରାହୁଲ ୧୦ ଏପ୍ରିଲରେ ବେଙ୍ଗାଲୁରୁରେ ଅପରାଜିତ ୯୩ ରନ କରି ଆରସିବି ବିପକ୍ଷରେ ତାଙ୍କର ସବୁଠାରୁ ବଡ଼ ଇନିଂସ ଖେଳିଥିଲେ । ସେ ଚେନ୍ନାଇ ଏବଂ ଲକ୍ଷ୍ନୌ ବିପକ୍ଷରେ ଅନ୍ୟ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତ ଥର ଯେତେବେଳେ ଦିଲ୍ଲୀ ବନାମ ଗୁଜରାଟ ଟାଇଟାନ୍ସ ମ୍ୟାଚ୍ ହୋଇଥିଲା, ରାହୁଲ ୨୮ ରନ୍ କରିଥିଲେ ।