ଭୁବନେଶ୍ୱର, ୨୧ା୫ : ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ କାର୍ଯ୍ୟକାରୀ ହେଉଥିବା ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବର୍ତମାନ ରାଜ୍ୟର ୧୫ଟି ଜିଲ୍ଲାର ୧୦,୬୨୯ଟି ଅଙ୍ଗନବାଡି କେନ୍ଦ୍ରରେ ୧୭ଟି ଦେଶୀୟ ଭାଷାରେ ପିଲାମାନଙ୍କୁ ପ୍ରାରମ୍ଭିକ ଶ୍ରେଣୀରେ ନିଜ ମାତୃଭାଷାରେ ଶିକ୍ଷାଦାନ କରାଯାଉଛି । ଏହି ସବୁ ଭାଷା ଗୁଡିକ ହେଲା ଦେଶୀଆ, ଭୂମିଜ, ବିଂଝାଲ, ଗୋଣ୍ଡି, ହୋ, ସାଦ୍ରି, ଖଡିଆ, ବଣ୍ଡା, ମୁଣ୍ଡା, କୋୟା, କୁଭି, କୁଇ, ସଉରା, ସାନ୍ତାଳୀ, ଓରାମ୍, କିଶାନ୍ ଏବଂ ଜୁଆଙ୍ଗ । ସୂଚନାଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଏହି ମାତୃଭାଷା ଭିତ୍ତିକ ପ୍ରାକ୍ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବାରେ ଓଡିଶା ଦେଶରେ ପ୍ରଥମ । ଜାତୀୟ ଶିକ୍ଷାନୀତି ୨୦୨୦ ରେ ମଧ୍ୟ ଏହି ବହୁଭାଷୀ ପ୍ରାକ୍ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଫାଉଣ୍ଡେସନ୍ ଷ୍ଟେଜ୍ ରେ ନିଜ ମାତୃଭାଷାରେ ପିଲାକୁ ଶିକ୍ଷା ପ୍ରଦାନ କଲେ ତାର ଆତ୍ମ ବିଶ୍ୱାସ ବଢିବ ଏବଂ ଆଗାମୀ ଦିନରେ ପାଠ ପ୍ରତି ତାର ଆଗ୍ରହ ବଢିବା ସହିତ ସହଜ ମଧ୍ୟ ହେବ । ପିଲା ମାନଙ୍କୁ ତାଙ୍କ ନିଜ ପରିବେଶରେ ସେ ଦେଖୁଥିବା ବସ୍ତୁ, ପ୍ରାଣୀ, କିମ୍ବା ବ୍ୟବହୃତ ସାମଗ୍ରୀ ସମ୍ପର୍କିତ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ସଚିତ୍ର ପୁସ୍ତକ ପ୍ରକାଶନ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ୨୦୧୪ରୁ ଏହା ଆରମ୍ଭ ହୋଇଛି, କିନ୍ତୁ ଏହାକୁ ଅଧିକ ଫଳପ୍ରଦ କରିବା ପାଇଁ ଅଧିକ ମାନବ ସମ୍ବଳ ସୃଷ୍ଟି ସହିତ ଅଙ୍ଗନବାଡି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ସେହିପରି ଗରିବ ବାପା, ମା’ଙ୍କ ଉପରୁ ଝିଅ ବାହାଘରର ବୋଝ ହାଲକା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେବାକୁ ଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଆମ ରାଜ୍ୟରେ ପୂର୍ବରୁ ଏ କ୍ଷେତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ବିବାହ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଇଣ୍ଟରକାଷ୍ଟ ମ୍ୟାରେଜ୍ କ୍ଷେତ୍ରରେ ଏବଂ ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟତା କାର୍ଯ୍ୟକ୍ରମରେ କନ୍ୟା ବିବାହ ପାଇଁ ସହାୟତା ପ୍ରଦାନ କରାଯାଉଛି । କାର୍ଯ୍ୟକାରୀ ହେବାକୁ ଥିବା ଏହି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗରିବ, ଅସହାୟ ଏବଂ ଆର୍ôଥକ କ୍ଷେତ୍ରରେ ସ୍ୱଚ୍ଛଳ ନଥିବା ପରିବାରଙ୍କୁ ତାଙ୍କର କନ୍ୟା ବିବାହ ପାଇଁ ଅଶେଷ ସହାୟକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ଯୋଜନାରେ ବିଧବା ଝିଅ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ସରକାରୀ ସ୍ତରରେ ଝିଅ ପାଇଁ ଉପହାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବିବାହକୁ ସାମୁହିକ ସ୍ତରରେ ଆୟୋଜନ କରିବା ପାଇଁ ମଧ୍ୟ ସେ କହିଥିଲେ । ଯଥାଶୀଘ୍ର ସମସ୍ତ ପ୍ରକ୍ରିୟା ସମ୍ପନ୍ନ କରି ଏହି ଯୋଜନାର ଶୁଭାରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗକୁ ଦାୟିତ୍ୱ ଦେଇଥିଲେ । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏହି ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମହିଳା
ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
‘ଆମେ ପଢିବା ଆମ ଭାଷାରେ’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
Prev Post