ଆମ ମାନସିକ ଚେତନାରେ ଶ୍ରୀମନ୍ଦିରର ବାଇଶି ପାହାଚ

0 59

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ଶ୍ରୀମନ୍ଦିରର ବାଇଶି ପାହାଚରେ ଭରି ରହିଛି ଅନେକ ଦିବ୍ୟମହତ୍ୱ ଯାହା ଆମ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଭାବ ନଟେଇରେ ତେଲ ଲୁଣର ଟଣାଟଣି ଅଭାବୀ ସଂସାରକୁ ନେଇ ଯେତେବେଳେ ଜଣେ ହା ହୁତାଶ ହୋଇପଡ଼େ ସେ  ଖୋଜିଥାଏ ମହାପ୍ରଭୁଙ୍କ କରୁଣା ବାରିଟିକିଏ ଆଉ ସେଇଥିପାଇଁ ଛୁଟି ଯାଏ ଶ୍ରୀକ୍ଷେତ୍ର ପୁରୀ । ଅନେକଙ୍କ ଭିତରେ ଏହି ଆତ୍ମ ପ୍ରତ୍ୟୟ ସୃଷ୍ଟି ହୋଇଥାଏ ଯେ ବାଇଶି ପାହାଚ ଅତିକ୍ରମ କରିବା ସହ ଭଗବାନ ଭକ୍ତଜନଙ୍କ ବାଇଶିଟି ଦୁଃଖକୁ ଯେପରି ଲାଘବ କରିଦିଅନ୍ତି । କେବଳ ମହାପ୍ରଭୁଙ୍କୁ ଦର୍ଶନ ନିମିତ୍ତ ଏହି ବାଇଶି ପାହାଚଟି ଗନ୍ତବ୍ୟର ବାଧ୍ୟବାଧକତା ତାହା ନୁହେଁ ବରଂ ଏହି ବାଇଶି ପାହାଚରେ ଟିକିଏ ବସିପଡ଼ିଲେ ଦେହ ଓ ମନ ଭିତରେ ଭରିଯାଏ ଅଫୁରନ୍ତ ଧୈର୍ଯ୍ୟ ଓ ଆନନ୍ଦର ଫଲଗୁ । ବାଇଶି ପାହାଚର ନାମକରଣକୁ ନେଇ ଅନେକ ପ୍ରସଙ୍ଗ, ଆଲେଖ୍ୟ ଓ କଥନିକା ପୁରାଣ ଓ ପୁସ୍ତକରେ ଲିପିବଦ୍ଧ ରହିଛି । କେହି କେହି ଏହାକୁ ଭୂଃ, ଭୂବଃ, ସ୍ୱଃ, ମହ, ଜନ, ତପଃ ଓ ସତ୍ୟ ଏହି ସପ୍ତଲୋକ ଅତଳ, ସୁତଳ, ବିତଳ, ତଳାତଳ, ମହୀତଳ, ରସାତଳ ଓ ପାତାଳ ସପ୍ତତଳ ଓ କୈବଲ୍ୟ ବୈକୁଣ୍ଠ ଶ୍ରୀବୈକୁଣ୍ଠ ପରମ ବ୍ୟୋମ ବୈକୁଣ୍ଠ, ବିଶ୍ୱବେଶ ବୈକୁଣ୍ଠ, ଶେଷ ଗାୟତ୍ରୀ ବୈକୁଣ୍ଠ, କରୁଣାର୍ଣ୍ଣବ ବୈକୁଣ୍ଠ, ଗର୍ହୋଦୟକ ଶାୟୀ ବୈକୁଣ୍ଠ, କୈଳାସ ବୈକୁଣ୍ଠ ଏହି ଅଷ୍ଟ ବୈକୁଣ୍ଠର ପ୍ରତୀକ ବୋଲି କହିଥାନ୍ତି । ସେହିପରି ପୁରାଣ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଯେ ପଞ୍ଚଭୂତ, ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମଇନ୍ଦ୍ରିୟ, ପଞ୍ଚନ୍ନାତ୍ର, ମନ ତଥା ବୁଦ୍ଧିର ସମଷ୍ଟି ହେଉଛି ଏହି ବାଇଶି ପାହାଚ । ଅନେକ ଭକ୍ତଜନ ଏହାକୁ ବାଇଶିଟି ତୀର୍ଥଭୂମିର ସ୍ୱରୂପ ବୁଝିଥିବାବେଳେ ଆଉ କେହି କେହି ବାଇଶିଟି ଭାବ ଓ ବାଇଶିଟି ତତ୍ତ୍ୱ ସମ୍ପର୍କରେ ମଧ୍ୟ ନିଜ ବିଶ୍ୱାସ ରଖନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହା କେବଳ ମହାପ୍ରଭୁଙ୍କ ଶ୍ରଦ୍ଧାଳୁଙ୍କ ପାଇଁ ନୁହଁ ସମସ୍ତ ମାନବ ସମାଜ ପାଇଁ ନିଜ ଭିତରୁ ପଞ୍ଚରସ, ଅଷ୍ଟ ତାତ୍ତ୍ୱିକ ଭାବ ତ୍ରିବୀଜ, ତ୍ରିଶକ୍ତି ଓ ତ୍ରିଗୁଣ ମିଶାଇଲେ ଯାହାର ସଂଖ୍ୟା ହେଉଛି ବାଇଶି, ଏହି ପଞ୍ଚମନ ଓ ସପ୍ତବିକାର ଭଳି ଖରାପ ଗୁଣକୁ ତ୍ୟାଗ କରି ମହାପ୍ରଭୁଙ୍କ କୃପା ପ୍ରାର୍ଥୀ ହେବା ପାଇଁ ଏହି ବାଇଶି ପାହାଚ ହିଁ ସମଗ୍ର ମଣିଷ ସମାଜକୁ ଶିକ୍ଷା ଦେଇଥାଏ । ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ଶକ୍ତି, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, ଶ୍ରଦ୍ଧା, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତିଷ୍ଟି, ଚିନ୍ତା, ମାତୃ, ଭ୍ରାନ୍ତି ଓ ପ୍ରଜ୍ଞା । ଭକ୍ତ ବଳରାମ ଦାସ ତାଙ୍କର ଗୁପ୍ତ ଗୀତାରେ ରଚନା କରିଛନ୍ତି ବାଇଶି ପାହାଚରେ ରହିଛି ଅନେକ ପବିତ୍ରତା ଓ ତତ୍ତ୍ୱ । ଶ୍ରୀଜଗନ୍ନାଥଙ୍କ କରୁଣା ଲାଭ ନକଲେ ଭକ୍ତ ବାଇଶି ପାହାଚକୁ ଅତିକ୍ରମ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବ ନାହିଁ । ଓଡ଼ିଆ ଆଧ୍ୟାତ୍ମିକ ବିଶ୍ୱାସ ସହିତ ମାନସିକତାରେ ଏହି ବାଇଶି ପାହାଚର ଚେତନା ଅତିବ ଗୁରୁତ୍ୱପୂର୍ଣ୍ଣ । ବାଇଶି ପାହାଚରେ ଛୋଟ ପିଲାଙ୍କୁ ବିଶ୍ୱାସର ସହିତ ଗଡ଼ାଇ ଦେଲେ ସେମାନଙ୍କର ଆୟୁ ବୃଦ୍ଧି ହୋଇଥାଏ ଏବଂ ଏହି ବାଇଶି ପାହାଚରେ ରହିଥିବା ଯମଶୀଳାକୁ ଭକ୍ତଜନ ସ୍ପର୍ଶ କରି ମହାପ୍ରଭୁଙ୍କୁ ଦର୍ଶନ କଲେ କୌଣସି ପରିସ୍ଥିତିରେ ସେମାନଙ୍କୁ ଅକାଳ ମୃତ୍ୟୁ ହୋଇନଥାଏ । ଏହି ପାହାଚରେ ଆତଯାତ ହେଉଥିବା ଭକ୍ତଜନଙ୍କ ପବିତ୍ର ପାଦଧୂଳିକୁ ମୁଣ୍ଡରେ ସ୍ପର୍ଶ କରି ଶ୍ରୀଜୀଉଙ୍କୁ ଦର୍ଶନ ଲାଭ ପରେ ସେହି ବ୍ୟକ୍ତିମାନଙ୍କର ଜୀବନରେ ପରଲୋକ ପରେ ବୈକୁଣ୍ଠ ପ୍ରାପ୍ତ ହୋଇଥାଏ । ସୁତରୀ ଫୁଟ ଲମ୍ବ ଛଅଫୁଟ ଓସାର ଓ ଛଅ ଇଞ୍ଚ ଉଚ୍ଚତାର ଏହି ପାହାଚ ବଉଳମାଳ ପଥରରେ ତିଆରି । ପିତୃପକ୍ଷ ଓ ଅମାବାସ୍ୟା ଦିନ ଏହି ବାଇଶି ପାହାଚରେ ଶ୍ରାଦ୍ଧ ଦିଆଯାଇଥାଏ । ଶ୍ରୀଜୀଉଙ୍କର ବିଶ୍ୱ ପ୍ରସିଦ୍ଧ ପତିତପାବନ ଯାତ୍ରାକୁ ଯିବା ପୂର୍ବରୁ ଏହି ବାଇଶି ପାହାଚରେ ଯେଉଁ ପହଣ୍ଡି ବିଜେ ହୋଇଥାଏ ତାହା ବାସ୍ତବିକ ଅବର୍ଣ୍ଣନୀୟ । ଭକ୍ତଙ୍କ ସହିତ ଟିକିଏ ମିଶି ସେମାନଙ୍କୁ କୃପା ଦର୍ଶନ ଦେବା ନିମିତ୍ତ ଶ୍ରୀଜୀଉ ଆସିଥାନ୍ତି ବଡ଼ଦାଣ୍ଡ । ସର୍ବୋପରି ଓଡ଼ିଆ ବିଶ୍ୱାସ ଓ ଭାବ ଚେତନାରେ ବାଇଶି ପାହାଚର ମାହାତ୍ମ୍ୟ ଓ ଅନୁଭବର ପୁଲକ ସ୍ୱତନ୍ତ୍ର ଓ ଦିବ୍ୟ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଜୀବନ ପ୍ରତି ଅମୃତ ଦୃଷ୍ଟିକୋଣ ସଂପ୍ରସାରିତ ହୋଇଅଛି । ସେଇଠି ନାହିଁ ମୃତ୍ୟୁର ଭାବନା, ଆଉ ଶୋଚନା, ନିରାଶା ଆଉ ମୁହ୍ୟମାନତା । ସେଇଠି ଏକ ଅନନ୍ତ ଜାଗରଣ ଓ ଜ୍ୟୋତି ଜୀବନକୁ ଚିରସଞ୍ଜୀବିତ ଓ ଉର୍ଜ୍ଜସ୍ୱଳ କରି ରଖେ । ଓଡ଼ିଶାବାସୀ ଶ୍ରୀଜଗନ୍ନାଥଙ୍କ ଭିତରେ ଏହି ଅମୃତ ତତ୍ତ୍ୱର ସନ୍ଧାନ ପାଇଥିଲେ ବୋଲି ତାହାଙ୍କୁ ସର୍ବବିଶ୍ୱରେ ପରିବ୍ୟାପ୍ତ ପରଂବ୍ରହ୍ମରୂପୀ ପୁରୁଷୋତ୍ତମ ବୋଲି ବନ୍ଦନା କରିଛନ୍ତି । ଶ୍ରୀଜଗନ୍ନାଥଙ୍କର ଏହି ସ୍ୱରୂପ ଉପନିଷଦମାନଙ୍କରେ ବର୍ଣ୍ଣିତ ଅପାଣିପାଦ, ଅଚକ୍ଷୁ, ଅକର୍ଣ୍ଣ, ଅଥଚ ସର୍ବଗମ, ସର୍ବଦ୍ରଷ୍ଟା ଓ ସର୍ବଶ୍ରୋତା ପୁରୁଷୋତ୍ତମଙ୍କ ସ୍ୱରୂପ ସହିତ ସମାନ । ନିଖିଳ ବିଶ୍ୱ ପାଇଁ ଆତ୍ମ ପୁରୁଷର ପୂର୍ଣ୍ଣତ୍ୱ ପ୍ରାପ୍ତି ଓ ଏହି ଲକ୍ଷରେ ତ୍ୟାଗ ତଥା ଆତ୍ମୋତ୍ସର୍ଗ ହିଁ ହେଉଛି ଉତ୍ତମ ପୁରୁଷ ବା ପୁରୁଷୋତ୍ତମର ଲକ୍ଷଣ । ଏହି ବିଶ୍ୱଚେତନା ଶିଖାଇଛି ଶ୍ରୀଜଗନ୍ନାଥ ସଂସ୍କୃତି ।

Leave A Reply

Your email address will not be published.